Unknown

 

 

 

 

 

 

 

 

 

 

 

କବିତା କୁଞ୍ଜେ

ଶ୍ରୀ କୃଷ୍ଣଚନ୍ଦ୍ର ସେନଗୁପ୍ତ

 

ନିବେଦନ

 

ମୁଁ କବି ନୁହେଁ—ତେଣୁ କବିଯଶୋପ୍ରାର୍ଥୀ ନୁହେଁ । ସାମୟିକ ଉଚ୍ଛ୍ୱାସର ବଶବର୍ତ୍ତୀ ହୋଇ ଯେଉଁ ‘କବିତା’ଗୁଡ଼ିକ ଲେଖିଥିଲି, ତାହା ପାଠକ ପାଠିକାମାନଙ୍କ ସମ୍ମୁଖରେ ‘କବିତାକୁଞ୍ଜେ’ ନାମଦେଇ ଉପସ୍ଥାପିତ କରୁଅଛି । ମୋର ତ୍ରୁଟି ବିଚ୍ୟୁତି ମାର୍ଜନା କରି ସେମାନେ ଏଗୁଡ଼ିକ ଶ୍ରଦ୍ଧା ସହିତ ପାଠକଲେ ମୋର ଲେଖନୀ ଚାଳନା ସାର୍ଥକ ହେବ ବୋଲି ମନେକରେ । ଇତି ।

 

ବିନୀତ

ଶ୍ରୀ କୃଷ୍ଣଚନ୍ଦ୍ର ସେନଗୁପ୍ତ

☆☆☆

 

ସୂଚୀପତ୍ର

 

(୧) ରାମକୃଷ୍ଣକୁଞ୍ଜେ–

୧.

ଶ୍ରୀ ରାମକୃଷ୍ଣ

୨.

ଶ୍ରୀମତୀ ସାରଦାମଣି

୩.

ଶ୍ରୀମତୀ ଲକ୍ଷ୍ମୀମଣି

୪.

ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ

୫.

ଶ୍ରୀ ରାମଚନ୍ଦ୍ର ଦତ୍ତ

୬.

ଶ୍ରୀ ମହେନ୍ଦ୍ରନାଥ ଗୁପ୍ତ

୭.

ଶ୍ରୀ ଦୁର୍ଗାଚରଣ ନାଗ

୮.

ଶ୍ରୀ ଗିରୀଶ ଚନ୍ଦ୍ର ଘୋଷ

୯.

ସ୍ଵାମୀ ବିବେକାନନ୍ଦ

୧୦.

ହେ ବୀର ବିବେକାନନ୍ଦ

୧୧.

ସ୍ଵାମୀ ବ୍ରହ୍ମାନନ୍ଦ

୧୨.

ସ୍ଵାମୀ ଶିବାନନ୍ଦ

୧୩.

ସ୍ଵାମୀ ରାମକୃଷ୍ଣାନନ୍ଦ

୧୪.

ସ୍ଵାମୀ ପ୍ରେମାନନ୍ଦ

୧୫.

ସ୍ଵାମୀ ଅଖଣ୍ଡାନନ୍ଦ

୧୬.

ସ୍ଵାମୀ ଅଦୈତାନନ୍ଦ

୧୭.

ସ୍ଵାମୀ ଅଦ୍ଭୂତାନନ୍ଦ

୧୮.

ସ୍ଵାମୀ ଅଭେଦାନନ୍ଦ

୧୯.

ସ୍ଵାମୀ ତୁରୀୟାନନ୍ଦ

୨୧.

ସ୍ଵାମୀ ତ୍ରିଗୁଣାତୀତାନନ୍ଦ

୨୧.

ସ୍ଵାମୀ ଯୋଗାନନ୍ଦ

୨୨.

ସ୍ଵାମୀ ନିରଞ୍ଜନାନନ୍ଦ

୨୩.

ସ୍ଵାମୀ ନିର୍ମଳାନନ୍ଦ

୨୪.

ସ୍ଵାମୀ ବିଜ୍ଞାନାନନ୍ଦ

୨୫.

ସ୍ଵାମୀ ସୁବୋଧାନନ୍ଦ

୨୬.

ଶ୍ରୀ ଗୌରାଙ୍ଗ

୨୭.

ଶ୍ରୀ ନିତ୍ୟାନନ୍ଦ

୨୮.

ଶ୍ରୀ ରାମଚନ୍ଦ୍ର

୨୯.

ଶ୍ରୀ ଲକ୍ଷ୍ମଣ

୩୦.

ଶ୍ରୀକୃଷ୍ଣ

୩୧.

ଧୃବ

୩୨.

ପ୍ରହ୍ଲାଦ

୩୩.

ବୁଦ୍ଧଦେବ

୩୪.

ଯୀଶୁଖ୍ରୀଷ୍ଟ

୩୫.

ଶ୍ରୀ ଶଙ୍କର

୩୬.

ମହମ୍ମଦ

(୨) ଭାରତକୁଞ୍ଜେ— :

୧.

ସ୍ଵର୍ଣ୍ଣପ୍ରସୂ ଭାରତବର୍ଷ

୨.

ମହାତ୍ମା ଗାନ୍ଧୀ

୩.

ଅରବିନ୍ଦ ଘୋଷ

୪.

ରବୀନ୍ଦ୍ରନାଥ ଠାକୁର

୫.

ଡାକ୍ତର ଜଗଦୀଶଚନ୍ଦ୍ର

୬.

ଈଶ୍ଵରଚନ୍ଦ୍ର ବିଦ୍ୟାସାଗର

୭.

ମଦନମୋହନ ମାଲବ୍ୟ

୮.

କୁଳବୃଦ୍ଧ ମଧୁସୂଦନ

୯.

ସୁରେନ୍ଦ୍ରନାଥ

୧୦.

ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର

୧୧.

ମଧୁସୂଦନ ରାଓ

୧୨.

ଫକୀର ମୋହନ

୧୩.

ଗୋପବନ୍ଧୁ ଦାଶ

୧୪.

ବ୍ରଜସୁନ୍ଦର ଦାସ

୧୫.

ଗୋପାଳଚନ୍ଦ୍ର ପ୍ରହରାଜ

୧୬.

ପ୍ୟାରୀମୋହନ ଆଚାର୍ଯ୍ୟ

୧୭.

ପ୍ୟାରୀମୋହନ ସେନ

୧୮.

ଗୌରୀଶଙ୍କର

୧୯.

ମହାରାଜା ବୈକୁଣ୍ଠନାଥ

୨୦.

ରାମଚନ୍ଦ୍ର ଭଞ୍ଜଦେଓ

୨୧.

ଆକବର

୨୨.

ଚନ୍ଦ୍ରଗୁପ୍ତ

୨୩.

ଶିବାଜୀ

୨୪.

ବିଶ୍ଵନାଥ କର

(୩) ବିବିଧକୁଞ୍ଜେ— :

୧.

ଜଗନ୍ନାଥ ମନ୍ଦିର

୨.

ସ୍ତବ

୩.

ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର

୪.

କୋଣାର୍କ ମନ୍ଦିର

୫.

ସାକ୍ଷୀଗୋପାଳ

୬.

ମୋ ମା

୭.

କୈଳାସଚନ୍ଦ୍ର

୮.

ଈଶ୍ଵର ଏକ

୯.

ବିଷୟୀର ମନ

୧୦.

ନାରୀ

୧୧.

ସତୀ

୧୨.

ପୁତ୍ର

୧୩.

କନ୍ୟା

୧୪.

ମାତା

୧୫.

ବିମାତା

୧୬.

ନିର୍ଭରତା

୧୭.

ଭୃତ୍ୟ

୧୮.

ଧନୀର କର୍ତ୍ତବ୍ୟ

୧୯.

ଦାନ

୨୦.

ହିନ୍ଦୁ ଓ ମୁସଲମାନ

୨୧.

ସଖା

୨୨.

କାଠଯୋଡ଼ି ବନ୍ଧ

୨୩.

ନିଦ୍ରା

୨୪.

ଧନ୍ୟରେ ଜୀବନ ତା’ର

୨୫.

ଧିକରେ ଜୀବନ ତା’ର

୨୬.

ସଙ୍ଗୀତ

୨୭.

ରୂପ ମୋହ

୨୮.

କାମିନୀକାଞ୍ଚନ

୨୯.

ମାତୃହୀନ ଶିଶୁ ପ୍ରତି

୩୦.

ଦରିଦ୍ର

୩୧.

କୁକୁର

୩୨.

ଭାରତୀୟ ଯୁବକ ପ୍ରତି

୩୩.

ଉଠ ବୀର

୩୪.

ଆଉ କେତେ କାଳ

୩୫.

ଯାଆ ମାତି ଯା ତୁ ରଣେ

୩୬.

ତୁ କିଏ

୩୭.

ସାଧୁସଙ୍ଗ

୩୮.

ପୁରୁଷ କେଶରୀ ତୁହି

☆☆☆

 

 

 

 

 

 

 

 

 

 

 

 

 

(୧)

ରାମକୃଷ୍ଣ କୁଞ୍ଜେ

 

ଶ୍ରୀ ରାମକୃଷ୍ଣ

 

କ୍ଷୁଦିରାମ ଔରସରେ ଚନ୍ଦ୍ରାବତୀ ଗର୍ଭେ,

ଜନମିଲ ଏ ଭାରତେ ଘଡ଼ିସନ୍ଧି ବେଳେ ।

ତୁମ୍ଭ ଆଗମନେ ପୁଲକିତ ହେଲେ ସର୍ବେ,

ସାଧିଲ ସାଧନାମାନ ସିଦ୍ଧସଂଘମେଳେ ।

ସିଦ୍ଧି ଲଭି ଭକ୍ତଗଣେ ଡାକି ନିଜ ପାଶେ,

କର୍ମ-ଜ୍ଞାନ-ଭକ୍ତି ମନ୍ତ୍ର କଲ ହେ ପ୍ରଦାନ ।

ସେ ମନ୍ତ୍ର ସ୍ପୁରିଲା ବେଗେ ତୁମ୍ଭ ସହବାସେ,

ଈଶ୍ଵରଦର୍ଶନେ ତାଙ୍କ ଭରିଗଲା ପ୍ରାଣ ।

କାମିନୀକାଞ୍ଚନତ୍ୟାଗୀ ସନ୍ନ୍ୟାସୀ ଭକତେ,

ପୁଣି ତବ କୃପାପ୍ରାପ୍ତ ନିର୍ଲିପ୍ତ ସଂସାରୀ ।

ପ୍ରଚାରିଲେ ତୁମ୍ଭ ବାର୍ତ୍ତା ନିଖିଳ ଜଗତେ,

“ଯେତେ ମତ ତେତେ ପଥ”ଜଗହିତକାରୀ ।

ଜଣାଇଲ ଆହେ ପ୍ରଭୁ ଏକ କଥା ସାର–

ତୁମ୍ଭେ ପରା ଭବେ ଯୁଗେ ଯୁଗେ ଅବତାର ।

☆☆☆

 

ଶ୍ରୀମତୀ ସାରଦାମଣି

 

ରାମଚନ୍ଦ୍ର ଶର୍ମାଗୃହେ ଜନମିଲ ମାତ,

କେ ଜାଣେ କି ଶୁଭଲଗ୍ନେ ତୁମ୍ଭରି ଜନମ;

ରାମକୃଷ୍ଣ କରେ ସମର୍ପିଲେ ତୁମ୍ଭ ହାତ;

ଶ୍ରୀ ବିଷ୍ଣୁ ଘରଣୀ ହେବା ତୁମ୍ଭରି କରମ ।

ଶରୀର ସମ୍ପର୍କ ତେଜି ତୁମ୍ଭ ପ୍ରାଣପତି

ତୁମ୍ଭ ପ୍ରାଣ ନେଲେ କିଣି ବହୁମୂଲ୍ୟ ଦାନେ,

ଅଚିରେ ଜାଣିଲା ତାଙ୍କୁ ଅଗତିର ଗତି,

ଅପାର ଆନନ୍ଦ-ସ୍ରୋତ ବୋହିଗଲା ପ୍ରାଣେ ।

ଜନନୀ ହେବାକୁ ଥିଲା ପ୍ରାଣେ ଅଭିଳାଷ

‘ମା’ ବୋଲି ଡାକିବେ କେବେ ପୁତ୍ର କନ୍ୟାଗଣ,

ପ୍ରଭୁ ଆର୍ଶୀବାଦେ ପୂର୍ଣ୍ଣ ହେଲା ତୁମ୍ଭ ଆଶ,

ବ୍ୟସ୍ତ ହେଲେ ଶେଷେ ମା’ ମା’ ଡାକେ ସର୍ବକ୍ଷଣ ।

ରାମକୃଷ୍ଣ ଅର୍ଦ୍ଧାଙ୍ଗିନୀ, ଧନ୍ୟ ଏ ଜଗତେ,

ଜଗତ ଜନନୀ ମାଗୋ ରକ୍ଷା କର ମୋତେ ।

☆☆☆

 

ଶ୍ରୀମତୀ ଲକ୍ଷ୍ମୀମଣି

 

ରାମକୃଷ୍ଣ ଭାବଲୀଳା ସହଚରୀ ରୂପେ,

ବୈକୁଣ୍ଡ ଧାମରୁ ଅବତୀର୍ଣ୍ଣ ଏ ମରତେ ।

ଦେଖି କ୍ଲିଷ୍ଟ ନରନାରୀ ଏ ସଂସାର-କୂପେ

ଭକ୍ତି ମୁକ୍ତି ଦାନ ବ୍ରତ ନେଇଛ କି ସତେ ?

ରାମକୃଷ୍ଣ-ଭ୍ରାତୁଷ୍ପୁତ୍ରୀ, ଧରି ତାଙ୍କ ବାନା

ଅଧମ ତାରଣ ଲାଗି ବୁଲି ଦ୍ଵାର ଦ୍ଵାର,

ଶୁଣାଇଲ ଜଗଜ୍ଜନେ ପ୍ରେମବାର୍ତ୍ତା ନାନା,

ବିଷୟ-ପଙ୍କରୁ କେତେ କଲ ମା’ ଉଦ୍ଧାର ।

କ୍ଷଣେ କ୍ଷଣେ ଯାଅ ମୁର୍ଚ୍ଛା କାହା କଥା ଭାବି

ରାଧାକୃଷ୍ଣ ଭାବେ ମତ୍ତ, ବୈଷ୍ଣବ ଆଚାର;

ରାମକୃଷ୍ଣ ହାତେ ଥିଲା ତୁମ୍ଭ ହୃଦ-ଚାବି,

ପାଇ ତାହା ଭୋଳ ହେଉଛ କି ବାରମ୍ବାର ?

ଆଜି ମା’ଗୋ ତବ ଦୀନହୀନ ଶିଷ୍ୟଗଣ,

କାତରେ ମାଗନ୍ତି ତବ ପବିତ୍ର ଦର୍ଶନ ।

☆☆☆

 

ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ

 

ଧନ୍ୟ ସେହୁ

ଯାର ଦିବ୍ୟ କଥା

ଅମୃତ ରୂପରେ ପ୍ରସରିଲା ମହୀତଳେ,

ଧନ୍ୟ ସେ ଲେଖନୀ,

ଯାହା ପାରିଅଛି ଲେଖି

‘ରାମକୃଷ୍ଣ କଥାମୃତ’ ଅଦ୍ଭୁତ କୌଶଳେ ।

ହେ ଧର୍ମ ପିପାସୁ,

ନାହିଁ ଦୁଃଖ ଆଉ

ମନସୁଖେ ମେଣ୍ଟାଅ ପିପାସା ।

କର ପାନ

ରାମକୃଷ୍ଣ କଥାମୃତ,

ପ୍ରାଣେ ଜାଗୁ ଦିବ୍ୟଧାମ ଆଶା ।

ଧନ୍ୟ କଳି କାଳ,

ଏହି କାଳେ ରାମକୃଷ୍ଣ ସିନା

ଅବତର ବହୁ ଭାଗ୍ୟେ ଏହି ଧରା ଧାମେ,

ପ୍ରଚାରିଲେ

ନବ ନବ ସତ୍ୟ;

ମତାଇଲେ ବିଭୁଙ୍କର ନବ ନବ ନାମେ ।

କେତେ କେତେ

ସରଳ ଉପମାମାନ ଦେଇ

ବୁଝାଇଲେ ଧରମର ଗୂଢ଼ ତଥ୍ୟମାନ;

ଆହା ‘କଥାମୃତ’

ସେଗୁଡ଼ିକ ଧରି ନିଜ ବକ୍ଷେ

ସାଧିଲାରେ ମାନବର ଅଶେଷ କଲ୍ୟାଣ ।

ଯାର ଯେଉଁ ଭାବ

ନିଜ ନିଜ ଭାବ ଅନୁସରି

‘କଥାମୃତୁଁ’ କଲେ ଦିବ୍ୟ ଭାବ ଆବିଷ୍କାର।

ରେ ମାନବ !

ଆଉ କାହିଁ ପାଇଁ

ଚକ୍ଷୁ ମୁଦି ସାଧୁ ଅମଙ୍ଗଳ ଆପଣାର ?

ଖୋଲ ଆଖି

କର ପାଠ

ରାମକୃଷ୍ଣ ’କଥାମୃତ’ ଥରେ ମନ ଦେଇ।

ଗୀତା, ବାଇବେଲ

ପୁଣି ବେଦ ବେଦାନ୍ତର ସତ୍ୟ

ଦ୍ଵାରେ ଉପସ୍ଥିତ କୋରାନର ବାଣୀ ନେଇ ।

 

୨୭।୫।୪୬

☆☆☆

 

ଶ୍ରୀ ରାମଚନ୍ଦ୍ର ଦତ୍ତ

 

ବୈଷ୍ଣବ କୁଳରେ ଜନମିଲ ବିଷ୍ଣୁ ଭକ୍ତ

ଈଶ୍ଵର ଦର୍ଶନ ଲାଗି ସତତ ବ୍ୟାକୁଳ,

ସୁସମୟେ ହେଲ ରାମକୃଷ୍ଣେ ଅନୁରକ୍ତ,

ଏ ନବଯୁଗରେ ଯେ ପ୍ରେମଭକ୍ତିମୂଳ ।

ଈଶ୍ଵର ଦର୍ଶନ ରାମକୃଷ୍ଣ କୃପାବଳେ

‘ରାମକୃଷ୍ଣ ଅବତାର’ ପ୍ରଥମେ ପ୍ରଚାର,

ରାମକୃଷ୍ଣ ବାର୍ତ୍ତା ବହି ପରମ କୌଶଳେ

ସାଧେ ନେଲ ନିଃସ୍ଵ ଭକ୍ତ ପାଳନର ଭାର ।

ପ୍ରଭୁଙ୍କ ଇଙ୍ଗିତେ ତୁମ୍ଭେ ସ୍ଥାପି ‘ଯୋଗୋଦ୍ୟାନ’

ତାହାଙ୍କ ଚରଣ ସ୍ପର୍ଶେ କଲ ତାକୁ ପୂତ,

‘ତତ୍ତ୍ଵ ମଞ୍ଜରୀ’ରେ କଲ ଚରିତ ବ୍ୟାଖ୍ୟାନ,

ତୁମ୍ଭେ କି ହେ ଯୁଗେ ଯୁଗେ ରାମକୃଷ୍ଣ ଦୂତ ?

‘ତତ୍ତ୍ଵ ପ୍ରକାଶିକା’ ପୁଣି ପ୍ରଭୁଙ୍କ ‘ଜୀବନୀ’

ପ୍ରଚାରି କଲ ହେ ତୁମ୍ଭେ ଧନ୍ୟ ଏ ଧରଣୀ ।

☆☆☆

 

ଶ୍ରୀ ମହେନ୍ଦ୍ର ନାଥ ଗୁପ୍ତ

 

ବଙ୍ଗଦେଶ ବୈଦ୍ୟକୁଳ ହୋଇଲା ପବିତ୍ର

ତୁମ୍ଭପରି କୁଳେଜ୍ଜ୍ୱଳ ପୁତ୍ର ପାଇ କୋଳେ;

କି ବର୍ଣ୍ଣିବି ଛାର ମୁହିଁ ତୁମ୍ଭର ଚରିତ୍ର ?

ଆସିଥିଲ ଏ ମରତେ, କହ କାହା ବୋଲେ ?

ରାମକୃଷ୍ଣ ଆଣିଥିଲେ ତାଙ୍କ କାର୍ଯ୍ୟ ପାଇଁ

ଲେଖିଲ ଅମରାକ୍ଷରେ ତାଙ୍କ କଥାମୃତ;

ପ୍ରକାଶିଲ ଯାହା ନିଜ ସାଧ୍ୟ ଅନୁଯାୟୀ

ପ୍ରତେ କି ହୁଅଇ ଏହା ମାନବର କୃତ ?

ଶିକ୍ଷକତା କରି ଭିନ୍ନ ଭିନ୍ନ ଅନୁଷ୍ଠାନେ

ଆଣିଲ ବାଳକବୃନ୍ଦ ରାମକୃଷ୍ଣ ପାଶେ,

ସାଧିଲେ ଅଦ୍ଭୁତ କର୍ମ ଯେହୁ ଆତ୍ମଦାନେ

ଅସାଧ୍ୟ ସାଧନ ତାହା ଜୀବ-ତମୋ-ନାଶେ ।

‘ରାମକୃଷ୍ଣ କଥାମୃତ’ ଥିବ ଯେତେ କାଳ,

ସ୍ମରିବେ ତୁମ୍ଭଙ୍କୁ ଭକ୍ତିଭରେ ଭକ୍ତମାଳ ।

☆☆☆

 

ଶ୍ରୀ ଦୁର୍ଗାଚରଣ ନାଗ

 

ବିନୟର ଅବତାର, ହେ ଦୁର୍ଗାଚରଣ

‘ନାଗ ମହାଶୟ’ ନାମେ ଭକ୍ତସଙ୍ଘେ ଖ୍ୟାତ;

ଯଥା କାଳେ ରାମକୃଷ୍ଣ-ଚରଣ-ଶରଣ

ନେଇ ଯାପିଗଲ ତୁମେ ଏ ଜୀବନ ଯାତ ।

କଲ ହେ ଅତିଥି-ସେବା ନାରାୟଣ ଜ୍ଞାନେ

ନେଲ ଯାହାପାଇଁ ସ୍ଵାର୍ଥ ତ୍ୟାଗ ମନ୍ତ୍ରେ ଦୀକ୍ଷା,

ଭୁଜଙ୍ଗମେ କଲ ଧନ୍ୟ ଅତିଥି ସମ୍ମାନେ

କାଳେ କାଳେ ଥିବ ତବ ଏ ଉଦାର ଶିକ୍ଷା ।

ଗୁରୁନିନ୍ଦା ନର୍କେ ବାସ, ଥିଲ ସଦା ଜାଣି

ସୁକୋମଳ ଚିତ୍ତ ତବ ଭୟ ପ୍ରଦର୍ଶନେ;

ନିନ୍ଦୁକକୁ ଶାସିଥିଲା ଭାଙ୍ଗି ତା’ର ଆଣି

ବ୍ରଜହୁଁ କଠୋର ହୋଇ ପାରୁଥିଲ କ୍ଷଣେ ।

ତୁମ୍ଭ ଦୈନ୍ୟ, ତୁମ୍ଭ ଭକ୍ତି, ଧନ୍ୟ ଧନ୍ୟ ଭବେ,

କରହେ କୃତାର୍ଥ ମୋତେ ଦେଇ ତହୁଁ ଲବେ ।

☆☆☆

 

ଶ୍ରୀ ଗିରୀଶ ଚନ୍ଦ୍ର ଘୋଷ

 

ମହାପାପ ଆଚରଣେ ଜଗାଇ ମାଧାଇ

ଯାଙ୍କଠାରେ ପରାଭୂତ; ସେ ଗିରୀଶଚନ୍ଦ୍ର

ରାମକୃଷ୍ଣ କୃପା ବଳେ ସୁଖେ ତରି ଯାଇ

ଶୁଣାଇଲେ ଏ ଜଗତେ ବାଣୀ ମେଘ-ମନ୍ଦ୍ର :

‘‘ଆଗୁଁ ଯଦି ଜାଣିଥାନ୍ତି ପାପ ଢାଳିବାର

ଏତେ ବଡ଼ ନରଦମା ଅଛି ବିଦ୍ୟମାନ;

କରିଥାନ୍ତି ପେଟଭରି ପାପର ଆଚାର,

ପାପ ଅନୁଷ୍ଠାନେ ମୋର ପୂରି ନାହିଁ ପ୍ରାଣ’’ ।

ଧନ୍ୟ ସେ ବିଶ୍ଵାସ ଭକ୍ତି, କାହିଁ ତା’ କଳନା ?

ନିଜ ଭାର ପ୍ରଭୁସ୍କନ୍ଧେ କଲହେ ଅର୍ପଣ;

ମୁକ୍ତି ପାଇଁ ନିଜ ବୁଦ୍ଧି ନ କରି ଚାଳନା

ରାମକୃଷ୍ଣ ନାମ ସାର କଲ ସର୍ବକ୍ଷଣ !

ଯେ ନାଟକମାନ ରଚିଗଲ ନଟରାଜ

ଉପକୃତ ହେବେ ପଢ଼ି ମାନବସମାଜ ।

☆☆☆

 

ସ୍ଵାମୀ ବିବେକାନନ୍ଦ

 

କାହା ଡାକ ଶୁଣି ଆହେ ଅଖଣ୍ଡ ମଣ୍ଡଳୁଁ

ଆସିଥିଲ ଯୋଗୀବର ଏ ମରତ ଧାମେ;

ପୁଣି କାହା ସ୍ଵର ଶୁଣି ଏ ମରତ ଧାମୁଁ

ଚାଲିଗଲ ମାନବେ ମତାଇ ଗୁରୁନାମେ ।

କର୍ମ ଜ୍ଞାନ ଭକ୍ତି ଧାରା ବୋହି ତବ ପ୍ରାଣେ

କଲ କେତେ ଶୁଷ୍କ ପ୍ରାଣ ଆର୍ଦ୍ର ମହୀତଳେ;

ଦେଶ କାଳ ପାତ୍ର ଭେଦ ସେ ତ ନାହିଁ ଜାଣେ;

ସୁଦୂର ପ୍ରତିଚ୍ୟ ଖଣ୍ଡେ ବୋହିଲା ପ୍ରବଳେ ।

ରାମକୃଷ୍ଣ ସଂଘ ସ୍ଥାପି ନିଜ ଗୁରୁନାମେ

ସାଧିଲ ମାନବ ଜାତି କଲ୍ୟାଣ ଅଶେଷ;

ବହୁ ଦୁଃଖ-ଦୁଃଖି ନିବାରିଲ ଗ୍ରାମେ ଗ୍ରାମେ

ରାମକୃଷ୍ଣ-ବାର୍ତ୍ତା ଶୁଣେ ସ୍ଵଦେଶ ବିଦେଶ ।

ରାମକୃଷ୍ଣ ପାଶେ ବସି ଗାଅ ଥରେ ଗୀତ,

ଶୁଣି ସେ ଅମିୟ ଗାଥା ମଜ୍ଜିଯାଉ ଚିତ୍ତ ।

☆☆☆

 

ହେ ବୀର ବିବେକାନନ୍ଦ

 

ହେ ବୀର ବିବେକାନନ୍ଦ କାହା ପ୍ରେରଣାରେ

ଯାଇଥିଲ ରାମକୃଷ୍ଣ ପାଶେ,

ବ୍ରହ୍ମ ଦରଶନ ଆଶା ପୋଷି ଚିରକାଳ

ପହଞ୍ଚିଲ କେତେ ଆଶା ଘେନି ।

ପଚାରିଥିଲ ତ ତୁମ୍ଭେ ବହୁତ ଧାର୍ମିକେ

ଦେଖି କି ଅଛନ୍ତି ସେହୁ କେଭେ ଭଗବାନ ?

ନାସ୍ତି ବାକ୍ୟ ଶୁଣି ତୁମ୍ଭ ଅବସନ୍ନ ମନ

ସେ ପ୍ରଶ୍ନ ପୁନର୍ବାର କଲ ରାମକୃଷ୍ଣେ ।

କି ଉତ୍ତର ଦେଲେ ସେହୁ ?

‘‘ଦେଖିଛି ମୁଁ ଭଗବାନ–ଦେଖାଇ ପାରିବି,

କଥା କୁହାଇ ପାରିବି ତୁମ୍ଭ ସାଥେ ।

ଯେପରି ଦେଖୁଛ ମୋତେ,

ତା’ଠାରୁ ବାସ୍ତବ ରୂପେ ଦେଖିବ ତାହାଙ୍କୁ’’ ।

ଶୁଣି ଏହା ଚମକି ପଡ଼ିଲ କିବା !

“ଦେଖିଅଛି ମୁହିଁ ଭଗବାନ ‘’।

ଏ ମରତେ କହିବାକୁ ସାହସ କାହାର ?

ପୁଣି “ଭଗବାନେ ଦେଖାଇ ପାରିବି” କହେ ଯେହୁ

ସେ କି କରେ ବାସ୍ ଏ ମରତେ ?

ଅବା ଅବତୀର୍ଣ୍ଣ ଦିବ୍ୟ ଧାମୁଁ

ପୁର୍ଣ୍ଣ କରିବାକୁ ବୀର ! ଅଭିଳାଷ ତବ ?

ଧନଶୂନ୍ୟ ପରିବାର ଲାଗି

ଧନ ପାଇଁ କଲ ଆକିଞ୍ଚନ ।

ହୋଇଲ ଆଶ୍ଵସ୍ତ ଶୁଣି

ସାଧାରଣ ଅନ୍ନବସ୍ତ୍ର ପାଇବେ ସେମାନେ ।

ବିବେକ ବୈରାଗ୍ୟ ପାଇଁ କଲ ହେ ପ୍ରାର୍ଥନା

ଧନ ପରିବର୍ତ୍ତେ ଯାର ଜଗନ୍ମାତାଠାରେ ।

ଗୁରୁ ପାଦପଦ୍ମେ ନେଇ ଆଶ୍ରା

ନିର୍ବିକଳ୍ପ ସମାଧିରେ ବଳାଇଲ ମନ

ଜଗଦ୍‍ଗୁରୁ ଅନୁଗ୍ରହେ କଲ ଆସ୍ଵାଦନ ।

ସମାଧିର ଚାରି ପ୍ରଭୁ ରଖି ନିଜ ପାଶେ

କହିଲେ ତୁମ୍ଭଙ୍କୁ, “ହେ ନରେନ୍ଦ୍ର

ନିର୍ବିକଳ୍ପ ସମାଧିର କୁଞ୍ଚି ରହିଲା ମୋ ପାଶେ,

ଆସିଅଛ ସାଧିବାକୁ ଜଗଜ୍ଜନହିତ

ହେଲେ ଶେଷ ସେ ମହା ସାଧନା

ସମାଧିର କୁଞ୍ଚି ପ୍ରତ୍ୟର୍ପିବି ଯଥାକାଳେ ।”

ତହୁଁ ତବ ଗୁରୁଦେବ ସାଧନ ଭଜନେ

ବଳାଇଲେ ମାନସ ତୁମ୍ଭର;

ବସାଇଲେ ନିଜ ସିଦ୍ଧାସନେ ପଞ୍ଚବଟୀ ମୂଳେ,

ଶୁଣାଇଲେ କେତେ ତତ୍ତ୍ଵ କଥା,

ଶିଖାଇଲେ କେତେ ମନ୍ତ୍ର ଯନ୍ତ୍ର,

ଗଢ଼ିଲେ ତୁମ୍ଭଙ୍କୁ ତାଙ୍କ ସହକାରୀ ରୂପେ

ମାନବ କଲ୍ୟାଣ ଲାଗି ।

ଶ୍ରୀଗୁରୁଙ୍କ ତିରୋଧାନ ଅନ୍ତେ

ସମଗ୍ର ଭାରତ ଭୁମେ କଲ ପର୍ଯ୍ୟଟନ,

ସ୍ଵଚକ୍ଷେ ଦେଖିଲ ନରନାରୀଙ୍କ ଦୁର୍ଗତି;

ଦୁର କରିବାକୁ ତାହା ହେଲ ଦୃଢ଼ବ୍ରତ ।

ଦୁସ୍ଥ ନରନାରୀ ସେବା ବିଭୁ ସେବା ଜାଣି

ବଳାଇଲ ମନ–ମାତ୍ର ଧନର ଅଭାବେ,

ମନର ସଂକଳ୍ପ ତବ ରହିଗଲା ମନେ,

ଦୟାମୟ ଗୁରୁ ତବ ଆଣିଲେ ସୁଯୋଗ ।

ଚିକାଗୋ ସହରେ ବସିଗଲା ଧର୍ମସଭା ।

ପୃଥିବୀର ଚାରିଦିକେ ହେଲା ନିମନ୍ତ୍ରଣ;

ହିନ୍ଦୁଧର୍ମ ପ୍ରଚାରାର୍ଥ ନିମନ୍ତ୍ରିତ କେହି

ନ ହେଲେ–ଦୁର୍ଭାଗ୍ୟ ହିନ୍ଦୁଙ୍କର ।

ହିନ୍ଦୁ ରାଜା ପ୍ରଜା ହୋଇ ସମବେତ

ସ୍ଥିର କଲେ ପଠାଇବେ ତୁମ୍ଭଙ୍କୁ ସେଠାକୁ ।।

କଲ ଅସ୍ୱୀକାର ସେ ପ୍ରସ୍ତାବ;

ଶ୍ରୀ ଗୁରୁ ଇଙ୍ଗିତ ପାଇ ହୋଇଲ ସମ୍ମତ ପରେ ।

ନ ପାଇ ଯଥେଷ୍ଟ ଅର୍ଥ ମାରକିନ ଭୁମେ

କଷ୍ଟର ଅବଧି ତବ ରହିଲା ତ ନାହିଁ ।

ଯେତେବେଳେ ରହିବ କି ଯିବ ଫେରି ଦେଶେ

ସାଶ୍ରୁ ନୟନରେ ତୁମ୍ଭ ଭାବନାଜଡ଼ିତ,

ଦେଲେ ଦେଖା ଗୁରୁଦେବ, ଆଶ୍ୱାସି ତୁମ୍ଭଙ୍କୁ

କହିଲେ, “ଅପେକ୍ଷା କର ଆସୁଛନ୍ତି ଜଣେ

ନେବାକୁ ତୁମ୍ଭର ତତ୍ତ୍ଵ, ନ ହୁଅ ଅଧୀର ।”

ଦେଖୁ ଦେଖୁ ମାର୍କିନ ଦମ୍ପତ୍ତି ଏକ

ପହଞ୍ଚି ସେଠାରେ–ଦେଖିଲେ ଅଦ୍ଭୁତ ଦୃଶ୍ୟ

ଗୈରିକ ବସନାବୃତ ପୁରୁଷପୁଙ୍ଗବ

ମ୍ରିୟମାଣ–ଉପବିଷ୍ଟ ମୃତ୍ୟୁ ଅପେକ୍ଷାରେ

ନିର୍ଜନ ପ୍ରଦେଶେ; ତହୁଁ ଦୟା ବହି

ଉଠାଇଲେ ସନ୍ନ୍ୟାସୀଙ୍କୁ ନିଜ ଅଶ୍ଵଯାନେ

ନେଲେ ଗୃହେ; ଦେଖାଇଲେ ସ୍ୱଜନ ବାନ୍ଧବେ

ଅଦ୍ଭୁତ ପ୍ରାଣୀ ଏକ; ଦେଖି ସର୍ବେ ହୋଇଲେ ବିସ୍ମିତ ।

କ୍ରମେ କ୍ରମେ ଶୁଣି ତାଙ୍କ ଓଜସ୍ଵିନୀ ଭାଷା

ହେଲେ ମୁଗ୍‍ଧ ସେ ଦମ୍ପତି; ଆଗନ୍ତୁକ ସହ

କଲେ ଅନୁରୋଧ ନିଜ ଭାବ ପ୍ରକାଶାର୍ଥ ।

ତାହାଙ୍କର ଭ୍ରମଶୂନ୍ୟ ଇଂରାଜୀ ଭାଷାରେ

ବିସ୍ମିତ ହୋଇଲେ ଜ୍ଞାନୀ ଶୁଣି ତାଙ୍କ ବାଣୀ–

ହୋଇଣ ଆକୃଷ୍ଟ ଦେଖି ସେ ଦିବ୍ୟ ରୂପ ।

ଦିନୁଦିନ ପ୍ରସରିଲା ତାଙ୍କର ପ୍ରସଙ୍ଗ

ଚିକାଗୋ ସହରୁ ଆମେରିକା ଚତୁର୍ଦ୍ଦିଗେ ।

ମହାସଭା କର୍ତ୍ତୁପକ୍ଷ ଶୁଣି ତାଙ୍କ ଯଶ

ଇଚ୍ଛିଲେ ହୋଇବେ ସ୍ଵାମୀ ହିନ୍ଦୁ ଧରମର

ଏକମାତ୍ର ପ୍ରତିନିଧି; ହେଲେ ସ୍ଵାମୀ ଭୁକ୍ତ

ଧର୍ମ ମହାସଭା ପ୍ରତିନିଧି ମଣ୍ଡଳରେ ।

ହେଲେ ଅନୁରୁଦ୍ଧ ତହିଁ ଦେବାକୁ ବକ୍ତୃତା;

ହୋଇଲେ ସମ୍ମତ ସ୍ଵାମୀ ବହୁ ଭାବନାନ୍ତେ ।

ମହାସଭା ଦିନ ଆସି ହେଲା ଉପସ୍ଥିତ;

ପୃଥିବୀର ଚାରିଆଡ଼ୁ ବିଭିନ୍ନ ଧର୍ମର

ପ୍ରତିନିଧିମାନେ ଆହୋ ! ମଣ୍ଡି ସଭାଗୃହ

ନିଜ ନିଜ ଧରମର ଗୌରବ ବ୍ୟାଖ୍ୟାନେ

ହୋଇଲେ ପ୍ରସ୍ତୁତ ସର୍ବେ ଦୃଶ୍ୟ ଚମତ୍କାର !

ଅଗ୍ରେ ନିମନ୍ତ୍ରିତ ଯେହୁ ପାଇଲେ ସୁଯୋଗ;

ସର୍ବଶେଷେ ନିମନ୍ତ୍ରିତ ଶ୍ରୀ ବିବେକାନନ୍ଦ, ତେଣୁ

ସର୍ବଶେଷେ ହୋଇଲେ ଆହୂତ ।

ବକ୍ତୃତା ମଞ୍ଚ ଉପରେ ଠିଆ ହେବାମାତ୍ରେ

ସେ ସୁନ୍ଦର ରୂପ ଦେଖି ମୁଗ୍‍ଧ ନରନାରୀ ।

‘ହେ ମାର୍କିନ ଭାଇ ଓ ଭଉଣୀ’ ସମ୍ବୋଧନେ

ଉନ୍ମତ୍ତ ହୋଇଲେ ସର୍ବେ ଦେଲେ କରତାଳି

ବହୁତ ସମୟ ବ୍ୟାପି–ପରେ ଶୁଣିଲେ ସକଳେ

ସନାତନ ହିନ୍ଦୁ ଧର୍ମ ବାଣୀ ଧୀରସ୍ଥିର ଚିତ୍ତେ ।

ତହୁଁ ସଭ୍ୟବୃନ୍ଦ ବାହାରିଲେ ଯେଝା ବାସେ;

ସ୍ଵାମୀଙ୍କର ଫେରିବା ସମୟ ଦୃଶ୍ୟ କିବା ଚମତ୍କାର !

ମାର୍ଗର ଉଭୟ ପାର୍ଶ୍ୱେ ଉଭା ସ୍ତ୍ରୀ ପୁରୁଷ;

ସ୍ଵାମୀଙ୍କର ଅଙ୍ଗସ୍ପର୍ଶ ଉଦ୍ଦେଶ୍ୟ ତାଙ୍କର ।

ପୃଥିବୀର ସୁସଭ୍ୟ ଦେଶର ଅଧିବାସୀ

ହୋଇଲେ ପ୍ରୟାସୀ କରିବାକୁ ସମ୍ମାନିତ

ଏହି ହିନ୍ଦୁ ସନ୍ନ୍ୟାସୀ–କହ କା’ର ଆର୍ଶୀବାଦେ ?

ଚାହୁଁ ଚାହୁଁ ପତ୍ର ପତ୍ରିକାରେ ବାହାରିଲା

ବିବେକାନନ୍ଦଙ୍କ ବାଣୀ–ପୁଣି ପ୍ରତିକୃତି ।

ଖେଳିଗଲା ଯଶ ତାଙ୍କ ପୃଥିବୀବକ୍ଷରେ ।

ଉଲସି ଉଠିଲା ହିନ୍ଦୁସ୍ଥାନ ପୁତ୍ର ଗୌରବରେ ।

ଉତ୍କଣ୍ଠା ହୋଇଲା ମାତ୍ର ସମ୍ପଦ ତାଙ୍କର

ଦେଖିବାକୁ ପାଶ୍ଚାତ୍ୟ ବିଜୟୀ ବୀର ପୁତ୍ର ।

ଯଥାକାଳେ ଉପସ୍ଥିତ ହେଲେ ବୀରାଗ୍ରଣୀ

ଭାରତବର୍ଷରେ; ବୀର ବାଣୀ ଶୁଣାଇଲେ ସର୍ବେ ।

ଉତ୍ସାହରେ ହେଲେ ମତ୍ତ ଯୁବକ ଯୁବତୀ;

ସ୍ଵାଗତ କଲେ ତାହାଙ୍କୁ ନଗରେ ନଗରେ–

ନବ ପ୍ରାଣ ଉନ୍ମେଷିତ ହେଲା ଭାରତରେ ।

ମାର୍କିନ ଦେଶର ସୁଖ ସମ୍ପଦ ନିରେଖି

ଦେଶର ଦାରିଦ୍ର୍ୟ ଆଜି ବହୁ ଶତ ଗୁଣେ

ବିନ୍ଧିଲା କୋମଳ ପ୍ରାଣ; ହୋଇଲା ଅସହ୍ୟ,

ସ୍ଥିର ହୋଇ ରହି ନ ପାରିଲେ, ଡାକିଲେ ଭ୍ରାତାଙ୍କୁ ।

ଗୁରୁ ଭାଇ ପହଞ୍ଚିଲେ ଆସିଥିଲେ ଯେ ସେଠାରେ;

ହେଲା ପ୍ରତିଷ୍ଠିତ ତହୁଁ ରାମକୃଷ୍ଣ ସଂଘ

ସାଧିବାକୁ ପରହିତ ନାନା ପରକାରେ ।

ଦରିଦ୍ରର ଦୁଃଖରାଶି ଅପନୋଦନରେ

ଅବା ଜୀବ ସେବା–ଜୀବେ ଶିବ ପ୍ରତ୍ୟକ୍ଷିଣ;

ଅଗ୍ନୀଦାହ, ବନ୍ୟା ପୁଣି ଦୁର୍ଭିକ୍ଷ କବଳୁଁ

କରିବାକୁ ମୁକ୍ତ ଅସହାୟ ନରନାରୀ

ନାନା ସେବାବ୍ରତେ ବ୍ରତି ରାମକୃଷ୍ଣ ସଂଘ ।

ସ୍ଵାମୀଙ୍କର ଏ ଉଦାର ବ୍ରତରେ ସହାୟ

ହେବାକୁ ଯୁବକ ବହୁ ଛାଡ଼ିଲେ ସଂସାର;

ହେଲେ କର୍ମଯୋଗୀ, ହେଲେ ସେବାବ୍ରତୀ,

ଛାଡ଼ିଲେ ଜୀବନ ମାୟା, ଲଜ୍ଜା ଘୃଣା ଭୟ ।

ପାଇଣ ଅଭୟ ଗୁରୁଦେବଙ୍କ ପାଖରୁ

ବେଦାନ୍ତ ପ୍ରଚାରେ କେହି, କେହି ଜନସେବା,

ହୋଇଲା ବ୍ରତ କାହାରି ସୁଶିକ୍ଷା ବିସ୍ତାର;

ଏହିରୂପେ ସ୍ଥାପି ସଂଘ ଦୃଢ଼ ଭିତ୍ତି ପରେ

ଚଳିଲେ ବିବେକାନନ୍ଦ ବିଦେଶେ ଆବର ।

ପାଇ ନିମନ୍ତ୍ରଣ ବହୁ ଦେଶ ବିଦେଶରୁ

ପ୍ରଚାରିଲେ ତେଜୋମୟୀ ରାମକୃଷ୍ଣ ବାଣୀ–

ପୂର୍ବ ପୂର୍ବ ଅବତାର ବାଣୀର ସମଷ୍ଟି ।

ସର୍ବତ୍ର ସନ୍ତପ୍ତ ପ୍ରାଣେ ଢାଳି ଶାନ୍ତି ସୁଧା

ବାହୁଡ଼ିଲେ ପ୍ରତିଷ୍ଠିତ ବେଲୁଡ଼ ମଠକୁ–

ରାମକୃଷ୍ଣ ସଂଘ କେନ୍ଦ୍ର ପୃଥିବୀବିଖ୍ୟାତ ।

ରହି କିଛି କାଳ ଗୁରୁ ଭାଇ ଶିଷ୍ୟ ମେଳେ

ବାହୁଡ଼ିଲେ ରାମକୃଷ୍ଣ ଧାମେ–ସାରି କର୍ମ ।

ତାହାଙ୍କର ଗୁରୁଭାଇ ପୁଣି ଶିଷ୍ୟବର୍ଗ

ଦେଲେ ଢାଳି ନିଜ ପ୍ରାଣ ସଂଘର କାର୍ଯ୍ୟରେ ।

“ଜୟ ରାମକୃଷ୍ଣ ଜୟ ଶ୍ରୀ ବିବେକାନନ୍ଦ’’

ଘୋଷୁଛି ପୃଥିବୀ ଆଜି ସ୍ମରି ତାଙ୍କ ଲୀଳା ।

ହେ ବୀର ବିବେକାନନ୍ଦ, ଶୁଣୁ ଶୁଣୁ ଜୟ ଧ୍ଵନି

ଯିବି ଚାଲି ପ୍ରଭୁ ପାଶେ ବାସନା ମୋହର,

କର ଏ ବାସନା ପୂର୍ଣ୍ଣ ମାଗୁଣି ଏତିକି ।

☆☆☆

 

ସ୍ଵାମୀ ବ୍ରହ୍ମାନନ୍ଦ

 

ମାନସ-ନନ୍ଦନ ରୂପେ ରାମକୃଷ୍ଣ କୋଳେ

ବିରାଜିଲ କେତେ କାଳ ହେ ସନ୍ନ୍ୟାସୀବର;

ସେବି ସେବା ପାଇ ଯାପିଗଲ ଦିନ ଭୋଳେ

ରାମକୃଷ୍ଣ ପାଦପଦ୍ମ ମତ୍ତ ମଧୁକର ।

ଆସିଥିଲ ବ୍ରଜଧାମୁଁ; ତେଣୁ ବ୍ରଜଧାମେ

ବାରମ୍ବାର ଯାଇ ତହିଁ କଲ ହେ ସାଧନା;

ଶାନ୍ତି ଲଭୁଥିଲ ସଦା ରାମକୃଷ୍ଣ ନାମେ

ଯେହୁ କୃଷ୍ଣ ସେହୁ ରାମକୃଷ୍ଣ ଏ ଧାରଣା ।

ଶ୍ରୀ ବିବେକାନନ୍ଦ ସ୍ଥାପି ରାମକୃଷ୍ଣ ସଂଘ

ତୁମ୍ଭଙ୍କୁ ଅଧ୍ୟକ୍ଷ ପଦେ କଲେ ତ ବରଣ;

ତୁମ୍ଭକାର୍ଯ୍ୟ ମୁଗ୍‍ଧ ହେଲା କେବଳ କି ବଙ୍ଗ ?

ଧନ୍ୟ ଧନ୍ୟ ରବେ ପୂର୍ଣ୍ଣ ଭାରତ ଗଗନ ।

ଶିଶୁ ସରଳତା ପୁଣି ଗାମ୍ଭୀର୍ଯ୍ୟ ଅପାର

ଦେଖି ତୁମ୍ଭଠାରେ ମୁହିଁ ନମେ ବାରମ୍ବାର ।

☆☆☆

 

ସ୍ଵାମୀ ଶିବାନନ୍ଦ

 

ହେ ଶୁଦ୍ଧ ସ୍ଵଭାବ ଶିବାନନ୍ଦ ଯତିବର

ସମାଧି ଲାଭକୁ ଶେଷ ଉଦ୍ଦେଶ୍ୟ ବିଚାରି,

ବହୁ ଯତ୍ନ କଲ ତୁମ୍ଭେ, କଲ ନିରନ୍ତର

ଶରଣ ଦେଲେ ତୁମ୍ଭଙ୍କୁ ବୈକୁଣ୍ଠ ବିହାରୀ ।

ବହିର୍ମୁଖ ମନ ଦେଉଥିଲା ବହୁ କ୍ଳେଶ

ତେଣୁ ରାମକୃଷ୍ଣ ପାଶେ ହେଲ ଉପସ୍ଥିତ,

ଜିହ୍ଵାରେ କି ଲେଖିଦେଲେ ନ ଜାଣିଲ ଲେଶ

ଅନ୍ତର୍ମୁଖ ହେଲା ମନ, ହେଲା ବ୍ୟବସ୍ଥିତ ।

ସମାଧି ଆସ୍ଵାଦି ଗୁରୁ ଶେଷ ଶଯ୍ୟା ପାଶେ

ପ୍ରାଣ ଦେଇ କଲ ସେବା, ନଷ୍ଟ ହେଲା କର୍ମ;

ଜୀବ ଜଗତର ସେବା ସାଧିବାର ଆଶେ

ସଂଘେ ଯୋଗ ଦେଲ; ପ୍ରଚାରିଲ ଯୁଗଧର୍ମ ।

ରାମକୃଷ୍ଣ ମିଶନର ଦ୍ଵିତୀୟ ଅଧ୍ୟକ୍ଷ

ଧନ୍ୟ ତୁମ୍ଭେ ଧନ୍ୟ ତବ ଜୀବ-ହିତ ଲକ୍ଷ୍ୟ ।

☆☆☆

 

ସ୍ଵାମୀ ରାମକୃଷ୍ଣାନନ୍ଦ

 

ଗୁରୁସେବା-ମନ୍ତ୍ରେ ଦୀକ୍ଷା କରିଣ ଗ୍ରହଣ

ଆସିଥିଲ ହେ ସନ୍ୟାସୀ ପୂତ ଦେହ ଧରି

ଗୁରୁସେବାଦର୍ଶ କରି ଅଚିରେ ସ୍ଥାପନ

ଆଚରିଲ ସେବା ଧର୍ମ ପ୍ରାଣପଣ କରି ।

ସ୍ଵାମୀଜୀଙ୍କ ଆଦର୍ଶରେ କଲ ହେ ପ୍ରଚାର

ରାମକୃଷ୍ଣ-ପ୍ରଦର୍ଶିତ ସନାତନ ଧର୍ମ;

ସାଦରେ ଗ୍ରହଣ କଲ ମଦ୍ର ଦେଶ ଭାର

ଚମତ୍କୃତ ହେଲେ ଲୋକେ ଦେଖି ତୁମ୍ଭ କର୍ମ ।

ତୁମ୍ଭର ପାଣ୍ଡିତ୍ୟ ପୁଣି ତୁମ୍ଭ ଚିନ୍ତାଶକ୍ତି

ଲୋକ ମୁଖେ ପ୍ରସରିଲା ଦାକ୍ଷିଣାତ୍ୟ ଖଣ୍ଡେ;

ମୁଗ୍‍ଧ ହେଲେ ନରନାରୀ ଦେଖି ତବ ଭକ୍ତି

କର୍ମ ଅବସର ବେଳ ନାହିଁ କେଭେ ଦଣ୍ଡେ ।

ରାମକୃଷ୍ଣ-ସେବା ଯାଙ୍କ ଜୀବନର ବ୍ରତ

ତାଙ୍କୁ ପଦେ ଦୀନ ମୁହିଁ ନମଇ ସତତ ।

☆☆☆

 

ସ୍ଵାମୀ ପ୍ରେମାନନ୍ଦ

 

ରାମକୃଷ୍ଣାନନ୍ଦଙ୍କଠୁଁ ରାମକୃଷ୍ଣ-ସେବା

ସ୍ଵଚ୍ଛନ୍ଦ ପ୍ରାଣରେ ତୁମ୍ଭେ କଲ ହେ ଗ୍ରହଣ;

ତୁମ୍ଭ ପରି ପ୍ରେମପୂର୍ଣ୍ଣ ଅଛି ଆଉ କେ ବା

ପ୍ରଭୁଙ୍କ ପୂଜାରେ ନିଯୋଜିବ ପ୍ରାଣ ମନ ।

ପୂର୍ବ ଜନ୍ମେ ଥିଲ ଅବା ଶ୍ରୀକୃଷ୍ଣଙ୍କ ସଖି

ତେଣୁ ଏହି ଜନ୍ମେ ରାମକୃଷ୍ଣ ସଂଘେ ଥାଇ

ବେଲୁଡ଼ ମଠରେ “ମଠ-ମାତା’’ ନାମ ରଖି

ହସି ହସି ଗଲ ଚାଲି କନ୍ଦାଇ କନ୍ଦାଇ ।

ଦେଖି ତୁମ ସୌମ୍ୟ ରୂପ ହୋଇଲେ ଆକୃଷ୍ଟ

ଶତ ଶତ ନରନାରୀ ଧର୍ମରାଜ୍ୟ ପ୍ରତି;

ପ୍ରେମେ ଉଚ୍ଚାରିଲ “ଜୟ ଜୟ ରାମକୃଷ୍ଣ’’,

ଧନ୍ୟ ତୁମ୍ଭେ ଧନ୍ୟ ପ୍ରଭୁ ଅଗତିର ଗତି ।

ଧନ୍ୟ ସେ ଜନନୀ ସମର୍ପିଲେ ପ୍ରଭୁ ପଦେ;

ମତାଇଲେ ପ୍ରାଣ ତବ ରାମକୃଷ୍ଣ-ମଦେ ।

☆☆☆

 

ସ୍ଵାମୀ ଅଖଣ୍ଡାନନ୍ଦ

 

ଭ୍ରମଣ-ପିପାସା ତୁମ୍ଭେ ମେଣ୍ଟାଇବା ପାଇଁ

ତିବ୍ବତ ଦେଶକୁ ଗଲ ବାନ୍ଧିଣ ସାହସ;

ତାଙ୍କ ଭାଷା ଶିଖି ନେଲ ଦୀର୍ଘ କାଳ ଥାଇ

କଟିଗଲା ଦେଖୁ ଦେଖୁ ତିନୋଟି ବରଷ ।

ରାମକୃଷ୍ଣ ମିଶନର ସେବାବ୍ରତ ମୂଳେ

ଗଙ୍ଗାଧର ମହାରାଜ, ତୁମ୍ଭେ ବିଦ୍ୟମାନ;

ଧନ୍ୟ ସେହି, ତୁମ୍ଭେ ଜନମିଲ ଯେଉଁ କୂଳେ

ଯାପିଲ ଜୀବନ-କରି ଅନ୍ନ ବିଦ୍ୟା ଦାନ ।

ତୃତୀୟ ଅଧ୍ୟକ୍ଷ ରାମକୃଷ୍ଣ ମିଶନର,

ନ ଛାଡ଼ିଲ ତୁମ୍ଭର ସେ ଅନାଥ ଆଶ୍ରମ;

ଦେଖାଇଲ ରାମକୃଷ୍ଣ-ଶିଷ୍ୟ ନିରବର

ନାରାୟଣ ଜ୍ଞାନେ ଦିନ ସେବାହିଁ ଉତ୍ତମ ।

ଘେନ ଆହେ କର୍ମୀ ଭକ୍ତ ଘେନ ନମସ୍କାର,

ଦିଅପ୍ରଭୁ-ପଦେ ଭକ୍ତି, ଭିକ୍ଷା ବାରମ୍ବାର ।

☆☆☆

 

ସ୍ଵାମୀ ଅଦ୍ୱୈତାନନ୍ଦ

 

ହେ ‘ବୃଦ୍ଧ ଗୋପାଳ’ ତୁମ୍ଭେ ହେଲ ବିବାହିତ;

ସ୍ଵର୍ଗତା ହୋଇଲେ ଯେବେ ତୁମ୍ଭ ଅର୍ଦ୍ଧାଙ୍ଗିନୀ

ଶ୍ରୀ ପ୍ରଭୁଙ୍କ ଶ୍ରୀଚରଣେ ଲଗ୍ନ ହେଲା ଚିତ୍ତ;

ତୁମ୍ଭଙ୍କୁ ପାରେ କି ବାନ୍ଧି ମାୟା କୁହକିନୀ ?

ଆଣିଲ ଗେରୁଆ ବସ୍ତ୍ର ସାଧୁ ସେବା ଲାଗି,

ଦେଲେ ପ୍ରଭୁ ନିଜ ଶିଷ୍ୟବୃନ୍ଦେ ତାହା ବାଣ୍ଟି;

ତୁମ୍ଭେ ମଧ୍ୟ ତହିଁରୁ ତ ନେଲ ଖଣ୍ଡେ ମାଗି,

ସନ୍ନ୍ୟାସୀ ଜୀବନ ପାଇଁ ହେଲା ମନ ଘାଣ୍ଟି ।

ବରାହ ନଗରେ ଯେବେ ମଠ ପ୍ରତିଷ୍ଠିତ

ତୁମ୍ଭେ ତହିଁ ଆରମ୍ଭରୁ ହେଲ ଅଧିବାସୀ;

କାଶୀଧାମେ ସାଧନାରେ ସ୍ଥିର କରି ଚିତ୍ତ

ହେଲ ଧର୍ମପ୍ରାଣ ପରା ଅଧର୍ମକୁ ନାଶି ।

ବେଲୁଡ଼ରେ ଉଦ୍ୟାନ ରକ୍ଷାର ଭାର ନେଲ;

ବିବେକାନନ୍ଦଙ୍କୁ ସ୍ନେହ ପାଶରେ ବାନ୍ଧିଲ ।

☆☆☆

 

ସ୍ଵାମୀ ଅଦ୍ଭୁତାନନ୍ଦ

 

‘‘ରଖତୁରାମ’ ବାଲ୍ୟକାଳେ ଥିଲା ତୁମ୍ଭ ନାମ;

ବିହାର ପ୍ରଦେଶୁଁ ଆସି ରାମଚନ୍ଦ୍ରାବାସେ

ଚାକିରି କରିଣ ପୂରାଇଲ ମନସ୍କାମ;

ହେଲା ତୁମ୍ଭ ଭାଗ୍ୟୋଦୟ କର୍ମପାଶ ନାଶେ ।

ସାଧୁ ସଙ୍ଗେ ଥାଇ କଟାଇଲ ଦିବାରାତି,

ଶ୍ରୀ ଦକ୍ଷିଣେଶ୍ଵରେ ଗଲ ରାମଚନ୍ଦ୍ର ସଙ୍ଗେ;

ଦେଖିଲ ଶ୍ରୀ ରାମକୃଷ୍ଣ ଦିବ୍ୟଭାବେ ମାତି

ଭକ୍ତ ମେଳେ ଲୀଳା କରୁଛନ୍ତି ନାନାରଙ୍ଗେ ।

ଛାଡ଼ିଲ ଚାକିରି ରାମକୃଷ୍ଣ କୃପାବଳେ,

ଗୁରୁ ସେବା ଆଚରିଲ ମନଃପ୍ରାଣ ଢାଳି;

ଧର୍ମପଥେ ଅଗ୍ରସର ପ୍ରଭୁଙ୍କ କୌଶଳେ

ସଂସାରର କୁ-ବାସନା ଦେଲ ସବୁ ଜାଳି ।

ଧନ୍ୟ ଲଟ୍ଟୁ ମହାରାଜ, ହୋଇଲ ସନ୍ନ୍ୟାସୀ

ଅଦଭୁତାନନ୍ଦ ନାମ ଜାଣେ ବିଶ୍ୱବାସୀ ।

☆☆☆

 

ସ୍ଵାମୀ ଅଭେଦାନନ୍ଦ

 

ରାମକୃଷ୍ଣ ପଦପ୍ରାନ୍ତେ ବାଲ୍ୟକାଳୁଁ ଆସି

ମିଳିଲ ହେ ରାମକୃଷ୍ଣ ଭକ୍ତ ବୃନ୍ଦସଙ୍ଗେ;

ସଂସାର ବାସନାଯାକ ସମୂଳରେ ନାଶି

ପ୍ରଭୁସହ ଯାପିଗଲ ଦିନ ନାନା ରଙ୍ଗେ ।

ଶ୍ରୀ ‘କାକୀ ତପସ୍ଵୀ’ ନାମ ଦେଲେ ଗୁରୁ ଭାଇ

ଅସାମାନ୍ୟ ତପସ୍ୟାରେ ହୋଇ ବିମୋହିତ;

ବୈକୁଣ୍ଠ-ଦର୍ଶନ କଲ ପ୍ରଭୁ କୃପା ପାଇ,

ଧର୍ମପଥୁଁ ଆବର୍ଜନା କଲ ଅପନୀତ ।

ବିବେକାନନ୍ଦ ଇଙ୍ଗିତରେ ପାଶ୍ଚାତ୍ୟ ଦେଶରେ

ସନାତନ ହିନ୍ଦୁଧର୍ମ କଲ ପରଚାର;

ମୁଗ୍‍ଧ କଲା ଜଗଜ୍ଜନେ ସନ୍ନ୍ୟାସୀ ବେଶରେ;

ବାଣୀ ଶୁଣି ସ୍ଵାମିଜୀଙ୍କ ଆନନ୍ଦ ଅପାର ।

ଭାରତକୁ ଫେରି ମତ୍ତ ହେଲ ପ୍ରଭୁ ନାମେ,

କାର୍ଯ୍ୟ ସାରି ଫେରିଗଲ ରାମକୃଷ୍ଣ ଧାମେ ।

☆☆☆

 

ସ୍ଵାମୀ ତୁରୀୟାନନ୍ଦ

 

କାହିଁ ଥିଲ ଆହେ ସତ୍ୟ ପବିତ୍ରତା ମୂର୍ତ୍ତି,

ରାମକୃଷ୍ଣ ପଦପ୍ରାନ୍ତେ ପହଞ୍ଚିଲ ଆସି;

ପ୍ରଭୁଙ୍କ ଜୀବନ ଦେଖି ଉପୁଜିଲା ସ୍ପୁର୍ତ୍ତି;

ଧରାଧାମେ ହେଲ କି ଅମରଧାମ ବାସୀ ?

ଧ୍ୟାନ ଧାରଣାରେ ଢାଳି ମନ ବ୍ରଜଧାମେ

ଭୁଲିଗଲ ଏକାନଟେ ଏ ସଂସାର ଜ୍ଵାଳା;

ଯେବେ ପ୍ରତିଷ୍ଠିତ ସଂଘ ରାମକୃଷ୍ଣ ନାମେ

ପ୍ରଭୁବାର୍ତ୍ତା ପରଚାରେ ହୋଇଲ ଉତାଲା ।

ପାଶ୍ଚାତ୍ୟ ଭୂଖଣ୍ଡେ ଗଲ ସ୍ୱାମିଜୀ ଆହ୍ଵାନେ,

ତୁମ୍ଭର ଜୀବନ ଦେଖି ହେଲା ଜୀବ-ଶିକ୍ଷା;

ଚମତ୍କୃତ ଦେଖି ରାମକୃଷ୍ଣ ସୁସନ୍ତାନେ;

ଗୌରାଙ୍ଗ ଭକତେ ଦେଲ ବ୍ରହ୍ମଜ୍ଞାନ ଦୀକ୍ଷା ।

ରାମକୃଷ୍ଣ–ରାଜ୍ୟେ ସତ୍ୟ ଶୁଦ୍ଧ ଭାବ ଯାର,

ସେ ତୃତୀୟାନନ୍ଦ ପଦେ କୋଟି ନମସ୍କାର ।

☆☆☆

 

ସ୍ୱାମୀ ତ୍ରିଗୁଣାତୀତାନନ୍ଦ

 

ହେ ଶାରଦା ମହାରାଜ, ଶାରଦା-ସେବକ

ବାଲ୍ୟକାଳୁଁ ସଦା ରାମକୃଷ୍ଣ ଏକ ଗତି;

ପ୍ରଭୁ ପ୍ରଭୁ-ପତ୍ନୀ ସେବା ଥିଲା ବ୍ରତ ଏକ,

ଆଜୀବନ ଗଲ ପ୍ରଭୁପଦେ ରଖି ମତି ।

କାଲିଫର୍ଣ୍ଣିୟାରେ ଉଡ଼ାଇଲ ଧର୍ମ୍ମ-ଧ୍ଵଜା,

ପ୍ରତିଷ୍ଠିତ ହିନ୍ଦୁ ଦେବାଳୟ ବହୁ ଯତ୍ନେ;

ହେଲେ ବହୁ ନରନାରୀ ରାମକୃଷ୍ଣ-ପ୍ରଜା

ପାଇ ରାମକୃଷ୍ଣ ପ୍ରଚାରିତ ଧର୍ମ-ରତ୍ନେ ।

ପ୍ରଚାରିଲ ହିନ୍ଦୁଧର୍ମ ମାରକିନ ଦେଶେ

ସେହି କର୍ମେ ଅବଶେଷେ ଉତ୍ସର୍ଗିଲ ପ୍ରାଣ,

ଦେଖା ଦେଇଥିଲ ଯାଙ୍କୁ ସନ୍ନ୍ୟାସୀର ବେଶେ

ଅମର୍ଷ-ଶୂନ୍ୟ ଜୀବନ, ଧନ୍ୟ ତାଙ୍କୁ ଜାଣ ।

ଧନ୍ୟ ହେ ତ୍ରିଗୁଣାତୀତ ଧନ୍ୟ ସେ ଆଦର୍ଶ,

ଯାହା ପାଇଁ କରେ ଗର୍ବ ଏ ଭାରତବର୍ଷ ।

☆☆☆

 

ସ୍ୱାମୀ ଯୋଗାନନ୍ଦ

 

ହେ ସୌମ୍ୟଦର୍ଶନ ଯତି ଆହେ ଧର୍ମପ୍ରାଣ

ପିତୃ ମାତୃ ଭକ୍ତ ପୁତ୍ର ଥିଲ ବାଲ୍ୟକାଳେ,

ସେମାନଙ୍କ ଆଦେଶରେ ଉଦ୍‍ବାହ ବନ୍ଧନ

ଅଙ୍ଗୀକାର କରିଥିଲ ପଡ଼ି ମାୟା ଜାଲେ ।

ହେଲ ଯେବେ ରାମକୃଷ୍ଣ ନୟନ-ପଥିକ

ମାୟାଜାଲ ଗଲା ଛିଣ୍ଡି; ବସି ପଦ-ତଳେ,

କଲ ଜ୍ଞାନ ଭକ୍ତ ଲାଭ ଅଧିକୁଁ ଅଧିକ

କଲେ ପ୍ରଭୁ ଆପଣାର ନିଜ ପ୍ରେମ ବଳେ ।

ଥିଲା ତୁମ୍ଭ ହୃଦୟରେ ସାହସ ଅପାର

ପକାଇଲ ଶ୍ରୀଗୁରୁଙ୍କୁ ସନ୍ଦେହ-ନିକଷେ,

ଗୁରୁଭାଇ-କାର୍ଯ୍ୟ ବନ୍ଦ ଅଛି କେତେବାର

ସନ୍ଦେହୁଁ ଉତ୍ତୀର୍ଣ୍ଣ ହୋଇଥିଲ ଅବଶେଷେ ।

ହେ ତପସ୍ଵୀ, ଗୁରୁ ଗୁରୁ-ପତ୍ନୀ ସେବାବ୍ରତୀ,

ହେ ଈଶ୍ଵର କୋଟି ଘେନ ଅସଂଖ୍ୟ ପ୍ରଣତି ।

☆☆☆

 

ସ୍ଵାମୀ ନିରଞ୍ଜନାନନ୍ଦ

 

ସୁଦୀର୍ଘ ବଳିଷ୍ଠକାୟ ନିତ୍ୟ ନିରଞ୍ଜନ

ଭୁତ ବାଜି ଘେନିଥିଲ ଆପଣାକୁ ଭୁଲି,

ଲଭି ପ୍ରଭୁ ରାମକୃଷ୍ଣ ପୂତ ଦରଶନ

ନୟନରୁ ଅବିଳମ୍ବେ ଘୁଞ୍ଚାଇଲ ଠୁଳି ।

ନରଞ୍ଜନ-ନିଷ୍କଳଙ୍କ ହୃଦୟଭୂଷିତ,

ସରଳ ପରାଣେ ନ ଥିଲା ତ ଆବର୍ଜନା।

ଈଶ୍ଵର ପ୍ରାପତି ଲାଗି ହୃଦୟ ତୃଷିତ,

କୋମଳ କଠିନ ତାହା ଅଦ୍ଭୁତ ସର୍ଜନା ।

ଗୁରୁ ନିନ୍ଦା କେଭେ ତୁମ୍ଭେ ପାରିନାହଁ ସହି

ମାତୃସେବା ଜୀବସେବା ଥିଲା ତୁମ୍ଭ ବ୍ରତ,

ଅନ୍ତକାଳେ ଗୁରୁଦେବ ଶଯ୍ୟା ପାଶେ ରହି

ଅମାନୁଷୀ ସେବାଧର୍ମେ ହୋଇଥିଲ ରତ ।

ସତ୍ୟପ୍ରିୟ ପୂତ ରାମକୃଷ୍ଣ ଅନ୍ତରଙ୍ଗ,

ହେ ତପସ୍ଵୀ, ଦିବ୍ୟ ଜ୍ୟୋତିର୍ମୟ ତବ ଅଙ୍ଗ ।

☆☆☆

 

ସ୍ଵାମୀ ନିର୍ମଳାନନ୍ଦ

 

ହେ ତୁଳସୀ ମହାରାଜ ନିର୍ମଳ ଅନ୍ତର

ବାଲ୍ୟକାଳୁ ରାମକୃଷ୍ଣ ପଦପ୍ରାନ୍ତେ ବସି,

ଘେନିଲ ସଂସାର-ତ୍ୟାଗ ପବିତ୍ର ମନ୍ତର

ଏକ ମନେ ପ୍ରଭୁକାର୍ଯ୍ୟ କଲ ହସି ହସି ।

ଡୁଗିତବଲା ବାଦ୍ୟରେ ଥିଲ ସିଦ୍ଧହସ୍ତ

ଦିବ୍ୟଗାନେ ମାତିଲ ଶ୍ରୀ ନରେନ୍ଦ୍ରଙ୍କ ସଙ୍ଗେ;

ତୀର୍ଥେ ତୀର୍ଥେ ପୂତପ୍ରାଣେ କଲ କେତେ ଗସ୍ତ

କଟାଇଲ ଦିନ, ଛାଡ଼ି ଜନ୍ମଭୂମି ବଙ୍ଗେ ।

ମହୀଶୂରେ ରାମକୃଷ୍ଣ-ପଦାଶ୍ରିତ ଭକ୍ତ

ପାଇଣ ତୁମ୍ଭଙ୍କୁ ଆଚରିଲେ ଭକ୍ତି ଜ୍ଞାନ,

ତୁମ୍ଭରି କୃପାରୁ ପ୍ରଭୁ ନାମେ ଅନୁରକ୍ତ

ସଂସାର ଜ୍ୱାଳାରୁ ପାଇଥିଲେ ପରିତ୍ରାଣ ।

ଶ୍ରୀ ବିବେକାନନ୍ଦ ସ୍ନେହ ଶ୍ରଦ୍ଧା କରି ଲାଭ

ରାମକୃଷ୍ଣ ଉପୁଜିଲା ଜଗଦ୍‍ଗୁରୁ ଭାବ ।

☆☆☆

 

ସ୍ଵାମୀ ବିଜ୍ଞାନାନନ୍ଦ

 

ହେ ହରିପ୍ରସନ୍ନ, ଶ୍ରୀ ସାରଦାନନ୍ଦ ସଙ୍ଗେ

ରାମକୃଷ୍ଣ ଦରଶନ ଲଭି ଶୁଭ କ୍ଷଣେ,

ଦିବ୍ୟ ବସ୍ତୁ ଲଭି ମାତିଗଲ ନାନା ରଙ୍ଗେ,

ଧ୍ୟାନେ ମତ୍ତ ହେଲ ପଞ୍ଚବଟୀର ଆସନେ ।

ଦିବ୍ୟ ଲେଖା ଦେଲେ ଲେଖି ତୁମ୍ଭ ରସନାରେ

ରାମକୃଷ୍ଣ ଭକ୍ତାଧୀନ ତୁମ୍ଭ ଧ୍ୟାନ ଲାଗି;

ହୋଇଲ ଉନ୍ମତ୍ତ ବିଭୁ ଲାଭ-ବାସନାରେ

ପ୍ରଭୁଙ୍କ କୃପାରୁ ପୁଣି ହେଲ ବଇରାଗୀ ।

ହେ ଯନ୍ତ୍ର-ନିର୍ମାତା ମଠ ମନ୍ଦିର ନିର୍ମାଣେ

ଦେଖାଇଲ ଅର୍ଜିଥିବା ଅଦ୍ଭୁତ କୌଶଳ;

ହେ ବ୍ରହ୍ମଜ୍ଞ ସ୍ଥାପି ପ୍ରଭୁ ମୂର୍ତ୍ତି ମଠାଙ୍ଗନେ

ଦେଖାଇଲ ବ୍ରହ୍ମଜ୍ଞ ଭକ୍ତର ମନୋବଳ ।

ନିର୍ଜନତାପ୍ରିୟ ଆହେ ଗମ୍ଭୀର ପ୍ରକୃତି

କରି ବୁଦ୍ଧେ ଦରଶନ ଗଲ ପ୍ରଭୁ କତି ।

☆☆☆

 

ସ୍ଵାମୀ ସୁବୋଧାନନ୍ଦ

 

ସୁଧାର୍ମିକ-ପିତା ମାତାଠାରୁ ତୁମ୍ଭେ ଜାତ,

ମାତା ଶୁଣାଇଲେ ରାମାୟଣ ଆଦି ଗ୍ରନ୍ଥ ।

ତୁମ୍ଭଠାରେ ସତ୍ୟନିଷ୍ଠା ଥିଲା ପ୍ରତିଭାତ,

ବିଚରିଲ ଥାନ୍ତି ଯହିଁ ଶୁଦ୍ଧ ସାଧୁ ସନ୍ଥ ।

ରାମକୃଷ୍ଣ ଶ୍ରୀଚରଣେ ନେଲ ହେ ଶରଣ,

ଜିହ୍ଵାରେ ଲେଖିଲେ କିବା ଅଦଭୁତ ମନ୍ତ୍ର,

ଗଭୀର ଧ୍ୟାନରେ ମତ୍ତ ସେହିଦିନୁଁ ମନ

ହୋଇଗଲ ଶ୍ରୀପ୍ରଭୁଙ୍କ ଶ୍ରୀହସ୍ତରେ ଯନ୍ତ୍ର ।

ବାଲ୍ୟକାଳୁଁ କଲ ତୁମ୍ଭେ ଜ୍ୟୋତି ଦରଶନ

ହେ ଉନ୍ମୁକ୍ତମନା, ପ୍ରଭୁ–ଶକ୍ତିରେ ବିଶ୍ୱାସୀ,

କାଶୀ ଧାମେ ତପସ୍ୟାରେ ହୋଇଲ ମଗନ,

ଧନ୍ୟ ତୁମ୍ଭ ପ୍ରାଣ, ଧନ୍ୟ ପର ଦୁଃଖ ନାଶୀ।

ଘେନ ‘ଖୋବା ମହାରାଜା’ ଘେନ ନମସ୍କାର,

ସରଳ ବିଶ୍ୱାସେ ପଟାନ୍ତର ନାହିଁ ଯାର ।

☆☆☆

 

ଶ୍ରୀ ଗୌରାଙ୍ଗ

 

ପୋଡ଼ି ମରୁଛନ୍ତି

ତ୍ରିତାପ ତାପରେ

ନିରୀହ ମାନବ ଜାତି,

ଆସିଲ କି ତୁମ୍ଭେ

ନବଦ୍ଵୀପ ଧାମେ

ଦହିଲା କି ତୁମ୍ଭ ଛାତି ?

ବିଶ୍ଵରୂପ ପରା

ସନ୍ନ୍ୟାସୀ ବେଶରେ

ଯାଇଛନ୍ତି ଘର ଛାଡ଼ି,

କେଉଁ ପ୍ରାଣେ ତୁମ୍ଭେ

ଛାଡ଼ିଲ ସଂସାର

କହ କି କାରଣ ବାଢ଼ି ।

କୃଷ୍ଣ ନାମେ ହେଲ

ସଦା ଉନମତ୍ତ

କିବା ଦିନ କିବା ରାତି;

ଶୟନ ସ୍ଵପନ

ସବୁ ପାସୋରିଲ

ସେହୁ କୃଷ୍ଣ ନାମେ ମାତି ।

ତୁମ୍ଭରି ଆହ୍ଵାନେ

ଆସିଲେ ନିତାଇ

ହେଲା ଦୁହିଁଙ୍କ ମିଳନ,

ଦୁହେଁ ମିଳିଯାଇ

ଘରେ ଘରେ ପଶି

ନାମ କଲ ବିତରଣ ।

ସଂସାରୀ ମାନବେ

ହରି ନାମ ପାଇ

ହୋଇଲ ନାମରେ ଭୋଳ,

ଗ୍ରାମେ ଗ୍ରାମେ ହେଲା

ହରି ସଂକୀର୍ତ୍ତନ

ଶୁଭିଲା ମୃଦଙ୍ଗ ରୋଳ ।

ଜୀବ ପ୍ରତି ଦୟା

ହରି ନାମେ ରୁଚି

ଆବର ବୈଷ୍ଣବ ସେବା,

ସାର ଧର୍ମ ଏହି

ପ୍ରଚାରିଲ ଭବେ

ବୁଝି ନ ପାରିଲେ କେବା ?

ପଣ୍ଡିତମାନଙ୍କ

ଦର୍ପ ଚୂର୍ଣ୍ଣ ହେଲା

ତୁମ୍ଭରି ପାଣ୍ଡିତ୍ୟ ବଳେ,

ଛାଡ଼ି ବୃଥା ଦମ୍ଭ

ସର୍ବେ ନେଲେ ନାମ

ଭାସି ପ୍ରେମ-ଅଶ୍ରୁ-ଜଳେ ।

ପୂର୍ଣ୍ଣମୀରେ ତୁମ୍ଭେ

ହେଲ ଅବତୀର୍ଣ୍ଣ

ପୂର୍ଣ୍ଣକ ଲ ମନସ୍କାମ,

ତୁମ୍ଭରି ଦୟାରୁ

ପ୍ରେମପୂର୍ଣ୍ଣ ପ୍ରାଣେ

ନିଏ ଜୀବ ହରି ନାମ ।

‘ତୃଣାଦପି’ ଶ୍ଳୋକ

ଶୁଣାଇ ମାନବେ

କଲ ବହୁ ଉପକାର,

ଶିଖିଲା ମାନବେ

ଦୈନ୍ୟ ସହିଷ୍ଣୁତା

ଘେନ ଦେବ ନମସ୍କାର ।

☆☆☆

 

ଶ୍ରୀ ନିତ୍ୟାନନ୍ଦ

 

ଯୀଶୁଖ୍ରୀଷ୍ଟ ଭଳି ଆଉ କ୍ଷମା ଅବତାର

ଏ ଭବେ ନଥିଲେ କେହି ବହୁକାଳ ଧରି;

ଶ୍ରୀ ଗୌରାଙ୍ଗ ନିମନ୍ତ୍ରଣେ ଆବିର୍ଭାବ ଯାର,

ସେହି ନିତ୍ୟାନନ୍ଦ କ୍ଷମା ବିହିଲେ ଆଚରି ।

ଜଗାଇ ମାଧାଇ ଯାଙ୍କ ଫଟାଇଲେ ମୁଣ୍ଡ

ମୁଖୁଁ ନ ସ୍ପୁରିଲା ଯାଙ୍କ ଅଭିଶାପ ବାଣୀ,

“ପ୍ରେମ ଦେବି’’ ବୋଲି ଯାଙ୍କ ଘୋଷିଥିଲା ତୁଣ୍ଡ,

ପ୍ରେମ ଦାତା ନିତ୍ୟାନନ୍ଦ ସେହି ରଖ ଜାଣି ।

ଶ୍ରୀ ଗୌରାଙ୍ଗ ସହ ସେହୁ ହୋଇଲେ ସନ୍ନ୍ୟାସୀ

ଗୃହୀରୂପେ ଯାପିବ କେ ଆଦର୍ଶ ଜୀବନ ?

ତେଣୁ ସେ ସଂସାରୀ ହେଲେ ନିଜ ସ୍ୱାର୍ଥ ନାଶି,

ସେହି ନିତ୍ୟାନନ୍ଦ ଲୋକ-କଲ୍ୟାଣ କାରଣ ।

ଯେହୁ ନାମ-ପ୍ରେମେ ମତାଇଲେ ନିଜେ ମାତି,

ସ୍ମରଣ କର.ତୁ ମନ ତାଙ୍କୁ ଦିବାରାତି ।

☆☆☆

 

ଶ୍ରୀ ରାମଚନ୍ଦ୍ର

 

କୌଶଲ୍ୟା ନନ୍ଦନ ଶ୍ରୀରାମଚନ୍ଦ୍ର ହେ

ଶ୍ରୀ ଦଶରଥଙ୍କ ସୂତ,

ସାକେତ ନଗରୀ ଭୁଷଣଟି ତୁମ୍ଭେ

ଅଟେ ତୁମ୍ଭ ନାମ ପୂତ ।

ଅବତୀର୍ଣ୍ଣ ହେଲ ଏ ମର ଜଗତେ

ଆଦର୍ଶ ଜୀବନ ଧରି,

ତୁମ୍ଭ ଆବିର୍ଭାବେ ଏ ଭାରତ ଭୂମି

ହେଲା ତୁମ୍ଭ ଅନୁସାରି ।

କଲ ବନବାସ ପିତୃ ସତ୍ୟ ଲାଗି

ଲକ୍ଷ୍ମଣ ସୀତା ସହିତ,

ତବ ପ୍ରଜାପୁଞ୍ଜ ହୋଇଲେ ବିକଳ

ଅଯୋଧ୍ୟା ରାମ-ରହିତ ।

ଯୁବରାଜ ହୋଇ ନ ପାରିଲ ଦେବ

କଲ ଅଭିଯାନ ବନେ,

ସାଧୁ ପରିତ୍ରାଣ ଦୁଷ୍କୃତ ବିନାଶ

ପଡ଼ିଗଲା କି ହେ ମନେ ?

ଅସୁର ସଂହାରି ବନେ ବନେ ଯେବେ

ଭ୍ରମୁଥିଲ ସୀତାପତି,

ଋଷି ମୁନିଠାରୁ ଚଣ୍ଡାଳ ପର୍ଯ୍ୟନ୍ତ

କଲେ ତୁମ୍ଭଙ୍କୁ ପ୍ରଣତି ।

କରୁଥିଲେ ଯେହୁଁ ତପ ବହୁକାଳୁଁ

ଏଭଳି ତପସ୍ଵୀଗଣ,

ଆପଣା ଜୀବନ ମଣିଲେ ସାର୍ଥକ

ପାଇ ତବ ଦରଶନ ।

ପାପ ପରାୟଣ ଅସୁର ସମାଜ

ତ୍ୟଜି ପ୍ରାଣ ତୁମ୍ଭ ଶରେ,

ସ୍ୱରଗର ଯାତ୍ରୀ ହୋଇଲେ ଅବା କି

କୃପା କଲ ଅଗୋଚରେ ।

ସୀତାଙ୍କୁ ଉଦ୍ଧାରି ରାବଣ କବଳୁଁ

କଲ ଅଯୋଧ୍ୟାକୁ ଯାତ୍ରା,

ପ୍ରଜାପ୍ରୀତି ଯୋଗୁଁ ସୀତା ବନବାସ

ବଳିଲା କି ନ୍ୟାୟମାତ୍ରା ?

ବାଳିଙ୍କି ସଂହାରି ତାରା କନ୍ଦାଇଲ

କେଜାଣି କି ପାପ ଫଳେ,

ସମର୍ପିଲ ସୁଗ୍ରୀବଙ୍କୁ ବାଳି ରାଜ୍ୟ

କେଜାଣି ବା କେଉଁ ଛଳେ ।

ଭକ୍ତ ବୀର ହନୁମାନ ତୁମ୍ଭଠାରେ

ନୂଆଁଇଲେ ନିଜ ମଥା,

ଭକ୍ତ ଭଗବାନ ହୋଇଲେ ମିଳିତ

ମଣି ଓ କାଞ୍ଚନ ଯଥା ।

ପତିତ ପାବନ ସୀତା ରାମ ନାମ

ଅଟେ ବିଦିତ ଜଗତେ,

ତୁମ୍ଭ ପରି ରାଜା ପୁତ୍ର ଓ ଅଗ୍ରଜ

ଜନମନ୍ତୁ ଏ ମରତେ ।

☆☆☆

 

ଶ୍ରୀ ଲକ୍ଷ୍ମଣ

 

ବନ୍ଦେ ଜୟ ରାମାନୁଜ ଦଶରଥ ସୂତ

ଭ୍ରାତୃଭକ୍ତି ଆଦରଶ ଦେଖାଇ ଜଗତେ,

ଦେଖାଇଲ ବୀରପଣ ଅତୀବ ଅଦ୍ଭୁତ ।

ଦୁର୍ବଳ ମାନବ ତାହା ଯିବ କି ପରତେ ?

ବନବାସ ଯେବେ ରାମ କଲେ ଅଙ୍ଗୀକାର

ପିତୃସତ୍ୟ ପାଳନରେ ହୋଇ ଦୃଢ଼ପଣ,

କ୍ରୋଧାଗ୍ନି-ସ୍ପୁଲିଙ୍ଗ ତବ ନୟନୁ ବାହାରି

କଲା ବିଚଳିତ ଧୀର ଅଗ୍ରଜଙ୍କ ମନ ।

ଇନ୍ଦ୍ରଜିତ ଶକ୍ତି-ଶେଳେ ଚେତା ଗଲା ବୁଡ଼ି,

ବିକଳ ପ୍ରାଣରେ ନେଇ ରାମଚନ୍ଦ୍ର କୋଳେ,

କାନ୍ଦିଲେ କାତରେ ତାଙ୍କ ବୁଦ୍ଧି ଗଲା ହୁଡ଼ି

“ସୁମିତ୍ରା ନନ୍ଦନ’ ବୋଲି ଡାକୁଥାନ୍ତି ଭୋଳେ।

ଅଗ୍ରଜ ସହିତ ତୁମ୍ଭେ କଲ ବନବାସ,

କରି ଅହରହ ସେବା ପୂରାଇଲ ଆଶ ।

 

୩୦।୧୨।୪୫

☆☆☆

 

ଶ୍ରୀକୃଷ୍ଣ

 

ଗୋପିଗଣ ପ୍ରାଣାରାମ ଯଶୋଦାନନ୍ଦନ

ଅବତୀର୍ଣ୍ଣ ହେଲ ଯେବେ ଏ ଭାରତବର୍ଷେ,

ଆଚରିଲ ମହାତେଜେ ଦୁର୍ବୃତ୍ତ ଦଳନ,

ପାଇ ପରିତ୍ରାଣ ମାତିଗଲେ ସାଧୁ ହର୍ଷେ ।

ତୁମ୍ଭେ ପରା କୁରୁକ୍ଷେତ୍ରେ ଅର୍ଜୁନ ସାରଥୀ

ବିଜୟ ତିଳକ ଦେଲ ଅର୍ଜୁନଙ୍କ ଭାଲେ,

ପ୍ରଚାରିଲ ଗୀତା-ଧର୍ମ ସର୍ବ ଶାସ୍ତ୍ର ମଥି

କଲ ମୁକ୍ତ ଥିଲେ ଯେହୁ ପଡ଼ି ମାୟାଜାଲେ ।

ସେହି ତୁମ୍ଭେ ଗୋପିଗଣ ମାନସବିହାରୀ,

ରାସକ୍ରୀଡ଼ା ଭିଆଇଲ ଗୋପିଜନ ସଙ୍ଗେ,

ଶ୍ରୀରାଧା ସମୀପେ ହେଲ ପ୍ରେମର ଭିକାରୀ,

କେମନ୍ତେ ବୁଝିବି ମାତିଥିଲ କେଉଁ ରଙ୍ଗେ ।

ତୁମ୍ଭର ମହିମା ଅଟେ ଅଗମ୍ୟ ଅପାର,

ତୁମ୍ଭେ ପରା ଅଗଣନ ରସ ପାରାବାର ।

 

୨୮।୧।୪୬

☆☆☆

 

ଧ୍ରୁବ

 

ଧନ୍ୟ ଧନ୍ୟ ଆହେ ସୁନୀତି ନନ୍ଦନ

ଉତ୍ତାନପାଦଙ୍କ ସୁତ,

ନମନ୍ତି ବାଳକ ବାଳିକା ତୁମ୍ଭଙ୍କୁ

ଅଟେ ତୁମ୍ଭ ପ୍ରାଣ ପୂତ ।

ପିତାଙ୍କ କ୍ରୋଡ଼କୁ କରନ୍ତେ ଆଶ୍ରୟ

ପିତା ଦେଲେ ଦୁରେ ଠେଲି,

ସୁରୁଚି ଭୟରେ ସଶଙ୍କିତ ରାଜା

ନ ଚାହିଁଲେ ଆଖି ମେଲି ।

ମାତାଙ୍କ ସକାଶେ ଅଭିମାନୀ ଧ୍ରୁବ

ଜଣାଇଲେ ମନ ଦୁଃଖ,

ମା’ ବୋଲେ ‘ଡାକ ତୁ ଶ୍ରୀ ମଧୁସୁଦନେ

ପାଇବୁ ସକଳ ସୁଖ ।

ଧ୍ରୁବ କହେ, ମାତଃ କେଉଁଠି ଥାଆନ୍ତି

କହ ସେ ମଧୁସୂଦନ

ସୁନୀତି କହିଲେ ଘୋର ଜଙ୍ଗଲରେ

ପାଇବୁ ତାଙ୍କ ଦର୍ଶନ ।

ରାତିଯାକ ଶିଶୁ ଶୋଇ ନ ପାରିଲା

ନିରନ୍ତର ଛଟପଟ,

ଘୋର ନିଦ୍ରାଦେଶେ ମାତା ଅଭିଭୂତ

ଦେଲା ବାଳକ ଚମ୍ପଟ ।

ତମିସ୍ରା ରଜନୀ ଶ୍ଵାପଦ ସଙ୍କୁଳ

ବାଟ ଯାଉନାହିଁ ଦେଖା,

ବିକଳେ ବାଳକ ଡାକଇ ପ୍ରଭୁଙ୍କୁ

ନ ଦେଖଇ ଆଶା-ରେଖା ।

ଏମନ୍ତ ସମୟେ ଭେଟିଲା ନାରଦେ

ଋଷିବର ଦୟା ବହି,

ବାଳକେ ପୁଚ୍ଛିଲେ ଉଦ୍ଦେଶ୍ୟ ତାହାର

ଧ୍ରୁବ ଦେଲା ସବୁ କହି ।

ଶ୍ରୀ ହରି ଦର୍ଶନେ କରିବାକୁ ଯୋଗ୍ୟ

ଦେଲେ ସେ ଧ୍ରୁବଙ୍କୁ ଦୀକ୍ଷା,

ହରି ପାଦପଦ୍ମ-ଦର୍ଶନ-ସହାୟ

ଦେଲେ ତାକୁ ବହୁ ଶିକ୍ଷା ।

ବହୁକାଳ ଧ୍ରୁବ ଆଚରି ତପସ୍ୟା

ଦେଲେ ହରିଙ୍କୁ ସନ୍ତୋଷ,

ଦେଇ ଧ୍ରୁବେ ହରି ସୁଦୁର୍ଲଭ ବର

ମନରୁ ପୋଛିଲେ ରୋଷ ।

ଧ୍ରୁବ ପାଇଁ ହେଲା ଧ୍ରୁବ ଲୋକ ସୃଷ୍ଟ

ଆକାଶରେ ଧ୍ରୁବତାରା,

ଶ୍ରୀହରିଙ୍କ ଶ୍ରୀଚରଣ ଆଶ୍ରାଫଳେ

ବନ୍ଧୁଟି ପୃଥିବୀ ସାରା ।

ଦୁଃଖିନୀ ଜନନୀ ଦୁଃଖ କଲେ ଦୂର

ଶ୍ରୀହରି କରୁଣା ପାଇ,

ଜନକଙ୍କ ଅନ୍ତେ ହେଲେ ଧ୍ରୁବ ରାଜା

କିଏ ବା ଜାଣଇ ନାହିଁ ?

ଧନଜନ ଗୋପ ଲକ୍ଷ୍ମୀ ହେଲା ପ୍ରାପ୍ତି

ଶ୍ରୀହରି ଭକତି ବଳେ,

ଭକତ ନୁହଇ ଲକ୍ଷ୍ମୀଛଡ଼ା କେଭେ

ସତକଥା ମହୀତଳେ ।

ଧନ୍ୟ ଭକ୍ତ ଧ୍ରୁବ ଧନ୍ୟ ଭଗବାନ

ଦେଖାଇଲ ଜଗଜ୍ଜନେ,

ଶ୍ରୀହରି ଚରଣେ ନିଏ ଯେ ଶରଣ

ସୁଖଶାନ୍ତି ତା’ ଗହଣେ ।

☆☆☆

 

ପ୍ରହ୍ଲାଦ

 

ଦୈତ୍ୟକୁଳ ଶିରୋମଣି ଭକତ ପ୍ରବର

ଦେଖାଇଲ ଜଗତକୁ ଭକତି ପ୍ରଭାବ,

ଥିଲା ତୁମ୍ଭର ହୃଦୟ ଭକତି ନିର୍ଝର

ଯଥାର୍ଥ ଭକତ ବିନା କେ କରିବ ଠାବ ?

ହିରଣ୍ୟକଶିପୁ ସୁତ ! ବୈଷ୍ଣବ ପ୍ରଧାନ

ଶୈବ ପିତାଙ୍କର ଆଜ୍ଞା ନ ପାରିଲ ପାଳି,

ପୁରିଥିଲା କୃଷ୍ଣ-ଭକତିରେ ତୁମ୍ଭ ପ୍ରାଣ

‘କ’ ଅକ୍ଷର ଦୃଷ୍ଟେ ଅଶ୍ରୁ ଦେଉଥିଲ ଢାଳି ।

କୃଷ୍ଣଭକ୍ତି ନାଶିବାକୁ କଲେ ପିତା ଯତ୍ନ

ଯେତେବେଳେ ସବୁ ଚେଷ୍ଟା ହୋଇଲା ବିଫଳ,

ମହାଶତ୍ରୁ ପାଲଟିଲେ, ଶେଷେ ପୁତ୍ର ରତ୍ନ

ନେବା ପାଇଁ ପ୍ରାଣ ପିତା ପାଞ୍ଚିଲେ କୌଶଳ ।

ହସ୍ତୀପଦତଳେ, ଜଳଡ଼ୁବି, ବିଷଦାନ,

ସବୁ ବିପଦରୁ ରକ୍ଷା କଲେ ଭଗବାନ ।

☆☆☆

 

ବୁଦ୍ଧଦେବ

 

ଜୀବ ଦୁଃଖେ ହୋଇ ଦୁଃଖୀ ଆହେ ଭଗବାନ

କପିଳବାସ୍ତୁରେ ଶୁଦ୍ଧୋଦନଙ୍କ ଔରସେ,

ଜନମିଲ ନବ ଭାବ କରିବାକୁ ଦାନ

ଆଣିବାକୁ ଭୂଭାରତ ଆପଣାର ବଶେ ।

ପ୍ରଚାରି ଅହିଂସା ଧର୍ମ ହିଂସା କଲ ଦୂର,

ବିନିମୟେ ଆପଣାର ଅମୂଲ୍ୟ ଜୀବନ,

ଇତର ପ୍ରାଣୀର ପ୍ରାଣ ରଖିଲ ହେ ସୁର,

ତୁମ୍ଭଠାରୁ ତ୍ୟାଗ ଶିକ୍ଷା କଲା ଏ ଭୁବନ ।

ପ୍ରାଣ ପଣ କରି ତୁମ୍ଭେ କଲ ହେ ସାଧନା,

ଦେଖାଇଲ ସଂକଳ୍ପର କି ଅଦ୍ଭୁତ ଟାଣ,

ଦିବ୍ୟାଲୋକ କଲେ ଲାଭ ଯେହୁ ବାଟବଣା,

ନବଭାବେ ଉଦବୁଦ୍ଧ ନରନାରୀ ପ୍ରାଣ ।

ଯାବତ ଭାରତେ ଥିବ ଗଙ୍ଗା ହିମାଳୟ,

ଗାଉଥିବେ ଲୋକେ ‘ଜୟ ବୁଦ୍ଧଦେବ ଜୟ ।’

 

୨୦।୧୨।୪୫

☆☆☆

 

ଯିଶୁଖ୍ରୀଷ୍ଟ

 

ପ୍ରାଚ୍ୟଖଣ୍ଡେ ତୁମ୍ଭେ ଲଭିଲ ଜନମ

ପ୍ରତୀଚ୍ୟକୁ କଲ ବଶ,

ପ୍ରାଚ୍ୟ ପ୍ରତୀଚ୍ୟର ମନୀଷୀ ସକଳ

ଘୋଷୁଛନ୍ତି ତବ ଯଶ ।

ହେ ମେରି –ସନ୍ତାନ ପୃଥିବୀକୁ ଆସି

ଯାପିଲ ଦିବ୍ୟ ଜୀବନ,

ଆଜି କୋଟି କୋଟି : ନରନାରୀ ସର୍ବେ

ବନ୍ଦନ୍ତି ତୁମ୍ଭ ଚରଣ ।

ନୀଚ କୁଳୁଁ ନେଲ ଶିଷ୍ୟ ବାଛି ତୁମ୍ଭେ

ଧନୀ ଗର୍ବ କଲ ଚୂର,

ଉଚ୍ଚ ନୀଚ ନରେ ଏକାସନ ଦେଲ

ଭେଦ ବୁଦ୍ଧି କଲ ଦୂର ।

ସେ ଦିବ୍ୟ ପରଶେ କୋଷ୍ଠୀ ପାଇଗଲା

ଅପୂର୍ବ ସ୍ଵାସ୍ଥ୍ୟ ବିଭବ;

କେତେ କେତେ ଅଇଶ୍ଵର୍ଯ୍ୟ ଦେଖାଇଲ

ନିତି ନିତି ନବ ନବ ।

ଯେତେ କାଳ ଥିଲ ଏହି ମରତରେ

ଶୁଣାଇଲ ଦିବ୍ୟ ବାଣୀ,

ଉଦ୍ଧୁରିଲେ ଯାହା ବଳେ ନର ନାରୀ

କିଏ ଅବା ନାହିଁ ଜାଣି ।

ପିତୃରୁପେ ଈଶ୍ଵରଙ୍କୁ ପ୍ରଚାରିଲ

ନିଜକୁ ତାଙ୍କ ସନ୍ତାନ,

ଐକ୍ୟ ଦରଶାଇ ପିତାପୁତ୍ରଙ୍କର

ସାଧିଲ ବହୁ କଲ୍ୟାଣ ।

ଯେଉଁମାନଙ୍କର ସାଧିଥିଲ ହିତ

ହୋଇଲେ କୃତଘ୍ନ ପରା,

ସାଧିଲେ ତୁମ୍ଭର ଅହିତ ଅନ୍ତିମେ

ଏହିଭଳି ସିନା ଧରା !

କ୍ରୁଶବିଦ୍ଧ କଲେ ଯେଉଁମାନେ ଆହା

ତୁମ୍ଭରି ପବନ ଅଙ୍ଗ,

କଲ କ୍ଷମାଭିକ୍ଷା ସେମାନଙ୍କ ପାଇଁ

ଏହା ତ ଅପୂର୍ବ ରଙ୍ଗ ।

“ହେ ପରମ ପିତା, ଜାଣନ୍ତି ନାହିଁ ତ

କି କୁକର୍ମ ଆଚରଣ,

କରନ୍ତୁ ଏମାନେ, କ୍ଷମ ତାଙ୍କୁ ପ୍ରଭୋ

ଘେନ ମୋର ଆକିଞ୍ଚନ ।”

ଦୁର୍ବୃତ୍ତ ଉପରେ କ୍ରୋଧ ପରିହରି

ତାଙ୍କୁ କ୍ଷମା କରି ଦାନ,

ଏ ମର୍ତ୍ତ୍ୟେ ରଖିଲ ଅକ୍ଷୟ କୀରତି

ହେବ ନାହିଁ ଯାହା ମ୍ଳାନ ।

ଏ କ୍ଷମାର ବାଣୀ ଦେଶଦେଶାନ୍ତରେ

ପଶିଲା ଶ୍ରବଣ ଯାର,

ଶିର ତା’ର ଦେବ ତୁମ୍ଭ ଶ୍ରୀଚରଣେ

ନତ ହେଲା ବାରମ୍ବାର ।

ଧରମ ରାଇଜେ ଏହି କ୍ଷମା ଲାଗି

ଉଡ଼ୁଅଛି ତୁମ୍ଭ ଧ୍ଵଜା,

ଅତ୍ୟୁନ୍ନତ ଦେଶେ ଶରଣ ତୁମ୍ଭରି

ନେଉଛନ୍ତି ରାଜା ପ୍ରଜା ।

ଜୟ ଯୀଶୁଖ୍ରୀଷ୍ଟ ଜୟ ମେରିପୁତ୍ର

ଜନ୍ ଆଦି ଭକ୍ତ-ଗୁରୁ

ମାଗୁଣି ମୋହର ସେ ଚରିତ ସ୍ମରି

ମୋ ଶୁଭ ବାସନା ପୂରୁ ।

☆☆☆

 

ଶ୍ରୀ ଶଙ୍କର

 

କ୍ଷିଣ ଆୟୁ ଘେନି ଜନମିଲ ଏ ଜଗତେ

ଅଠେଇଶ ବର୍ଷ ମାତ୍ର ଶରୀର ଧାରଣ,

ଅସାଧ୍ୟ ସାଧିଲ, ଯିବି କିପରି ପରତେ

ଏହି ଅଳ୍ପ ସମୟରେ ଭୁବନ ପାବନ ।

ଗୀତା ଉପନିଷଦର ଦିବ୍ୟ ଭାଷ୍ୟ ରଚି

ପାଣ୍ଡିତ୍ୟର ପରାକାଷ୍ଠା ଦେଖାଇଲ ଭବେ;

ଏତେ ବଡ଼ ମସ୍ତିଷ୍କ କି ଭୂଭାରତେ ଅଛି ?

କେଭେ ନାହିଁ ଆସେ କଳ୍ପନାରେ ମଧ୍ୟ ଲବେ ।

ବୌଦ୍ଧଧର୍ମ ହେଲା ଯେବେ ପୂର୍ଣ୍ଣ ବ୍ୟଭିଚାରେ,

ଅଚିରେ ତଡ଼ିଲ ତାକୁ ଭାରତ ବକ୍ଷରୁ,

ଅଖଣ୍ଡ ଯୁକତି ସହ ପୂର୍ଣ୍ଣ ପରଚାରେ

ପ୍ରତିଷ୍ଠିଲ ହିନ୍ଦୁଧର୍ମ ଚ୍ୟୁତ ସ୍ଵକକ୍ଷରୁ ।

ଧନ୍ୟ ଧନ୍ୟ ମାତୃଭକ୍ତ ଜ୍ଞାନୀ-ଶିରୋମଣି,

ଶିବ ଅବତାର ବୋଲି ଶାସ୍ତ୍ର ଅଛି ଗଣି ।

☆☆☆

 

ମହମ୍ମଦ

 

ଅବଦୁଲ ଅମୀନା ଦୁହେଁ ଥିଲେ ପିତାମାତା

ଖଦିଜା ଥିଲେ ଯାହାଙ୍କ ଭାର୍ଯ୍ୟା ପ୍ରାଣପ୍ରିୟା,

ଆଣିଥିଲେ ସେହି ମହମ୍ମଦଙ୍କୁ ବିଧାତା

ଯେହୁ ଆଚରିଲେ ସ୍ଵର୍ଗଦୂତ କର୍ମକ୍ରିୟା ।

ଚିନ୍ତାଶୀଳ ବାଲ୍ୟକାଳୁଁ ଥିଲେ ମହମ୍ମଦ

କଲେ ଉପାସନା ପାଇଁ ଆଶ୍ରା ଗିରି ଦରୀ,

ଗେବ୍ରିଏଲ-ବାଣୀ ତହିଁ ଶୁଣିଲେ ସୁଖଦ,

ପ୍ରଥିତ ଏ ସଂସାରେ କୋରାନ ନାମ ଧରି ।

କଲେ ମକ୍‍କା ମଦିନାରେ ଧରମ ପ୍ରଚାର

କଲେ ନିନ୍ଦା ସ୍ଵର୍ଗଦୂତ ପୌତ୍ତଳିକ ବାଦ,

ସହିବାକୁ ହେଲା ମାତ୍ର ବହୁ ଅତ୍ୟାଚାର

ଖଡ଼୍‍ଗ ଧରି ଆତ୍ମରକ୍ଷା କଲେ ପ୍ରଭୁପାଦ ।

ପୃଥିବୀର ଚତୁର୍ଥାଂଶ ଯାଙ୍କ ନାମେ ମତ୍ତ

ଧନ୍ୟ ସେ ପୁରୁଷସିଂହ, ଧନ୍ୟ ସେ ଦେବତ୍ଵ ।

☆☆☆

 

 

 

 

 

 

 

 

 

 

 

(୨) ଭାରତ କୁଞ୍ଜେ

 

ସ୍ଵର୍ଣ୍ଣପ୍ରସୂ ଭାରତବର୍ଷ

 

କାହିଁଗଲା ସେହି ସୁବର୍ଣ୍ଣପରସୂ

ପ୍ରାଚୀନ ଭାରତବର୍ଷ,

କାହିଁଗଲେ ସେହି ଋଷିଗଣ ଯାଙ୍କ

ହୃଦେ ଖେଳୁଥିଲା ହର୍ଷ ।

କାହିଁଗଲେ ସେ ସରଳ ସୁନ୍ଦର

ଭାରତର ନରନାରୀ,

ଛନ୍ଦ କପଟରେ ପ୍ରାଣ ଯାହାଙ୍କର

ନୋହୁଥିଲା କେବେ ଭାରି ।

କାହିଁଗଲା ସେ ହିନ୍ଦୁ ପରିବାର

କାହିଁ ସ୍ନେହ ଭକ୍ତି ତହିଁ,

କାହିଁଗଲେ ସେ ହିନ୍ଦୁର ରମଣୀ

ଥିଲେ ଯେହୁ ସବୁ ସହି ।

କାହିଁଗଲେ ସେହି ହିନ୍ଦୁର ଘରଣୀ

ଯାହାଙ୍କର ସ୍ଵାର୍ଥତ୍ୟାଗେ,

ହେଉଥିଲା ଗୃହ ସ୍ଵର୍ଗେ ପରିଣତ

ସର୍ବେ ବନ୍ଧା ଅନୁରାଗେ ।

କାହିଁଗଲା ଆହା ତୀର୍ଥର ମାଧୁରୀ

ସରବସ୍ଵ କରି ପଣ,

ଯାନ୍ତି ଯେଉଁଠାକୁ ହିନ୍ଦୁ ନରନାରୀ

ଶ୍ରୀହରି କରି ସ୍ମରଣ ।

କାହିଁଗଲେ ସେ ହିନ୍ଦୁ ପରିବାର

ଅତିଥି ସତ୍କାର କରି

ଦିଅଙ୍କ ପୂଜାରେ ପାଉଥିଲେ ଯେହୁ

ଆନନ୍ଦ ଦୃଦୟ ଭରି ।

କାହିଁଗଲେ ଅବା ହିନ୍ଦୁ ଦମ୍‍ପତି

ଯେହୁ ଭୋଜନର ଆଗେ,

ଭୋକୀ ଶୋଷି ରଙ୍କୀ ଆସିବେ କେଜାଣି

ଟାକୁଥିଲେ ଅନୁରାଗେ ।

କାହିଁଗଲେ ସେହି ଯୁବକ ଯୁବତୀ

ଈଶ୍ଵର ଧ୍ୟାନରେ ବସି,

ଆପଣାକୁ ଆହା ଯାଉଥିଲେ ଭୁଲି

ସମାଧି ମଧ୍ୟରେ ପଶି ।

କାହିଁ ସେହି ଦିନ ଭାରତବର୍ଷରେ

ଉନ୍ନତ ଚିନ୍ତାରେ ମଜ୍ଜି,

ଖିଆ ପିଆ ଲୋକେ ଯାଉଥିଲେ ଭୁଲି

ମନ ଯାଉଥିଲା ହଜି ।

ଆଜି ଏ କି ନୂଆ ଭାରତବରଷ

ଏହିଟିକି ଆମ୍ଭ ଦେଶ,

ଭାତ ଡାଲି ପେଟପୂରା ନ ମିଳଇ

ବସ୍ତ୍ରାଭାବେ ନଗ୍ନ ବେଶ ।

ଦୁଧ ଘିଅ ଆଦି ଯାଇଛି ଉଭେଇ

ନାହିଁ ଆଉ କିଛି ଖାଣ୍ଟି,

ମହରଗ ଦୁଧ ଘିଅ କେ କିଣୁଛି

ମନଟା ହେଉଛି ଘାଣ୍ଟି ।

କୁଟିଳ କପଟି ହେଲେଣି ମାନବ

ପରିବାରେ ନାହିଁ ସୁଖ,

ଅଭାବେ ଅଭାବେ ଗୃହ ପରିପୂର୍ଣ୍ଣ

ପୂର୍ଣ୍ଣ ହାହାକାର ଦୁଃଖ ।

ଉଚ୍ଚ ଚିନ୍ତା ଛାଡ଼ି ଭାରତବାସୀଏ

ଅର୍ଥ ଚିନ୍ତା କରି ସାର,

ମନୁଷ୍ୟତ୍ଵ ସୁଖୁଁ ହେଲେଣି ବଞ୍ଚିତ

ବହନ୍ତି ଜୀବନ ଭାର ।

ହିନ୍ଦୁ ନରନାରୀ ପାଶୋରି ଗଲେଣି

ଅଭ୍ୟାଗତର ସତ୍କାର,

ଭାଇବନ୍ଧୁ ଚିନ୍ତା ନାହିଁ ଆଉ ଲବେ

ଆତ୍ମଚିନ୍ତା ଏବେ ସାର ।

ଧରମ କରମ ଛାଡ଼ିଲେଣି ହିନ୍ଦୁ

ଧରି ରାଜନୀତି ଦୁଆ,

ପବିତ୍ର ଭାରତ ନାହିଁରେ ଅଧୁନା

ଢଙ୍ଗ ଢାଙ୍ଗ ନୂଆ ନୂଆ ।

ପଡ଼ୋଶୀ ସହିତ ନାହିଁ ପରିଚୟ

ନାହିଁ ତ ସହାନୁଭୂତି,

ଭୋକ ଉପାସରେ ସଢ଼ିଲେ ପଡ଼ିଶା

କିଏ ଶୁଣେ ତା’ କାକୁତି ।

ନାହିଁ ଆଉ ପୂର୍ବ ବିଦ୍ୟାର ଆଦର

ସେ କାବ୍ୟ ଦର୍ଶନ ଲେଖା,

ଅଛି ମାତ୍ର ଆଜି ବିଦ୍ୟା-ଆଡ଼ମ୍ବର

ପୂରବ ଚିନ୍ତାର ରେଖା ।

ସତେ କି ଭାରତେ ଆସିବ ସେ ଦିନ

ସରଳ ସୁନ୍ଦର ପ୍ରାଣେ

ଯୁବକ ଯୁବତୀ ବାଳକ ବାଳିକା

ବୁଡ଼ିବେ ଈଶ୍ଵର ଧ୍ୟାନେ ।

ସାଧାରଣ ଖାଦ୍ୟ ଖାଇ ନରନାରୀ

ପିନ୍ଧି ସାମାନ୍ୟ ବସନ,

ଛାଡ଼ି ନୀଚ ଚିନ୍ତା ଉନ୍ନତ ଚିନ୍ତାରେ

ଯାପିବେ ନିଜ ଜୀବନ ।

ସମର୍ଥ ଗୃହସ୍ଥ ପଡ଼ୋଶୀର ଦୁଃଖେ

ହେବ କି ସତେ କାତର,

ନିରନ୍ନ ପଡ଼ୋଶୀ ମୁଖେ ଅନ୍ନ ଦେଇ

ଛାଡ଼ି ଦେବ କି ଚାତର ।

ହେବ କି ଭାରତ ଧନ ଧାନ୍ୟେ ଭରା

ସ୍ଵର୍ଣ୍ଣପ୍ରସୂ ହେବ ଆଉ,

ଭାରତବାସୀ କି ଚିରକାଳ ପାଇଁ

ଭୁଲିବେ ଦୁର୍ଭିକ୍ଷ ଦାଉ ।

ଭାରତ ଭାରତୀ ଧରଣୀ ବକ୍ଷରେ

ପାଇବେ ଶିକ୍ଷକ ସ୍ଥାନ,

ଏ ହିଂସାର ଯୁଗେ ଅହିଂସା ଧରମ

ଜଗତେ କରିବେ ଦାନ ।

ସତେ କି ଭାରତ ପାଇବ ସେ ରାଜା

ପ୍ରାଣ ଦେବେ ପ୍ରଜା ପାଇଁ,

ସତେ କି ଭାରତ ପ୍ରଜାପୁଞ୍ଜ ପୁନଃ

ଥିବେ ରାଜପଦ ଧ୍ୟାୟି ।

ଭାରତରେ ଆଜି ଏକା ହିନ୍ଦୁ ନାହିଁ

’ଛନ୍ତି ଯବନ ଖ୍ରୀଷ୍ଟାନ,

ନାନା ସ୍ଵଭାବର ସନ୍ତାନମାନଙ୍କୁ

କରେ ମାତା ସ୍ତନ୍ୟ ଦାନ ।

ଧର ବିଭୁ ମୋର ଧର ଏ ମିନତି

ଭାରତେ ସକଳ ଜାତି,

‘ସ୍ଵର୍ଣ୍ଣପ୍ରସୂ’ ନାମ କରନ୍ତୁ ସାର୍ଥକ

ସତତ କରମେ ମାତି ।

 

୨୭।୬।୪୬

☆☆☆

 

ମହାତ୍ମା ଗାନ୍ଧି

 

କେଉଁ ଶୁଭକ୍ଷଣେ ଜନ୍ମିଥିଲ ଏହି ଦେଶେ

ମାତୃଭୂମି-ସେବାଦର୍ଶ ସ୍ଥାପିଲ ହେ ଋଷି,

ଯାପିଗଲ ଦିବାନିଶି ଦିନ ହୀନ ବେଶେ,

ହରିଜନ ସଙ୍ଗ ଲାଭେ ହେଲ ସଦା ଖୁସି ।

ଅସ୍ତ୍ର ଶସ୍ତ୍ରେ ସୁସଜ୍ଜିତ ବ୍ରିଟିଶ କେଶରୀ

ନିରସ୍ତ୍ର ଅଟ ହେ ତୁମ୍ଭେ ଭାରତ-ସନ୍ତାନ,

ଅହିଂସା ଅସହଯୋଗ ନୀତି ତେଣୁ ଧରି

ରାଜନୀତି କ୍ଷେତ୍ରେ କଲ ନୂତନ ଭିଆଣ ।

ହିନ୍ଦୁ ଓ ମୁସଲମାନ ମିଳିବେ କିପରି

ଅସ୍ପୃଶ୍ୟତା ସମାଜରୁ କେବେ ହେବ ଦୂର,

ଏହି ଭାବନାରେ ତୁମ୍ଭ ମନ ଗଲା ଭାରି

ଆପଣାର ସୁଖ ଶାନ୍ତି ସବୁ କଲ ଜୂର ।

ଯାବତ ଭାରତବାସୀ ରହିବେ ଏ ଭବେ,

ପୂରବ ଦେଶ ତବ ‘ଜୟ’ ‘ଜୟ’ ରବେ ।

 

୨୮।୬।୪୬

☆☆☆

 

ଅରବିନ୍ଦ ଘୋଷ

 

ଧନ୍ୟ ଧନ୍ୟ ଅରବିନ୍ଦ ଜନ୍ମ ଶୁଭକ୍ଷଣେ

କୃତିତ୍ଵ ଦେଖାଇ ପାଠ, ଖ୍ୟାତି ବିଲାତରେ

ଅରଜିଲ ନିଜ ଗୁଣେ, ମନୁଷ୍ୟତ୍ୱ ପଣେ,

ଶୁଭ ମୁହୂର୍ତ୍ତରେ ପହଞ୍ଚିଲ ଭାରତରେ ।

ଧୀର ସ୍ଥିର ବକ୍ତୃତାରେ ନେଲ ପ୍ରାଣ କିଣି

ତୁମ୍ଭ ବାଣୀ ଶୁଣିବାକୁ ହେଲେ ସର୍ବେ ରୁଣ୍ଡ,

ବିଦ୍ରୋହୀ ପଣରେ ବଡ଼ ନେତା ଗଣେ ଜିଣି

ନାନା ସ୍ଥାନେ ଶୁଣାଇଲ ତୁମ୍ଭ ଦିବ୍ୟ ତୁଣ୍ଡ ।

ବୋମା ମାମଲାରେ ବରିଥିଲ କାରାବାସ

ମୁକ୍ତ ହୋଇ ପ୍ରଚାରିଲ ଶ୍ରୀକୃଷ୍ଣଙ୍କ ବାଣୀ,

ପନ୍ଦର ଅଗଷ୍ଟେ ପରା ଦେଶ ଛିନ୍ନପାଶ

ହୋଇବ ନିଶ୍ଚୟ, ତାଙ୍କଠାରୁ ଥିଲ ଜାଣି ।

ଉଦ୍ଧାର କରିବ ଦେଶ ବ୍ରହ୍ମଶକ୍ତି ବଳେ,

ତେଣୁ କରି ଆଶ୍ରମେ ବାସ ତପସ୍ୟାର ଛଳେ ?

 

୨।୭।୪୬

☆☆☆

 

ରବୀନ୍ଦ୍ରନାଥ ଠାକୁର

 

ବିଶ୍ଵପ୍ରାଣ ହେ ରବୀନ୍ଦ୍ର ଘେନ ନମସ୍କାର

କବୀନ୍ଦ୍ର ରବୀନ୍ଦ୍ର ନାମେ ହେଲ ପରିଚିତ;

ବଙ୍ଗ-ଜନନୀଙ୍କୁ ଦେଲ ସାହିତ୍ୟ ଭଣ୍ଡାର,

ଅନୁବାଦେ ହେଲା ତାହା ଭୁବନବିଦିତ ।

ବ୍ରହ୍ମଭାବେ ନିରନ୍ତର ନିମଗ୍ନ ହେ ଋଷି,

ତେଣୁ ବ୍ରହ୍ମଭାବେ-ସିକ୍ତ ତୁମ୍ଭରି କବିତା;

ଜ୍ଞାନୀ-ଭକ୍ତ-ପ୍ରାଣ ତାହା ପାଠେ ବଡ଼ ଖୁସି,

ତମସାଚ୍ଛନ୍ନ ପ୍ରାଣର ଅଟଇ ସବିତା ।

ଭ୍ରମଣ କଲ ହେ ଗୁରୋ ଦେଶ ଦେଶାନ୍ତରେ

ନିରନ୍ତର ବିଶ୍ୱବାସୀ ଆପଣାର ଜ୍ଞାନେ,

ପୂର୍ଣ୍ଣ କଲ ଏ ବସୁଧା ମଧୁର ମନ୍ତରେ

ଆସନ ଲଭିଛି ତେଣୁ ବିଶ୍ୱବାସୀ ପ୍ରାଣେ ।

ସ୍ଵଦେଶବତ୍ସଳ ଦେବ, ଧନ୍ୟ ତୁମ୍ଭ ନୀତି

ଧନ୍ୟ ଅମର କବିତା, ଧନ୍ୟ ଦେଶ-ପ୍ରୀତି ।

 

୮।୭।୪୬

☆☆☆

 

ଡାକ୍ତର ଜଗଦୀଶଚନ୍ଦ୍ର

 

ବୈଜ୍ଞାନିକ ଶିରୋମଣି ଆହେ ଜଗଦୀଶ

ଯଉବନ କାଳୁଁ ନିଜ ଚରିତ୍ର ବଳରେ,

କଲ ତୁମ୍ଭେ ବିଜ୍ଞାନର ଚର୍ଚ୍ଚା ଅହର୍ନିଶ,

ଈଶହସ୍ତ ଦେଖିଲ କି ଜଳରେ ସ୍ଥଳରେ ?

‘ସଜୀବ’ ନିର୍ଜୀବ’ ବୋଲି ଯାହା ଅଭିହିତ,

ଏ ଭୁବନେ ସତ୍ତା ମାତ୍ର ରହିଅଛି ଯାର,

ସକଳ ବସ୍ତୁରେ ପରମାତ୍ମା ବିରାଜିତ

ଅନୁଭବ ଶକ୍ତି ବିଦ୍ୟମାନ ସବୁଠାର ।

ନିରମିଲ ସୂକ୍ଷ୍ମ ଯନ୍ତ୍ର ଦେଖାଇବା ପାଇଁ

ଅଛି ଜଡ଼ ବସ୍ତୁଠାରେ ଅନୁଭବ ଶକ୍ତି;

ବୈଜ୍ଞନିକ ତୁମ୍ଭ ଭଳି କାହିଁ ଦେଖାନାହିଁ,

ଆକର୍ଷିଲ ନିଜ ଗୁଣେ ଜଗଶ୍ରଦ୍ଧା ଭକ୍ତି ।

କଲ କେତେ ଉଦ୍ଭାବନ କେତେ ଆବିଷ୍କାର,

ପାଇଥାନ୍ତ ମୁକ୍ତ ଦେଶେ ଉଚ୍ଚ ବ୍ୟବହାର ।

 

୧୩।୭।୪୬

☆☆☆

 

ଈଶ୍ଵରଚନ୍ଦ୍ର ବିଦ୍ୟାସାଗର

 

ବିଦ୍ୟାର ସାଗର, ପୁଣି ଦୟାର ସାଗର ଅଟ ତୁମ୍ଭେ;

ଜନ୍ମ ନେଲ ବୀରସିଂହ ଗ୍ରାମେ,

ଥିଲା ତନୁ ମନ ତବ କି ଅନୁରାଗର

କି ଧନୀ ଦରିଦ୍ର ଆଜି ନତ ତବ ନାମେ ।

ବିଦ୍ୟାର୍ଜନ ଖର୍ଚ୍ଚ ପାଇଁ କାର ଆବେଦନ,

କେହି ଅବା ପରିବାର ପୋଷଣ ନିମିତ୍ତ,

କନ୍ୟା ବିବାହାର୍ଥ ଅବା କାର ନିବେଦନ

ବିରକ୍ତିର ନାହିଁ ଲେଶ, ବିଚଳିତ ଚିତ୍ତ ।

ପିତାମାତା ହର ଗୌରୀ ଜ୍ଞାନେ କଲ ପୂଜା

ମାତୃଭକ୍ତ ପରାକାଷ୍ଠା ଦେଖାଇ ଜୀବନେ,

ବିଧବାର ଦୁଃଖ ନାହିଁ ରହିଲା ଅବୁଝା–

ଦେଖାଇଲ ବିଧବା-ବିବାହ ପ୍ରବର୍ତ୍ତନେ ।

ବଙ୍ଗମାତା କ୍ରୋଡ଼ଦେଶ କଲ ଅଳଙ୍କୃତ,

ଅମର ଧାମରେ ପୂଜ୍ୟ ଧନ୍ୟ ସେ ସୁକୃତ ।

☆☆☆

 

ମଦନମୋହନ ମାଲବ୍ୟ

 

କେଉଁ ସ୍ଵରଗରୁ ଆସିଲ ଓହ୍ଲାଇ

ଏ ସଂସାର ନିକେତନେ,

ଭାରତ ମାତାର ପରମ ସୌଭଗ୍ୟ

ତୁମ୍ଭ ପରି ପୁତ୍ର ଜଣେ ।

ଦେଶମାତୃକାର ସେବାରେ ମାତିଲ

ଢାଳି ଦେଲ ନିଜ ପ୍ରାଣ,

ଉଦାରତା ମନ୍ତ୍ରେ ସତତ ଦୀକ୍ଷିତ

ଗାଇଲ ଉଦାର ଗାନ ।

ହିନ୍ଦୁର ଉନ୍ନତି ପାଇଁ ଉତ୍କଣ୍ଠିତ

କଲ ହେ ଜୀବନ ବ୍ରତ,

ସ୍ଥାପିଲ ହେ ହିନ୍ଦୁ ବିଶ୍ଵବିଦ୍ୟାଳୟ

କାଶୀଧାମେ କି ଉନ୍ନତ !

ହିନ୍ଦୁ ଓ ଯବନେ ମିଳାଇବା ପାଇଁ

କଲ ଯତନ ଅପାର,

ହେଲ ସବୁ ପଣ୍ଡ ଭାରତ ଭାଗ୍ୟକୁ

ତୁମ୍ଭେ ତ ହେଲ ନାଚାର ।

କେତେ ଅବ୍ରାହ୍ମଣେ କଲ ହେ ବ୍ରାହ୍ମଣ

ତୁମ୍ଭର ଉଦାର ପଣେ,

ଭାରତ ଭୂମିରେ ତୁମ୍ଭ ସମତୁଲ

ଆଉ କିଏ ଅଛି ଜଣେ ?

ତୁମ୍ଭର ପାଣ୍ଡିତ୍ୟେ ମୋହିଲ ପଣ୍ଡିତେ

ହେଲ ଭକତିର ପାତ୍ର,

ଆବାଳ-ବୃଦ୍ଧ-ବନିତା ଦେଶର

ତୁମ୍ଭଙ୍କୁ ଚାହିଁଲେ ମାତ୍ର ।

ହୋଇଅଛ ଆଜି ସ୍ଥବିର ହେ ଯତି

ଭାବୁଛ ଭାରତ କଥା,

କେବେ ହୋଇବ ଏ ଭାରତ ସ୍ଵାଧୀନ–

ପାଅ ଭାଳି ଭାଳି ବ୍ୟଥା ।

ହେ ଋଷି ତୁମ୍ଭର ତପସ୍ୟା ପ୍ରଭାବେ

ଭାରତ ହୋଇବ ମୁକ୍ତ,

ଦିନେ ହେଲେ ସର୍ବ ଭାରତ ନିବାସୀ

ହେବେ ଏକ ଭାବେ ଯୁକ୍ତ ।

ସେଦିନ ଉଠିବ ଚାରିଆଡ଼ୁ ଡାକ

ଜୟ ମାଲବ୍ୟଙ୍କ ଜୟ,

ଆନନ୍ଦରେ ନୃତ୍ୟ କରିବେ ସକଳେ

ପାଇ ତବ ପରିଚୟ ।

 

୩୦।୬।୪୬

☆☆☆

 

କୁଳବୃଦ୍ଧ ମଧୂସୂଦନ

 

ଉତ୍କଳର ବରପୁତ୍ର ହେ ମଧୁସୂଦନ

ଘେନ ଆଜି ମୋର ଶ୍ରଦ୍ଧାମୟ ନମସ୍କାର,

ଉତ୍କଳକୁ କରିଥିଲ ସ୍ଵକୀୟ ସଦନ

ତା’ର ସୁଖେ ଥିଲ ସୁଖୀ, ଦୁଃଖୀ ଦୁଃଖେ ତା’ର ।

ହେ ବରେଣ୍ୟ ସୁଧୀବର, ତୁମ୍ଭ ପରି ସୁତ

କୋଳେ ଧରି ହେଲା ଧନ୍ୟ ଏ ଦରିଦ୍ର ଦେଶ,

ତୁମ୍ଭର ମୌଳିକ ଚିନ୍ତା ଅତୀବ ଅଦ୍ଭୂତ

ତୁମ୍ଭ ଶିଳ୍ପ ଚାତୁରୀର ନ ଥିଲାଟି ଶେଷ ।

ସ୍ଵର୍ଣ୍ଣ, ରୌପ୍ୟ, ଚର୍ମ ପୁଣି ସୂତ୍ରଜ ଦରବ

ତୁମ୍ଭ ତତ୍ତ୍ୱାବଧାନରେ ହୋଇଲା ନିର୍ମିତ;

ଖୋଲିଲା ଦେଶର ଆଖି ଦେଖି ସେ ଦରବ

ତୁମ୍ଭ ପରି ଭାବିବ କେ ଉତ୍କଳର ହିତ ?

‘ଉତ୍କଳ’ କହିଲେ ‘ମଧୂ’ ‘ମଧୂ’ ଯେ ‘ଉତ୍କଳ’,

ଦୁହେଁ ଛନ୍ଦାଛନ୍ଦି ହୋଇଥିଲ ଅବିରଳ ।

 

୮।୩।୪୬

☆☆☆

 

ସୁରେନ୍ଦ୍ରନାଥ

 

ହେ ମୁକୁଟହୀନ ରାଜା ବଙ୍ଗ ପ୍ରଦେଶର

ଥିଲ ରାଜନୀତି କ୍ଷେତ୍ରେ ପୁରୁଷ କେଶରୀ,

ଶୁଣିଲା ଉଦାତ୍ତ ସ୍ଵର ଦେଶ ଦେଶାନ୍ତର,

ଦେଖିନି ଭାରତ ଜଣେ ବାଗ୍ମୀ ତୁମ୍ଭ ପରି ।

ବଙ୍ଗବ୍ୟବଚ୍ଛେଦ ବେଳେ ଛାଡ଼ିଲ ଗର୍ଜନ,

ମିଳାଇଲ ଦୁଇ ବଙ୍ଗେ ତୁମ୍ଭ ବୁଦ୍ଧିବଳେ,

ପରାଜୟ ମାନିଗଲେ କୌଶଳୀ କର୍ଜନ

ବନ୍ଦିଲେ ତୁମ୍ଭଙ୍କୁ ଦେଶବାସୀ ଦଳେ ଦଳେ ।

ସ୍ଵଦେଶୀ ଗ୍ରହଣ ପୁଣି ବିଦେଶୀ ବର୍ଜନ

ପ୍ରଚାରିଲ ଭାରତରେ ପ୍ରଦେଶେ ପ୍ରଦେଶେ,

ଏଣୁକରି ଲୋକଙ୍କର ବଢ଼ିଲା ଅର୍ଜନ,

ଜଣାଇଲା ଦେଶ କୃତଜ୍ଞତା ଅବଶେଷେ ।

ବଙ୍ଗ ତଥା ଭାରତର କରିଅଛ ଯାହା,

ଭୁଲିବେକି ଦେଶବାସୀ କେବେ ହେଲେ ତାହା ?

 

୧।୭।୪୬

☆☆☆

 

ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର

 

ବଙ୍ଗକୁଳତିଳକ ହେ ଶ୍ରୀ ପ୍ରଫୁଲ୍ଲ ରାୟ

ରସାୟନ ଶାସ୍ତ୍ର ସଙ୍ଗେ ଉଦ୍‍ବାହ ବନ୍ଧନେ,

ହୋଇଲ ଆବଦ୍ଧ; ତେଣୁ ନ ଥିଲା ବାସନା

ବଙ୍ଗକୁଳ କାମିନୀର ଶ୍ରୀକରଗ୍ରହଣେ ।

ବହୁ ଅର୍ଥ ଉପାର୍ଜନ କଲ ବୁଦ୍ଧିବଳେ,

“ବେଙ୍ଗଲ କେମିକଲ’’ଟି ତବ କୀର୍ତ୍ତି ଗାଏ,

ବନ୍ଦ କଲ ବିଦେଶୀ ଔଷଧ କଉଶଳେ

ଭାରତୀୟ ନିଜଘରୁ ଔଷଧ ପାଏ ।

ବିତରିଲ ଅର୍ଥଯାକ ଦାରିଦ୍ର୍ୟ ମୋଚନେ

ପୁଣି ଅର୍ଥବ୍ୟୟେ କଲ ଶିକ୍ଷାର ପ୍ରସାର,

ମତ୍ତ ହେଲ ରସାୟନ ଶାସ୍ତ୍ର ଆଲୋଚନେ,

କଲ ସ୍ଵାର୍ଥତ୍ୟାଗ ଜାଣି ସଂସାର ଅସାର ।

ଶେଷ ଜୀବନରେ ଦେଖାଇଲ ଦେଶପ୍ରୀତି,

ତେଣୁ ଗାଏ ଦେଶ ଆଜି ତବ କୀର୍ତ୍ତି-ଗୀତି ।

 

୧୩।୭।୪୬

☆☆☆

 

ମଧୂସୂଦନ ରାଓ

 

ଜୀର୍ଣ୍ଣ ଶୀର୍ଣ୍ଣ ତନୁ ତବ ଅତୀବ ଦୁର୍ବଳ

ପବିତ୍ର କାନ୍ତିରେ ମାତ୍ର ତାହା ଉଦ୍ଭାସିତ,

ଥରେ ସ୍ପର୍ଶ କରିଅଛି ଯାର ବେତ୍ରାଞ୍ଚଳ

ତୁମ୍ଭ ପ୍ରତି ଭକ୍ତିଭରା ହୋଇଛି ତା’ ଚିତ୍ତ ।

ପ୍ରତି ଶନିବାର ରାତ୍ରେ ଘେନି ଦାରା ସୁତ

ବ୍ରହ୍ମ ଉପାସନା କରୁଥିଲ ବିଧିମତେ,

ଭାବିଲେ ତୁମ୍ଭର ସେହି ଚରିତ୍ର ଅଦ୍ଭୁତ

ଭାବେ ତୁମ୍ଭେ ଏହି ମର ଧାମର କି ସତେ ?

ରବିବାର ସାୟଂକାଳେ ସମାଜରେ ବସି

ଆଚାର୍ଯ୍ୟ ଆସନୁଁ ଯେବେ ଗଦଗଦ ଭାଷେ

ଉପାସନା କରୁଥିଲ ହୃଦୟ-ପରଶୀ

ସହାୟକ ଥିଲା ତାହା ହୁଦି-ତମୋ ନାଶେ ।

ଭକ୍ତକବି, ଶିକ୍ଷାଗୁରୁ, ଜୀବହିତକାରି

ଆଶିଷ କର ଉତ୍କଳେ, ସ୍ଵରଗ-ବିହାରି !

 

୨୩।୨।୪୬

☆☆☆

 

ଫକୀର ମୋହନ

 

ଉତ୍କଳ ସାହିତ୍ୟକାଶେ ଧ୍ରୁବତାରା ଭଳି

ଉଇଁଥିଲ ଯେବେ ବନ୍ଦନୀୟ ବ୍ୟାସକବି,

କେହି କି ପାରିଛି ତେବେ ତୁମ୍ଭ ବଳ କଳି ?

ଆଜି ପ୍ରାଣେ ପ୍ରତିଭାତ ତୁମ୍ଭ ପୂତ ଛବି ।

ଯାବତ ଉତ୍କଳ ଭାଷା ରହିବ ଏ ଭବେ

‘ମାମୁଁ’, ‘ଲଛମା’ ର ଦୀପ୍ତି ଯିବ କି ହେ ଲିଭି ?

‘ଛଅମାଣ ଆଠଗୁଣ୍ଠ’ ପ୍ରଚାରେ ଗୌରବେ

‘‘ଉତ୍କଳ ସାହିତ୍ୟ ମଧ୍ୟେ ଚିରକାଳ ଥିବି ।’’

ଉତ୍କଳ ସାହିତ୍ୟ ପ୍ରତି ସିନେହ ପୀରତି

କେମତି ଭୁଲିବି ଆହେ କହ କବିବର ?

ଉତ୍କଳ ସାହିତ୍ୟେ ତୁମ୍ଭେ ରଖିଲ କୀରତି,

ଉତ୍ସାହ ପାଇଲେ କେତେ ଲେଖକ ଆବର ।

“ପଶ୍ଚାତ୍‍ପଦ ନୁହେ, ପଶ୍ଚାତ୍ ଆଗତ ଓଡ଼ିଆ’’–

କହିଥିଲ ଓଡ଼ିଆଙ୍କୁ ‘‘ହତୋତ୍ସାହ କିଆଁ ?’’

☆☆☆

 

Unknown

ଗୋପବନ୍ଧୁ ଦାଶ

 

ପ୍ରାତଃ ସ୍ମରଣୀୟ ରାମଚନ୍ଦ୍ର ଦାଶ

ଗଢ଼ିଲେ ଜୀବନ ତବ,

ଦିବା ରାତି ରହି ତାଙ୍କ ସଙ୍ଗତରେ

ଭାବ ନେଲ ନବ ନବ ।

ଉତ୍କଳ ଯୁବକେ ମତାଇଲ ତୁମ୍ଭେ

ପରଚାରି ରାଜନୀତି,

ସ୍ଵାର୍ଥହୀନ ଯୁବା ତୁମ୍ଭରି ଇଙ୍ଗିତେ

ଶିକ୍ଷା କଲେ ଦେଶପ୍ରୀତି ।

‘ସମାଜ’ର ସୃଷ୍ଟି ଆହେ ଗୋପବନ୍ଧୁ

ତବ ଶ୍ରେଷ୍ଠ ଅବଦାନ,

ସାକ୍ଷୀଗୋପାଳର ଜାତୀୟ ସ୍କୁଲଟି

ମତାଇଲା ଛାତ୍ର ପ୍ରାଣ ।

ଉତ୍କଳ ପ୍ରଦେଶ ‘କଂଗ୍ରେସ’କୁ ଆଣି

ଜଗାଇଲ ଦେଶବାସୀ,

ତୁମ୍ଭ ଭାଷଣରେ ଭାସିଲା ଉତ୍କଳ

ଚିର ଜଡ଼ତା ବିନାଶୀ ।

☆☆☆

 

ବ୍ରଜସୁନ୍ଦର ଦାସ

 

ବାଲ୍ୟକାଳୁଁ ପିତା- ମାତାଙ୍କୁ ହରାଇ

ଶିକ୍ଷା ଲଭି ପର ଘରେ

ଉତ୍କଳ ମାତାର ସେବା କରିବାକୁ

ବାହାରି ପଡ଼ିଲ ଖରେ ।

ଉତ୍କଳ ସାହିତ୍ୟେ ତବ ଅଧିକାର

ଥିଲା ତ ସଭିଙ୍କି ଜଣା,

ଉତ୍କଳ ସମ୍ମୁଖେ ଧରି ‘ମୁକୁର’କୁ

ହେଲ ସୁଧୀ ମଧ୍ୟେ ଗଣା ।

ଭାରତ ଲାଟଙ୍କ ଆଇନ ସଭାରେ

ହେଲ ସଭ୍ୟ କିଛି କାଳ ।

ରାଜନୀତି ଚର୍ଚ୍ଚା କଲ ବନ୍ଧୁ ମେଳେ

ଉଚ୍ଚ ତୁମ୍ଭରି କପାଳ ।

ସ୍ଵତନ୍ତ୍ର ଉତ୍କଳ ଗଢ଼ିବାକୁ ତୁମ୍ଭେ

କରିଥିଲ ପ୍ରାଣ ପଣ,

ପାଗଳ ପରାୟେ ହୋଇଗଲ ଆହା

ପାଇଲ କେତେ କଷଣ ।

ଉତ୍କଳ-ଆଇନ- ସଭା ସଭ୍ୟ ହେଲ

ଆନନ୍ଦର ସୀମା ନାହିଁ,

କରିଥିଲ ଯେତେ ପରିଶ୍ରମ ତା’ର

ଫଳ କିଛି ଶେଷେ ପାଇ ।

ସାହିତ୍ୟ କ୍ଷେତ୍ରରେ ସହାୟ ମୋହରି

ଥିଲ ହେ ଉଦାର ଦାସେ,

ଜାଣି ତ ନ ଥିଲ କପଟ ବେଭାର

ନ ଯାଇଥିଲ ତା’ ପାଶେ ।

ଗୋପବନ୍ଧୁ ଅଭି- ରାମ ଆଦି ବନ୍ଧୁ

ପାଇଲ ଯୌବନ କାଳେ,

ସାହିତ୍ୟ ଜଗତେ କଲ ବିଚରଣ,

ଭବନା ସଞ୍ଜ ସକାଳେ ।

‘ମୁକୁର’ ପ୍ରେସକୁ ଆଦର୍ଶ ପ୍ରେସରେ

କରିବାକୁ ପରିଣତ,

କେତେ ବୁଦ୍ଧିବଳ ଥିଲ ହେ ଖଟାଇ

ମନରେ ଅଛି ସମସ୍ତ ।

ଉତ୍କଳ ଯେ ଆଜି ସ୍ଵତନ୍ତ୍ର ପ୍ରଦେଶ

ତୁମ୍ଭେ ତ ଦେଖିଲ ନାହିଁ,

କର ଆର୍ଶୀବାଦ ସ୍ଵରଗ ଦେଶରୁ

ଉତ୍କଳ ଉନ୍ନତି ପାଇଁ ।

☆☆☆

 

ଗୋପାଳଚନ୍ଦ୍ର ପ୍ରହରାଜ

 

ହେ କୃତୀ ପୁରୁଷ ଶ୍ରୀ ଗୋପାଳ ପ୍ରହରାଜ

ସରସ୍ଵତୀ ବର ପୁତ୍ର ସାହିତ୍ୟ ସେବକ,

ତୁମ୍ଭ ପରିହାସାତ୍ମକ ଲେଖା ଅଛି ଆଜ,

ଦେଖା ନାହିଁ ଉତ୍କଳରେ ଏଭଳି ଲେଖକ ।

ଆଇନଜ୍ଞ ହିସାବରେ ମଧୁବାବୁ ତଳେ

ନିଜ ବୁଦ୍ଧି ବଳେ ପାଇଥିଲଟି ଆସନ;

ଆଇନ ବ୍ୟବସ୍ଥା ଛାଡ଼ି କେଉଁ କୁତୁହଳେ

ବାଣୀଙ୍କ ସେବାରେ ଲଗାଇଲ ପ୍ରାଣମନ ?

କି ଅଧ୍ୟବସାୟେ ରଚିଗଲ ଭାଷାକୋଷ

ଜଣକ ରଚନା ବୋଲି ନୁହଇ ପ୍ରତିତୀ,

ଓଡ଼ିଆ ପ୍ରାଣରେ ଢାଳିଦେଲ ହେ ସନ୍ତୋଷ

ଦେଶ ଦେଶାନ୍ତରେ ଏହା ଲଭିଅଛି ପ୍ରୀତି ।

ଅକାଳ ବିୟୋଗ ଥିଲା ଲଲାଟରେ ଲେଖା,

ଦୁଃଖ ହୁଏ ଶେଷବେଳେ ହେଲାନାହିଁ ଦେଖା ।

 

୬।୪।୪୬

☆☆☆

 

ପ୍ୟାରୀମୋହନ ଆଚାର୍ଯ୍ୟ

 

ଶୁଭଲଗ୍ନେ ଜନ୍ମିଥିଲ ଉତ୍କଳ ଭୁବନେ

ଉତ୍କଳର ହିତ ପାଇଁ କଲ ପ୍ରାଣ ପଣ,

ବାଲ୍ୟକାଳୁଁ ବଢ଼ିଥିଲ ମୁକତ ପବନେ

ସ୍ୱାଧୀନ ଭାବନାଭରା ଥିଲା ତୁମ୍ଭ ମନ ।

ଉତ୍କଳ-ଦରିଦ୍ର- ଛାତ୍ରେ ଶିକ୍ଷା ଦେବାପାଇଁ

ବସାଇଲ ଚାଟଶାଳୀ ବନ୍ଧୁଗଣ ସଙ୍ଗେ;

ଆଜି ପରିଣତ ଉଚ୍ଚ ବିଦ୍ୟାଳୟେ ସ୍ଥାୟୀ

ମିଶିଲ ଶିକ୍ଷକ ଛାତ୍ରସହ ନାନା ରଙ୍ଗେ ।

ଉତ୍କଳ ଗୌରବମୟ ଲେଖି ଇତିହାସ

କଲ ହେ ଅଭାବ ଦୁର ଚିର ଅନୁଭୂତ,

କଲ ତୁମ୍ଭେ ନବ ନବ ତଥ୍ୟ ପରକାଶ,

ଲଢ଼ିଲ ଦାରିଦ୍ର୍ୟ ସଙ୍ଗେ ହେ ବ୍ରାହ୍ମଣସୁତ ।

ହେ ଦେଶପ୍ରେମିକ ପୂଜ୍ୟ ଆଚାର୍ଯ୍ୟପ୍ରବର,

ଧର ଉତ୍କଳର ଶ୍ରଦ୍ଧା-ଭକ୍ତି-ଅର୍ଘ୍ୟ ଧର ।

 

୨୫।୭।୪୬

☆☆☆

 

ପ୍ୟାରୀମୋହନ ସେନ

 

ଜନାର୍ଦ୍ଦନ ସେନଙ୍କର ଔରସରେ ଜାତ

ଧନ୍ୟ କଲ କୁଳ ପୁଣି କୃତାର୍ଥା ଜନନୀ,

କଲ ସାଧୁଙ୍କର ଗୁଣମାନ ଆତ୍ମସାତ

ପବିତ୍ର ତୁମ୍ଭଙ୍କୁ ଧରି ଉତ୍କଳ-ଧରଣୀ ।

ଓଡ଼ିଶାରେ ପାଠ ସାରି ଗଲ ବଙ୍ଗ ଦେଶ

ହୋଇଲ ଉତ୍ତୀର୍ଣ୍ଣ ତହିଁ ଏଫ୍. ଏ. ପରୀକ୍ଷାରେ,

ପିତୃ ମାତୃ ଅନୁରୋଧେ ପାଠ କରି ଶେଷ

ମନ ବଳାଇଲ ମାତୃଭୂମିର ଶିକ୍ଷାରେ ।

ଶିକ୍ଷା ବିଭାଗରେ ଯାଇ ଆଦର୍ଶ ଚରିତ୍ର

ଦେଖାଇଲ ନାନା ସ୍ତର କର୍ମଚାରୀଗଣେ,

ଦେଖି ସର୍ବେ ହେଲେ ମୁଗଧ ମୂରତି ପବିତ୍ର

ତୀବ୍ର ଘୃଣା ପ୍ରକାଶିଲ ଉତ୍କୋଚ ଗ୍ରହଣେ ।

କର୍ତ୍ତବ୍ୟ ଓ ନ୍ୟାୟ ନିଷ୍ଠା ଧରିଣ ମୂରତି

ଆଶ୍ରୟ କଲେ ତୁମ୍ଭଙ୍କୁ ଦୁଃଖୀଙ୍କର ଗତି ।

 

୨୭।୭।୪୬

☆☆☆

 

ଗୌରୀଶଙ୍କର

 

ଉତ୍କଳ କାୟସ୍ଥ କୁଳେ ତୁମ୍ଭର ଜନମ,

ଉତ୍ସର୍ଗିଥିଲ ହେ ପ୍ରାଣ ଦେଶ ହିତ ଲାଗି,

ଓଡ଼ିଆ ଭାଷାର ସେବା ପରମ ଧରମ,

ଓଡ଼ିଶାର ସ୍ୱାର୍ଥ ପ୍ରତି ସଦା ଅନୁରାଗୀ ।

ବହୁ କାଳ ଉତ୍କଳର କଲ୍ୟାଣ ମାନସେ

‘ଉତ୍କଳ ଦୀପିକା’ ବିଜ୍ଞ ସମ୍ପାଦକ ଥାଇ,

ଚାଳିଲ ଲେଖନୀ ତବ ଅସୀମ ସାହସେ

ଅଚଳ ଅଟଳ ସଦା ଡର ଭୟ ନାହିଁ ।

ସରକାର ଦେଶବାସୀ ସକଳେ ସମାନ

ଦେଲ ସମସ୍ତଙ୍କୁ ତୁମ୍ଭେ ହିତ ଉପଦେଶ,

ନ ଥିଲେ ଦୃଷ୍ଟିରେ ତବ କେହି ବଡ଼ ସାନ

ସରଳ ଶକତିପୂର୍ଣ୍ଣ ଥିଲା ତୁମ୍ଭ ବେଶ ।

ଦେଶ ପାଇଁ କର୍ମ କରି ‘କର୍ମଯୋଗୀ’ ନାମେ,

ହେବ ସଦା ପରିଚିତ ଏ ଉତ୍କଳ ଧାମେ ।

 

୩୦।୭।୪୬

☆☆☆

 

ମହାରାଜା ବୈକୁଣ୍ଠନାଥ

 

କରି ଜନ୍ମଲାଭ ଜମିଦାର ପରିବାରେ

ସାଧିବାକୁ ଦେଶହିତ ବଳାଇଲ ମନ,

ଉତ୍କଳ-ସାହିତ୍ୟ ଅଭିବୃଦ୍ଧି କରିବାରେ

କଲା କି ହେ ଯଥାକାଳେ ସଂକଳ୍ପ ଗ୍ରହଣ ?

ରାଧାନାଥ ଆଦି ଉତ୍କଳର କବିକୁଳେ

ଥିଲେ ତୁମ୍ଭଠାରେ ଚିରକାଳ ସେହୁ ଋଣୀ,

ଥିଲ ଏକା ସାହିତ୍ୟ ସେବାର ତୁମ୍ଭେ ମୂଳ

କରିଛ ଉତ୍ସାହଦାନ ଅର୍ଥଦାନ ପୁଣି ।

ପରମ କୌଶଳୀ ତୁମ୍ଭେ ବଡ଼ ବୁଦ୍ଧିମାନ

ବଢ଼ାଇଲ ବାଲେଶ୍ୱର ଗୌରବ-ସମ୍ବଳ,

ସ୍ଵାର୍ଥତ୍ୟାଗେ ପ୍ରତିଷ୍ଠିଲ ବିଦ୍ୟା-ଅନୁଷ୍ଠାନ,

ଅରଜିଲ ଯଶ ତୁମ୍ଭେ ଅମଳ ଧବଳ ।

ଲଭିଥିଲେ ତୁମ୍ଭ କାର୍ଯ୍ୟେ ପ୍ରୀତି ସରକାର,

‘ମହାରାଜା’ ଉପାଧିଟି ପରିଚୟ ତା’ର ।

 

୩।୮।୪୬

☆☆☆

 

ରାମଚନ୍ଦ୍ର ଭଞ୍ଜଦେଓ

 

ଜନ୍ମ ନେଇଥିଲ ରାଜକଳା ଘେନି ଭବେ,

ତୁମ୍ଭର ରାଜଶ୍ରୀ ଦେଖି ସରବେ ମୋହିତ,

ବିଳାସ ବ୍ୟସନ ସ୍ପର୍ଶ କରି ନାହିଁ ଲବେ,

ଅଚ୍ଛେଦ୍ୟ ବନ୍ଧନେ ବଦ୍ଧ ପ୍ରଜାଙ୍କ ସହିତ ।

ନିଜ ରାଜ୍ୟେ ରାମରାଜ୍ୟ କରିବା ମାନସେ

କରିଥିଲ ପରେ ତୁମ୍ଭ ଅସାଧ୍ୟ ସାଧନ,

ଦୁଇପୁତ୍ର ସହ ଭ୍ରମି ସୁଦୂର ପ୍ରବାସେ

ଦେଖାଇଲ ସେମାନଙ୍କୁ ଉନ୍ନତ ଶାସନ ।

ମୃଗୟାରେ ଥିଲା ତବ ଅଦଭୁତ ପ୍ରୀତି,

ହରାଇଲ ତେଣୁ ତବ ଅମୂଲ୍ୟ ଜୀବନ,

ଜାଣି ନାହିଁ କଦାପି ଜୀବନେ ଭୟ ଭୀତି,

ମ୍ରିୟମାଣ ତବ ଶୋକେ ଉତ୍କଳ ଭୁବନ ।

ଥିଲ ତୁମ୍ଭେ ମହାରାଜା, ମନସ୍ଵୀ ପଣ୍ଡିତ,

ଲକ୍ଷ୍ୟ ମାତ୍ର ଥିଲା ଆଚରିବା ଦେଶହିତ ।

 

୫।୮।୪୬

☆☆☆

 

ଆକବର

 

ହୁମାୟୁନ-ତନୁ ଜାତ ଧନ୍ୟ ଆକବର

ନେଇଥିଲ ଶୁଭଯୋଗେ ଭାରତରେ ଜନ୍ମ;

ଉଜ୍ଜ୍ୱଳିଲ ମାତୃମୁଖ ପୁରୁଷ ପ୍ରବର,

ସ୍ଵର୍ଗେ ପରିଣତ କଲ ଏ ଭାରତ-ସଦ୍ମ ।

ପାଳିଲ ଭାରତ-ପ୍ରଜା ପୁତ୍ରନିର୍ବିଶେଷେ

କରି ହିନ୍ଦୁ ମୁସଲିମ ଭେଦ ପରିହାର;

ତୁମ୍ଭ ଖ୍ୟାତି ଗଲା ରଟି ସ୍ଵଦେଶ ବିଦେଶେ,

ମୋହିଲା ମାନବେ ସଦା ତୁମ୍ଭ ବ୍ୟବହାର ।

ହେଲ ହିନ୍ଦୁସଙ୍ଗେ ବୈବାହିକ ସୂତ୍ରେ ବନ୍ଧା,

ହିନ୍ଦୁ ସେନାପତିଠାରେ ବିଶ୍ଵାସ ସ୍ଥାପନ,

ହେଲେ ହିନ୍ଦୁ-ମୁସଲିମ ପରସ୍ପର ଛନ୍ଦା,

କଲେ ମହାଶାନ୍ତି ଭରେ ଜୀବନ ଯାପନ ।

ପତିତ ଅରାତି ପ୍ରତି ସଦା ଦୟା ବହି,

ତୋଷୁଥିଲ ମନ ତା’ର ମିଷ୍ଟ କଥା କହି ।

 

୧୬।୭।୪୬

☆☆☆

 

ଚନ୍ଦ୍ରଗୁପ୍ତ

 

ମହାପଦ୍ମ ନନ୍ଦ ସୁତ ଆହେ ନରରାଣ

ମାରି ମହାନନ୍ଦେ ସିଂହାସନ ଅଧିକାର,

ବୀରମଦେ ମତ୍ତ ସଦା ତୁମ୍ଭର ପରାଣ

ହୋଇଲା ଉଜ୍ଜ୍ୱଳ ମୁଖ ଭାରତ ମାତାର ।

ଶୁଭକ୍ଷଣେ ଚାଣକ୍ୟଙ୍କୁ ମନ୍ତ୍ରୀ ରୂପେ ପାଇ

କେତେ ଦୁଃଖ କେତେ କଷ୍ଟ କଲ ଅତିକ୍ରମ,

ହୋଇଗଲ ସେଲ୍ୟୁକସ କନ୍ୟା ଲାଗି ବାଇ,

ପାଇ ଭାର୍ଯ୍ୟା ରୂପେ ତ ସଫଳ ହେଲା ଶ୍ରମ ।

ଜନ୍ମିଥିଲ ମୌର୍ଯ୍ୟ ବଂଶେ ହେ ମଗଧରାଜ

ବଢ଼ାଇଲ ନିଜ ଗୁଣେ ମାତୃବଂଶ ଖ୍ୟାତି;

ଘୋଷୁଅଛି ଇତିହାସ ବଜ୍ରନାଦେ ଆଜ

ତୁମ୍ଭେ କରିନାହଁ ଭୟ ଦୁର୍ଦ୍ଧର୍ଷ ଅରାତି ।

‘ମୁ ଦ୍ରାରାକ୍ଷସ’ ରେ ଗୀତ ତୁମ୍ଭ ଗୁଣଗ୍ରାମ,

ଧନ୍ୟ ଧନ୍ୟ ଚନ୍ଦ୍ରଗୁପ୍ତ ଧନ୍ୟ ତୁମ୍ଭ ନାମ ।

 

୧୬।୭।୪୬

☆☆☆

 

ଶିବାଜୀ

 

ଯବନ କବଳୁ ଦେଶ ଛଡ଼ାଇବା ପାଇଁ

ବୀରାଗ୍ରଣୀ ! କରିଥିଲ ଏକା ପ୍ରାଣ ପଣ

ତୁମ୍ଭପରି ବୀର ଜଣେ ଭୂଭାରତେ ନାହିଁ

ଦେଖାଇଲ ମୋଗଲଙ୍କ ସଙ୍ଗେ କରି ରଣ ।

ଆଓରଙ୍ଗଜେବ କଲେ ବନ୍ଦୀ କାରାଗାରେ

ଆସିଲ ମୁକୁଳି ତୁମ୍ଭେ ନିଜ କଉଶଳେ,

ବାଦସାହ ଆଚମ୍ବିତ ଅଦ୍ଭୂତ ବ୍ୟାପାରେ

ଅପମାନ ପ୍ରତିଶୋଧ ନେଲ ବୁଦ୍ଧିବଳେ ।

ତବ ଶୌର୍ଯ୍ୟ ବିର୍ଯ୍ୟେ ଦାକ୍ଷିଣାତ୍ୟ ଥରହର

ସ୍ଥାପିଲେ ସମ୍ରାଟ ସନ୍ଧି ତୁମ୍ଭରି ସହିତ,

ହେଲେ ତୁମ୍ଭ ତେଜେ ତୁମ୍ଭ ସୈନ୍ୟ ତତପର,

ହିନ୍ଦୁପ୍ରାଣ ହିନ୍ଦୁସ୍ଥାନେ ଭୀରୁତାରହିତ ।

ଆଜି ଭାରତରେ ଲୋଡ଼ା ତୁମ୍ଭ ଉପସ୍ଥିତି,

ଗାଆନ୍ତୁ ସରବେ ତୁମ୍ଭ ଗଉରବ-ଗୀତି ।

☆☆☆

 

ବିଶ୍ଵନାଥ କର

 

ବ୍ରାହ୍ମଣ କୁଳରେ ଜାତ ବିଶ୍ଵନାଥ କର

କଟକର ପଲ୍ଲୀଗ୍ରାମେ ଅଟେ ତାଙ୍କ ଘର,

ଯୌବନରେ ବ୍ରାହ୍ମଣର ଉପବୀତ ଛାଡ଼ି

ସସ୍ତ୍ରୀକ ହୋଇଲେ ବ୍ରାହ୍ମ ନାନା ଯୁକ୍ତି ବାଢ଼ି ।

ଆଜୀବନ ସେହି ଧର୍ମେ ରଖିଣ ବିଶ୍ୱାସ

କାଟିଲେ ନିର୍ମମ ଭାବେ କୁଳଧର୍ମ-ପାଶ,

ନିରାକାର ବ୍ରହ୍ମ ହେଲେ ଉପାସ୍ୟ ତାଙ୍କର

ରହିଲେ ଦୂରରେ କାଳୀ, କୃଷ୍ଣ ବା ଶଙ୍କର ।

ସାହିତ୍ୟ ସେବାରେ ସେହୁ ଉତ୍ସର୍ଗିଲେ ପ୍ରାଣ

“ଉତ୍କଳ ସାହିତ୍ୟ’ ତେଣୁ ସମ୍ପାଦିଲେ ଜାଣ

ନିର୍ଭୀକ ଭାବରେ କଲେ ବ୍ୟକ୍ତ ନିଜ ମତ

କାହାରି ଆଗରେ ମୁଣ୍ଡ କଲେ ନାହିଁ ନତ ।

ଥିଲା ମନୁଷ୍ୟତ୍ୱ ପୂର୍ଣ୍ଣ ତାଙ୍କର ସ୍ଵଭାବ

ସ୍ପଷ୍ଟ ଥିଲା କଥା ହେଉ କ୍ଷତି ଅବା ଲାଭ,

ଏଭଳି ବଳିଷ୍ଠମନା ଏଭଳି ଉଦାର

ଦେଖାନାହିଁ, ମିଷ୍ଟ ଥିଲା ତାଙ୍କ ବ୍ୟବହାର ।

ବିଶୁଦ୍ଧ ଓଡ଼ିଆ କହୁଥିଲେ ଅନର୍ଗଳ

ତାହାଙ୍କର ଲେଖା ଥିଲା ସରଳ ପ୍ରାଞ୍ଜଳ,

ରାଜନୀତି କ୍ଷେତ୍ରେ ସଦା ଥିଲେ ସେ ସ୍ଵାଧୀନ,

ସ୍ଵାଧୀନ ଭାବରେ ଚାଲିଗଲା ତାଙ୍କ ଦିନ ।

 

୨୫।୯।୪୬

☆☆☆

 

 

 

 

 

 

 

 

 

 

 

 

 

(୩) ବିବିଧ କୁଞ୍ଜେ

 

ଜଗନ୍ନାଥ ମନ୍ଦିର

 

ଗଢ଼ିଅଛି କେଉଁ ବିଶ୍ୱକର୍ମା ଅବା

ଶ୍ରୀଜଗନ୍ନାଥ ମନ୍ଦିର,

ପଲକ ପାତକୁ ବଳୁନାହିଁ ମନ

ଏ ଦୀନ ହୀନ ବନ୍ଦୀର ।

ଘେନି ବଳରାମ ଆଉ ସୁଭଦ୍ରାଙ୍କୁ

ବିଜେ ପ୍ରଭୁ ଜଗନ୍ନାଥ,

ଅନାଦି କାଳରୁ ଅନାଦି ମାହାତ୍ମ୍ୟ

ଗୀତ ଯହିଁ ସାୟଂ ପ୍ରାତଃ ।

ମନ୍ଦିର ବାହାରେ ଦେଖି କାରୁ କାର୍ଯ୍ୟ

ହେଲି ମୁହିଁ ସ୍ତମ୍ଭୀଭୂତ

ଓଡ଼ିଆ ଶିଳ୍ପୀର କିରତୀ ଦର୍ଶନେ,

ପରଶଂସା ଅଗ୍ରଦୂତ ।

ନିରମିଛି ଆହା କିଏ ଏ ମନ୍ଦିର

ସକଳ ସୌନ୍ଦର୍ଯ୍ୟ ଦେଇ,

ପଚାରିଲି ମୋର ମନକୁ ମୁଁ ନିଜେ

ମନ ଗଲା ମୋତେ ନେଇ,

ଅତୀତର ସେହି ସୁଦୁର ଦେଶକୁ

ଅନଙ୍ଗଭୀମ ଯେ କାଳେ,

ଥିଲେ ଉତ୍କଳର ନରନାହା ପୁଣି

ଜୟ ଟୀକା ତା’ର ଭାଲେ ।

ଉତ୍କଳ ନୃପତି ନିଜ ପାଇଁ ଯେଉଁ

ଗଢ଼ିଥିଲେ ଅଟ୍ଟାଳିକା,

ଲୁଚି ଗଲାଣି ତ ତା’ର ଚିହ୍ନ ବର୍ଣ୍ଣ

କାଳ ଗର୍ଭେ ଅଇଚ୍ଛିକା ।

ଦେବତାଙ୍କ ପାଇଁ ଦେବାଳୟ ଯେଉଁ

ନିରମାଣି ଥିଲେ ତାହା

ପରିହାସି କ୍ଷୟ- କାରୀ କାଳି ଏବେ

କେସନେ ବିରାଜେ ଆହା ।

ଦେବାଳୟ ଗାତ୍ରେ ଅଦିବ୍ୟ ମୂରତି

କିପାଇଁ ଏହି ବିଧାନ ?

ଅଦିବ୍ୟ ମୂରତି କଲେ ଚିତ୍ତ ଚୋରି

ଦିବ୍ୟ ପାଇଁ ନାହିଁ ସ୍ଥାନ ।

ଭକତର ଚିତ୍ତ ପରୀକ୍ଷା ନିମିତ୍ତ

ଅଛି ଦେବାଳୟ ଗାତ୍ରେ

ଅଶ୍ଳୀଳ ମୂରତି ଛାଡ଼ି ତା’ ଦେଖନ୍ତି

ଜଗନ୍ନାଥେ ଭକ୍ତ ମାତ୍ରେ ।

କୃଷ୍ଣ, କାଳୀ, ଲକ୍ଷ୍ମୀ ସରସ୍ଵତୀ ପୁଣି

ବିମଳାଦି ଦେବ ଦେବୀ

ଘେରି ରହିଛନ୍ତି ବଳିଆର ଭୁଜେ

ତାଙ୍କ ସଙ୍ଗ-ସୁଖ ସେବି ।

ଚତୁର୍ଦ୍ଦିଗେ ମହା- ପ୍ରସାଦ କୁଡ଼ୁଆ

ଡାଲି ତରକାରି ଘେନି

ରାଜୁଅଛି କରି ଚିତ୍ତ ବିନୋଦନ

ତୋଷି ନାସା ଜିହ୍ଵା ବେନି ।

ନାହିଁ ଜାତିଭେଦ ମହାପରସାଦେ

ଜାତି ବର୍ଣ୍ଣ ନିର୍ବିଶେଷେ,

ସେବନ୍ତି ସକଳେ ମହାପରସାଦ

ବିଶୁଦ୍ଧ ଭକତି ବଶେ ।

ଚଇତନ୍ୟ ଆଦି ସାଧୁ ଓ ମହାତ୍ମା

ଜଗନ୍ନାଥ ଦରଶନେ,

କରିଣ ପ୍ରବେଶ ଏହି ଦେବାଳୟେ

ଫେରିଥିଲେ ପୂର୍ଣ୍ଣ ମନେ ।

ଯେଉଁ ଉତ୍କଳରେ ପ୍ରଭୁ ଚକାଡ଼ୋଳା

ହିନ୍ଦୁ ପରାଣ ପିତୁଳି

ସାରା ଭାରତର ହିନ୍ଦୁଏ ବୋଳନ୍ତି

ପୁଣ୍ୟ ନୀଳାଚଳ ଧୂଳି ।

ଉଡ଼ୁଥାଉ ଚିର- କାଳ ଉତ୍କଳରେ

ବଡ଼ ଦେଉଳର ବାନା,

ଦେଶ ଦେଶାନ୍ତର ଭକତେ ଏଠାରୁ

ପା’ନ୍ତୁ ଆଧ୍ୟାତ୍ମିକ ଦାନ ।

 

୧୩।୮।୪୬

☆☆☆

 

ସ୍ତବ

 

(୧)

 

ଧନ୍ୟ ଧନ୍ୟ ଦୟାମୟ ଆହେ ଭଗବାନ

ପ୍ରତି କ୍ଷଣେ ତୁମ୍ଭ ପାଦେ ଥାଉ ମୋର ପ୍ରାଣ

ତୁମ୍ଭେ ସବୁରି ବାନ୍ଧବ,

ଦରିଦ୍ର ସହାୟ ତୁମ୍ଭେ ବିଧବାର ଧବ ।

 

(୨)

 

ଏ ଜଗତେ ପଶୁପକ୍ଷୀ ମାନବ ସମାଜ

ତୁମ୍ଭେ ଅଟ ସଭିଙ୍କର ଏକ ମହାରାଜ;

ତୁମ୍ଭେ ଅଗତିର ଗତି,

ସ୍ମରିବି ତୁମ୍ଭଙ୍କୁ ସଦା ଦିଅ ଏହି ମତି ।

 

୧୩। ୮। ୪୬

☆☆☆

 

ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର

 

ଲିଙ୍ଗରାଜଙ୍କର ମନ୍ଦିର ଦେଖିଲେ

ପିଛୁଳଇ ନାହିଁ ଆଖି,

ଓଡ଼ିଆ ବିନ୍ଧାଣୀ- ଙ୍କର କଳାବିଦ୍ୟା

ଅଟେ ଏହା ମୂକସାକ୍ଷୀ ।

କେଶରୀ ବଂଶର ଶୈବ ନରପତି

ଲଲାଟେନ୍ଦୁ ପୁଣ୍ୟଶ୍ଳୋକ,

ଅମର ହୋଇଲେ ଗଢ଼ାଇ ଦେଉଳ

ସରଜିଛି ଦିବ୍ୟ ଲୋକ ।

ମନ୍ଦିର ଗାତ୍ରରେ ଦେଖି କାରୁକାର୍ଯ୍ୟ

ହୁଅଇ ପରାଣ ମୁଗ୍‍ଧ,

ବାରମ୍ବାର ତାହା ଦେଖିବାକୁ ଆହା

ନେତ୍ର ବେନି ସଦା ଲୁବ୍‍ଧ ।

ରାଜପ୍ରାସାଦର ନାହିଁ ଚିହ୍ନ ବର୍ଣ୍ଣ

ମନ୍ଦିର ହୋଇଛି ଠିଆ,

କ୍ଷୟକାରୀ କାଳେ କରି ପରିହାସ

ଉଲୁସାଇ ନର ହିୟା ।

☆☆☆

 

କୋଣାର୍କ ମନ୍ଦିର

 

କେଉଁ ବିନ୍ଧାଣୀର କଳ୍ପନା ପ୍ରସୂତ

କୋଣାରକ ଦେବାଳୟ,

ଯାହା ନେତ୍ରାତିଥି କରି ନର ନାରୀ

ଲଭୁଅଛନ୍ତି ବିସ୍ମୟ ।

ବତ୍ରିଶ ଚକ୍ରର ରଥ ଆକାରରେ

ଗଠିତ ମନ୍ଦିର-ରତ୍ନ,

କେଉଁ ନରପତି ଗଢ଼ିବାକୁ ଏହା

କରିଥିଲେ ବହୁ ଯତ୍ନ ?

ରାଜା ନରସିଂହ* ହୋଇଲେ ଅମର

ଗଢ଼ାଇ ମନ୍ଦିର ଏହି,

ଅମର ହୋଇଛି ବଢ଼ାଇର ପୁଅ

ଧନ୍ୟ ଧର୍ମପଦ ସେହି ।

 

* ଲାଙ୍ଗୁଳା ନରସିଂହ ଦେବ ।

 

ବାରଶ ବଢ଼ାଇ ନ ପାରିଲେ ଯାହା

ପାରିଲା ଧରମପଦ,

ବାର ବରଷର ବୁଦ୍ଧିଆ ପିଲା ସେ

ନାହିଁ ଥିଲା ତା’ର ମଦ ।

ବାରଶ ବଢ଼ାଇ କାଳେ ରାଜ ଦଣ୍ଡେ

ଦଣ୍ଡିତ ହୋଇବେ ଭାଳି,

ତ୍ୟାଗ ଧରମର ପ୍ରତୀକ ଧରମା

ନିଜ ପ୍ରାଣ ଦେଲା ଢାଳି ।

ମନ୍ଦିର ଚୂଡ଼ାର ଉପରି ଭାଗରୁ

ପଡ଼ିଲା ନିର୍ଭୟେ ଡେଇଁ,

ସମୁଦ୍ର ଗର୍ଭରେ ବିସର୍ଜିଲା ପ୍ରାଣ

ନିଶ୍ଚିନ୍ତ ହେଲେ ବଢ଼େଇ ।

ଧରମାର ଏହି ଅକ୍ଷୟ କୀରତି

ରହିଲା ମନ୍ଦିର ସହ

ଥିବ ଯେତେଦିନ କୋଣାର୍କ ମନ୍ଦିର

ତାକୁ କେ ଭୁଲିବ କହ ।

କେଉଁ କାରଣରୁ ଏ ମନ୍ଦିର ସାର

ଭଜିଅଛି ଭଗ୍ନ ଦଶା,

ଦେଖିଲେ ଏହାର ନିର୍ମାଣ ଚାତୁରି

ରସି ଯାଉଅଛି ରସା ।

ଧନ୍ୟ ଧନ୍ୟ ସେହି ଉତ୍କଳର ରାଜା

ଧନ୍ୟ ଉତ୍କଳର କଳା,

ଧରଣୀ ବକ୍ଷରେ ଚିର ବିଘୋଷିତ

ନୋହିବ କି ଏହା ଭଲା ?

 

୨୦।୮।୪୬

☆☆☆

 

ସାକ୍ଷୀଗୋପାଳ

 

ସାନ ବିପ୍ର ପାଇଁ ସାକ୍ଷୀ ଦେବାଲାଗି

ବୃନ୍ଦାବନ ଧାମୁ ଆସି,

ବଡ଼ ବିପ୍ରେ କରି ଲଜ୍ଜା ଅବନତ

ହେଲ କାଞ୍ଚିପୁର-ବାସୀ ।

ଶ୍ରୀ ପୁରୁଷୋତ୍ତମ ଉତ୍କଳ ରାଜନ

କଲେ ଯେବେ କାଞ୍ଚି ଜୟ,

ଆଣିଲେ ତୁମ୍ଭଙ୍କୁ ସେ କାଞ୍ଚିପୁରରୁ

କଲେ କଟକରେ ଥୟ ।

କଟକରୁ ପୁଣି ଗଲ ସତ୍ୟବାଦୀ

ହେଲ ତହିଁ ପ୍ରତିଷ୍ଠିତ,

ଶ୍ରୀରାଧା ମୂରତି ଘେନି ସଙ୍ଗତରେ

ହୋଇଅଛ ବିରାଜିତ ।

କାହିଁକି କେଜାଣି ଛାଡ଼ିଅଛ ଅନ୍ନ

ଭୋଗ ହୁଏ ଖଇଚୂର,

ମିଷ୍ଟାନ ବହୁଳ ଭୋଗରାଗ ଆଦି

ଯାତ୍ରୀ କ୍ଷୁଧା କରେ ଦୂର ।

ସାନ ବିପ୍ର ସ୍ତବେ ହୋଇଣ ପ୍ରସନ୍ନ

ଆସିଛ ସୁଦୂର ଦେଶେ,

ବଡ଼ ବିପ୍ର କନ୍ୟା ହେଲ ବିବାହିତ

ସାନ ବିପ୍ର କନ୍ୟା ଶେଷେ ।

ସତ୍ୟର ମର୍ଯ୍ୟାଦା କରିବାକୁ ରକ୍ଷା

ଆସିଲ କଷଣ ସହି,

ତୁମ୍ଭ ସ୍ଥାନ ତେଣୁ ଗୌରବ-ମଣ୍ଡିତ

ସତ୍ୟବାଦୀ ନାମ ବହି ।

ତୁମ୍ଭେ ନେଲ ନାମ ଶ୍ରୀ ସାକ୍ଷୀଗୋପାଳ

ହୋଇ ସାନ ବିପ୍ର ସାକ୍ଷୀ,

ନିରାଶ୍ରୟେ ପ୍ରଭୁ କରୁଥାଅ ରକ୍ଷା

ଦେଖୁଥାଉ ସବୁ ଆଖି ।

ହେ ସାକ୍ଷୀଗୋପାଳ ଅଧମ ତାରଣ

ଶ୍ରୀମତୀ ରାଧିକା ସଙ୍ଗେ;

ଉତ୍କଳ ଭୂମିକୁ ପ୍ରେମ ଭକତିରେ

ଦିଅ ହେ ଭସାଇ ରଙ୍ଗେ ।

ତୁମ୍ଭ ପ୍ରଭାବରୁ ଘେନି ସତ୍ୟ ଦୀକ୍ଷା

ଉତ୍କଳ ଯୁବକ ଜାଗୁ,

ବହୁ ଦିବସର ଅବସାଦ ତା’ର

ଏଥର ଅଚିରେ ଭାଙ୍ଗୁ ।

☆☆☆

 

ମୋ ମା’

 

ଗରଭଧାରିଣୀ ଜନନୀ ମୋହର

କେଉଁଆଡ଼େ ଗଲୁ ଚାଲି,

ଜନମ ଦୁଃଖିନୀ ବହୁ ଦୁଃଖେ ତୁହି

ଥିଲୁ ତନୟଙ୍କୁ ପାଳି ।

ତୋ ଋଣ ଯିବ କି ସୁଝା ?

ନ ବୁଝେ ମନ ଅବୁଝା ।

ସ୍ଵାମୀ ସୋହାଗିନୀ ହେବାଟି ତୋହର

ଲଲାଟେ ନ ଥିଲା ଲେଖା,

ସାଧ୍ଵୀ ପତିବ୍ରତା ତୋହ ପରି ଜଣେ

ସହଜେ ନ ଯାନ୍ତି ଦେଖା ।

ଧନ୍ୟ ଅଦୃଷ୍ଟ ଲିଖନ,

ଦୁଃଖେ ଗଲା ତୋ ଜୀବନ ।

ଶାଶୁ ଶ୍ଵଶୁରଙ୍କ ଆଦର ଯତନ

ଜାଣିଲୁ ନାହିଁ ତ କେବେ,

ଏତେ ଯତନରେ ସେମାନଙ୍କ ସେବା

କରିଥିଲୁ କିଁପା ତେବେ ?

କର୍ତ୍ତବ୍ୟଟି ଥିଲା ଜଣା,

କେବେ ହୋଇନାହୁଁ ବଣା ।

ପଞ୍ଚ ସନ୍ତାନରୁ ତିନି ପୁତ୍ର ତୋର

ରହିଥିଲେ ଏକା ବଞ୍ଚି,

ଦୁଇକନ୍ୟାଙ୍କୁ ତୁ ହରାଇଥିଲୁ ମା’

ଦୁଃଖ ରଖିଥିଲୁ ସଞ୍ଚି ।

ତିନି ପୁତ୍ରେ ଥିଲୁ ତୁଷ୍ଟ

କେହି ଶାନ୍ତ କେହି ଦୁଷ୍ଟ ।

ସ୍ଵାମୀ ପୁତ୍ରଙ୍କର ମଙ୍ଗଳ ପାଇଁ ତୁ

ଦେବଦେବୀଙ୍କ ସକାଶେ,

ଅହର୍ନିଶ ସଦା ଜଣାଉଥିଲୁ ମା

ସର୍ବ ଅମଙ୍ଗଳ ନାଶେ ।

ତୋହ ପରି ସାଧ୍ଵୀ ପାଇ

ଦୁଃଖ ସ୍ଵାମୀ ଜାଣେ ନାହିଁ ।

ଥରେ ତୁଇ ମାତଃ ଉତ୍କଟ ରୋଗରେ

ଛାଡ଼ି ବସିଥିଲୁ କାୟା,

ତୋର ବୃଦ୍ଧା ଶାଶୁ କହିଥିଲେ କାନ୍ଦି

ଯିବ ଛାଡ଼ି ସବୁ ମାୟା ?

କାନ୍ଦଣା ସହି ନ ପାରି,

ପୁଣି ଆସିଲୁ କି ଫେରି ?

ସ୍ଵାମୀ ପୁତ୍ର ପୁତ୍ର- ବଧୂଙ୍କ ଅର୍ଦଳି

ସବୁ ସହିଲୁ କିପରି,

ମନୁଷ୍ୟ ଜୀବନ ପାଇଥିଲୁ ସିନା

ଛାତିକି ପଥର କରି ?

ଧନ୍ୟ ସେ ସହିବା ଗୁଣ,

ଦେଖିବି କି କାହିଁ ପୁଣ ?

ଯେଉଁମାନେ ତୋତେ ଦେଇଥିଲେ କଷ୍ଟ

ତାଙ୍କ ଅମଙ୍ଗଳ ନାଶେ,

ବ୍ୟାକୁଳ ଅନ୍ତରେ ଜଣାଇଥିଲୁ ମା

ତୋର ଦେବ ଦେବୀ ପାଶେ ।

ସତେ କି ଅଟୁ ମାନବୀ ?

ମୋର ପ୍ରତେ ତୁହି ଦେବୀ ।

ଧର୍ମ ପଥେ ଥାଇ ଜୀବନ ଯାପନେ

ଦେଲୁ ବାରମ୍ବାର ଶିକ୍ଷା,

ସ୍ଵରଗ ଧାମରୁ ସେହି ଆଶୀର୍ବାଦ

ଏବେ ମଧ୍ୟ ମୋର ଭିକ୍ଷା ।

ଥାଉ ତୋ ଚରଣେ ମନ,

ଦିଅ ମାଗୋ ଭକ୍ତି-ଧନ ।

ତୋର ସ୍ଵାମୀ ପୁତ୍ରେ ସମ୍ମୁଖରେ ରଖି

ସେମାନଙ୍କୁ ତୁ କନ୍ଦାଇ,

ଚାଲିଗଲୁ ମାତଃ ସ୍ୱରଗର ଦେବୀ

ନ ଜାଣଇ ଅଛୁ କାହିଁ ।

ତୋ ସ୍ଵାମୀ ମଧ୍ୟମ ପୁତ୍ର

ଧରିଲେଣି ତୋର ସୂତ୍ର ।

ଅଗ୍ରଜ ଅନୁଜ ଦୁଇ ଭାଇ ଆଜି

ପରା ସଂସାରରେ ଥାଇ,

ସଂସାରର ତାପେ ତପ୍ତ ହୋଇ ମାଗୋ

ତୋତେ ଡାକୁଅଛି ରାଇ ।

କର ଏ ଆର୍ଶିବାଦ

ଭଜେ ଗୁରୁ ଇଷ୍ଟ ପାଦ ।

☆☆☆

 

କୈଳାସଚନ୍ଦ୍ର

 

ସୁଖେ ଦୁଃଖେ ସାଥୀ ମୋର ହେ ମଧ୍ୟମ ଭ୍ରାତ

ଛାଡ଼ି ମୋତେ କେଉଁଠାକୁ ଗଲ ତୁମ୍ଭେ ଚାଲି,

ପୁତ୍ରଦ୍ଵୟେ ଅକାଳରେ କରିଣ ଅନାଥ

କାହା ଡାକ ତିଳେ ନାହିଁ ପାରିଲ ସମ୍ଭାଳି ।

ଯେଉଁଦିନ ମୋ ଗଳାରୁ ମାଳାଟି ଛଡ଼ାଇ

ଶ୍ରୀଚରଣ ଦାସେ ଗୁରୁ ପଦେ ଥିଲ ବରି,

କୀର୍ତ୍ତନ ଆନନ୍ଦେ ଗଡ଼ି ଆବର ଗଡ଼ାଇ

ଯାପିଲ ଜୀବନ ସଦା ଗୁରୁପଦ ଧରି ।

ସେ ଦିନର କଥା ଆଜି ପଡ଼େ ମନେ ମୋର

ମନେ ପଡ଼େ ତୁମ୍ଭର ସେ ସ୍ନେହ ଅନାବିଳ,

ମନେ ପଡ଼େ ତୁମ୍ଭ ପ୍ରତି ମାତୃ-ସ୍ନେହ ଡୋର

କେତେ କଥା ପଡ଼େ ମନେ-ସଂସାର ଛବିଳ ।

ଯାଇଅଛ ଗୁରୁପାଦପଦ୍ମ କରି ସାର,

ଯେଉଁ ଗୁରୁ ଜଣାଇଲେ ସଂସାର ଅସାର ।

 

୧୦।୪।୪୬

☆☆☆

 

ଈଶ୍ୱର ଏକ

 

କାହିଁରେ ହୋଇଲୁ ବାଇ

ଈଶ୍ଵରଙ୍କ ନାମ ଅଟଇ ଅନେକ

ମୂଳେ ଏକ ଜଣା ନାହିଁ ?

 

ଜଳର ବହୁତ ନାମ,

ଏକୁଆ, ୱାଟର, ଜଳ, ପାନି, ପାଣି

ତଥା କୃଷ୍ଣ, କାଳୀ, ରାମ ।

 

ଜାଣି ଏହି ସତ୍ୟ କଥା

ବିଭିନ୍ନ ଧରମେ ମରାମରି ଛାଡ଼

ଛାଡ଼ ସେ ପୁରୁଣା ପ୍ରଥା ।

 

୨୭।୫।୪୬

☆☆☆

 

ବିଷୟୀର ମନ

 

ବିଷୟୀର ମନ ନୁହଇ ସବଳ

କେତେବେଳେ ଭକ୍ତିଭରା,

ପୁଣି କେବେ ଅବା ସଂସାର ମଧ୍ୟରେ

ଭୋଗ ପାଇଁ ଧରା ପରା ।

ମାଛି କେତେବେଳେ ସନ୍ଦେଶ ଉପରେ

କେତେବେଳେ ବିଷ୍ଠା’ପରେ,

ସଂସାରୀର ମନ କେବେ ପ୍ରଭୁପାଦେ

କେବେ ବିଷୟ ଭିତରେ ।

ସଂସାରୀ ଜନର ବିଭୂ ଅନୁରାଗ

ଅଟଇ କ୍ଷଣିକ ସିନା,

ହୁଏ ଛଟ ପଟ ପରାଣ ତାହାର

ବିଷୟ ପ୍ରସଙ୍ଗ ବିନା ।

ମୁହଁରେ ‘ଈଶ୍ଵରବୋଲଇ ବିଷୟୀ

ହୃଦୟରେ ନାହିଁ ଲେଖା,

ତେଣୁ ସଉକରେ ଈଶ୍ଵର ବୋଲାଇ

ନାହିଁ ପାଏ ତାଙ୍କ ଦେଖା ।

☆☆☆

 

ନାରୀ

 

ମାନବ ସମାଜେ ମାତ୍ର...ଛନ୍ତି ଦୁଇ ଜାତି

ନର ଆଉ ନାରୀ,

ବହୁ ଜାତି ସର୍ଜେ ଭ୍ରାନ୍ତ...ମିଥ୍ୟା ମଦେ ମାତି

କେ କରେ ସୁମାରି ।।

ପୃଥିବୀରେ ନାରୀ ଜନ୍ମ...ସୁଖ ଦେବା ପାଇଁ

ନାରୀ ଶୂନ୍ୟ ସ୍ଥାନ–

ମରୁଭୂମିଠାରୁ ବଳି...ନୁହେ କି ନିର୍ଜନ

କର ଅନୁମାନ ।

କୋମଳତା ଦେଇ ଗଢ଼ା...ନାରୀର ସ୍ଵଭାବ

କୋମଳ ସେ ତନୁ,

ସେ ନାରୀ ଉଚ୍ଚାରେ ଯଦି...କେବେ ରୁକ୍ଷ କଥା

ପାସୋରେ କି ମନୁ ?

ନାରୀର କର୍କଶ ବାଣୀ...ଭେଦଇ ହୃଦୟ

ଅଟେ ଶଲ୍ୟ ସମ,

ପୁରୁଷର ରୁକ୍ଷ ଭାଷା...ନୁହେ ମର୍ମଭେଦୀ

ପୂର୍ଣ୍ଣ ଅସଂଯମ ।

ଲକ୍ଷ୍ମୀରୂପା ଅଟେ ଯେଉଁ...ନାରୀ ଏ ଜଗତେ

ଆଚରଣ ଧୀର,

ଶୁଣିବାକୁ ନିରନ୍ତର...ବଳେ ମନପ୍ରାଣ

ତା’ର ମିଷ୍ଟ ଗିର ।

ଅଲକ୍ଷଣୀ ଅବିରତ...କଳହେ ଉନ୍ମତ୍ତା

ବାକ୍ୟ କଣ୍ଟକିତ;

ସମାଜରେ ତା’ ଅସ୍ତିତ୍ଵ ଦିଅଇ ଯାତନା

ବଚନ ଅତୀତ ।

ମୃଦୁ ନାରୀ ପତି ପୁତ୍ର...କନ୍ୟା ସହ ଭବେ

ରଚେ ସ୍ଵର୍ଗଧାମ,

ସମାଜ ଆକାଂକ୍ଷା କରେ...ତାର ସଙ୍ଗ ସଦା

ମିଷ୍ଟ ତା’ର ନାମ ।

ନାରୀ ! ଯେବେ ଏ ଜୀବନେ...ନ ପାରିବ ସିଞ୍ଚି

ଅମୃତର ଧାରା,

ନୁହଇ କି ଏହି ପୋଡ଼ା...ଜୀବନ ତୁମ୍ଭର

ଆତ୍ମକୃତ କାରା ?

ସ୍ନେହ, ଶାନ୍ତି, ଲଜ୍ଜା, ଧୃତି...ଦୟାର ଆଧାର

ଧନ୍ୟ ଲକ୍ଷ୍ମୀ ନାରୀ;

ସତ୍ୟ ସତ୍ୟ ଏ ଜଗତେ...ତୁମ୍ଭେ ଅଟ ଏକା

ଦେବୀ ନାମଧାରୀ ।

 

୧୩।୧୧।୪୫

☆☆☆

 

ସତୀ

 

ଯାହା ରକ୍ତାଧରୁ ସଦା ଝରଇ ଅମୃତ,

ଯାର ବାକ୍ୟ ମଧୁରୁ ମଧୁର

କୃତ୍ରିମତା ଯାର ବ୍ୟବହାରେ ନାହିଁ ମିଳେ,

ମୁର୍ତ୍ତି ଯାର ସୌମ୍ୟ ଓ ସୁନ୍ଦର;

ସ୍ଵାମୀ ସେବା କରଇ ଯେ ଦେବସେବା ଭଳି,

ପତି ଯାର ସଦା ଧ୍ୟାନ ଜ୍ଞାନ;

ସ୍ଵାମୀ ସୁଖେ ନିଜ ସୁଖ ଦିଏ ଜଳାଞ୍ଜଳି,

ସ୍ଵାମୀଠାରେ ସଦା ଯାର ପ୍ରାଣ;

ସଦା ପୁତ୍ର କନ୍ୟା ଯେହୁ ବାନ୍ଧେ ସ୍ନେହପାଶେ,

ଶାଶୁ ଶ୍ଵଶୁରଙ୍କ ସେବା କରେ,

ପତିପ୍ରାଣ ହରେ ଯେହୁ ଦିବ୍ୟ ମୃଦୁ ଭାଷେ,

ଲକ୍ଷ୍ମୀ ସମ ରାଜେ ପରିବାରେ;

ସହିଷ୍ଣୁତା ମୂର୍ତ୍ତିମତୀ ପତିବ୍ରତା ନାରୀ,

ସତୀ ନାମେ ଅଭିହିତା ଗୁଣ ମନୋହାରୀ ।

 

୧୫।୪।୪୫

☆☆☆

 

ପୁତ୍ର

 

ଯୁବକର ମନୋହରୀ ପୌଢ଼ର ଗୌରବ

ସ୍ଥବିର ଆଶ୍ରୟ ଯେହୁ ପୁତ୍ର ନାମେ ଖ୍ୟାତ,

ଯାର ପ୍ରାପ୍ତି ଲାଗି ସଦା ବ୍ୟାକୁଳ ମାନବ

କରଇ ଗୁହାରି ବିଭୂ ପାଶେ ସାୟଂ ପ୍ରାତଃ ।

ଜନମ ଦିନରୁ ତା’ର ବଞ୍ଚିଥିବା ଯାକ

ପିତାମାତା କରୁଥାନ୍ତି କଲ୍ୟାଣ କାମନା,

ଅଶେଷ ଆନନ୍ଦ ଦିଏ ‘ବାପା’ ବୋଉ’ ଡାକ

ଆର୍ଶୀବାଦପୂର୍ଣ୍ଣ ହୁଏ ହୃଦୟ ରସନା ।

ସେହି ପୁତ୍ର ଅଟେ ଏକା ଯଥାର୍ଥ ନନ୍ଦନ

କାମିନୀକାଞ୍ଚନ ମୋହ ଯଥାକାଳେ ଏଡ଼ି,

କରେ ପିତୃ ମାତୃ ସେବା ଘେନି ତାଙ୍କ ମନ

ବାନ୍ଧି କି ପାରଇ ତାକୁ କେବେ ମାୟା ବେଡ଼ି?

ପିତୃମାତୃ ଆଜ୍ଞାବହ ଅଟେ ଯେଉଁ ସୁତ,

ହୁଅଇ ଅଚିରେ ତା’ର ଉନ୍ନତି ବହୁତ ।

 

୧୭।୧୧।୪୫

☆☆☆

 

କନ୍ୟା

 

ପରିବାର ଉପବନେ ସୁରଭି କୁସୁମ ସମ

କନ୍ୟା ନାହିଁ ଯାହାର ଆବାସେ,

ସେ କାହୁଁ ଜାଣିବ ସ୍ନେହ ମମତାର ମର୍ମ

ଯାଇଛି କି ସୌନ୍ଦର୍ଯ୍ୟର ପାଶେ ?

ପିତା ମାତା ଭ୍ରାତା ଆଦି ଯେତକ ସମ୍ବନ୍ଧ

ପ୍ରୀତିପାଶେ ବନ୍ଧା ପରସ୍ପର,

କନ୍ୟାଠାରୁ ସର୍ବେ ଆଶା କରନ୍ତି ସତତ

ବ୍ୟବହାର ସରଳ ସୁନ୍ଦର ।

ବୃଦ୍ଧ ପିତା ମାତା ପଡ଼ି ବ୍ୟାଧିର କବଳେ

ସେବା ପାଇଁ ହୋଇଲେ ବ୍ୟାକୁଳ,

ପୁତ୍ର କେବେ ଦେଇ ତାଙ୍କୁ ନ ପାରେ ସନ୍ତୋଷ

କନ୍ୟା ଏକା ସେବାଧର୍ମ ମୂଳ ।

ଏହିଭଳି କନ୍ୟା ପୁଣି ହେଲେ କାହିଁ ଜାତ

ପଡ଼ିଯାଏ ତହିଁ ହାହାକାର,

ପୁତ୍ର ନୋହି କନ୍ୟାଟିଏ ହେଲା ବୋଲି ଦୁଃଖ

ଏ କି ସମାଜର ଅବିଚାର !

ସ୍ଵଗୃହେ ପାଳିତା ପୁଣ ହୋଇଲେ ଶିକ୍ଷିତା

ହେଲେ ପ୍ରାପ୍ତ ସ୍ନେହମୟ ଯତ୍ନ,

ସ୍ନେହ, ପ୍ରୀତି, ଶ୍ରଦ୍ଧା ସେବା ଗୁଣେ ବିଭୂଷିତା

ହୁଅଇ ଯଥାର୍ଥ କନ୍ୟା ରତ୍ନ ।

 

୨୦।୧୧।୪୫

☆☆☆

 

ମାତା

 

ଅଛିକି ଜଗତେ ଆଉ ଏଭଳି ସମ୍ବନ୍ଧ

ଧନ୍ୟ ସେହୁ ଯେହୁ ବୁଝିଅଛି ମାତୃତତ୍ତ୍ଵ,

ଏ ତତ୍ତ୍ଵ ଅଜଣା ଯାର, ଅଟଇ ସେ ଅନ୍ଧ

ଜାଣନ୍ତି ମହତ ଜନ ମାତାଙ୍କ ମହତ୍ତ୍ଵ ।

ମାତାର ସନ୍ତାନ ପାଇଁ ଭାବନା ଉଦବେଗ,

କେ କଳି ପାରିବ କହ ଏ ମର ସଂସାରେ,

ସନ୍ତାନ ଲାଗି ଯେ ତା’ର ସର୍ବ ସ୍ଵାର୍ଥ ତ୍ୟାଗ,

ତୁଚ୍ଛ କରେ ନିଜ ପ୍ରାଣ ଆଉ କେ ରସାରେ ?

ପିତା ତ ପାଳନକର୍ତ୍ତା ବିଦିତ ଭୁବନେ

ମାତୃସ୍ନେହ ସଙ୍ଗେ ପିତୃସ୍ନେହ ନୁହେଁ ତୁଳି,

ପିତାଠାରୁ ବଡ଼ ମାତା ସର୍ବଶାସ୍ତ୍ର ଭଣେ

ଅଛି କି ଏ ଭବେ ସ୍ନେହ ମାତୃସ୍ନେହୁଁ ବଳି ?

ମାତା ପ୍ରତି ପ୍ରୀତି କୃତଜ୍ଞତା ଥାଏ ଯାର,

ଏ ଜଗତେ ଧନ୍ୟ ସେହି ତାକୁ ନମସ୍କାର ।

☆☆☆

 

ବିମାତା

 

ସୃଷ୍ଟିର କି ବିଚିତ୍ର ବିଧାନ

ମାତୃସ୍ତନୁଁ ଝରଇ ଅମୃତ,

ସେ ମାତା ହୋଇଲେ ବିମାତା

ସେହି ସ୍ତନୁଁ ଗରଳ ନିଃସୃତ ।

ଗୋଟିଏ ସନ୍ତାନ ବର୍ତ୍ତମାନେ

ପିତାଙ୍କର ବିବାହ ବିପଦ,

ହୁଅନ୍ତି ନିରୟଗାମୀ ସେହୁ

ସନ୍ତାନଟି ଗଣେ ପରମାଦ ।

ନିଜର ସନ୍ତାନ ହେବାଯାଏ

ବିମାତାର ସ୍ୱରୂପ ନ ଫୁଟେ,

ଗୋଟିଏ ସନ୍ତାନ ମୁଖ ହେରି

ସପତ୍ନୀ-ତନୟ-ସ୍ନେହ ତୁଟେ ।

ସ୍ଵାମୀଙ୍କର ଥାଏ ଯେଉଁ ସ୍ନେହ

ପୁର୍ବପତ୍ନୀ ସନ୍ତାନଙ୍କ ପ୍ରତି,

ଠାୟାଣୀ ମରଇ ହିଂସାନଳେ

ସ୍ଵାମୀ ପ୍ରାଣେ ବିଷ ଢାଳେ ନିତି ।

ସ୍ଵାମୀ ସ୍ତ୍ରୀ ଉଭୟେ ମେଳ ବାନ୍ଧି

କରନ୍ତି ଏ ସନ ବ୍ୟବହାର,

ମାତୃହୀନ ମାଗେ ମୃତ୍ୟୁ ଶେଷେ

ଅବା ହୁଏ ଗୃହରୁ ବାହାର ।

☆☆☆

 

ନିର୍ଭରତା

 

ହରିଙ୍କ ଉପରେ କର ହେ ନିର୍ଭର

ତାଙ୍କରି ଇଚ୍ଛା ଉପରେ,

ଝଡ଼ରେ ଅଇଣ୍ଠା ପତର ଭଳିଆ

ପଡ଼ିଥାଅ ନିରନ୍ତରେ ।

ଅଇଣ୍ଠା ପତର ଝଡ଼ ବେଗେ ଉଡ଼ି

ଅଳିଆ ଗଦାରେ ପଡ଼େ

କେତେବେଳେ ଅବା ଝଡ଼ ତାକୁ ଖରେ

ଘର ଭିତରକୁ ତଡ଼େ ।

ଆଜି ରଖିଛନ୍ତି ଦୁଃଖମୟ ସ୍ଥଳେ

ଦେବେ କାଲି ଦିବ୍ୟ ସ୍ଥାନ,

ହୋଇଅଛ ଆଜି ଶୋକେ ଅବସନ୍ନ

କାଲି ପୁଲକିତ ପ୍ରାଣ ।

ତାହାଙ୍କ ଉପରେ କର ହେ ନିର୍ଭର

ହେଉ ତାଙ୍କ ଇଚ୍ଛା ଜୟୀ,

ତୁମ୍ଭର ଇଚ୍ଛାକୁ ଦଳିଦିଅ ପାଦେ

ତାଙ୍କ ପାଦପଦ୍ମେ ରହି ।

☆☆☆

 

ଭୃତ୍ୟ

 

ବହୁ କାଳ ଅତ୍ୟାଚାର

ସହି ସହି ଭୃତ୍ୟ ହୋଇଛି ବିପ୍ଳବୀ

ବଦଳିଛି ଢଙ୍ଗ ତା’ର ।

ବିନା ବାକ୍ୟବ୍ୟୟେ ଆଉ,

ସହିବ ନାହିଁ ସେ ମେରୀ ରାୟ ରୀତି

ସମ୍ଭାଳିବ ନାହିଁ ଦାଉ ।

ଟେକିଛି ଏଥର ମୁଣ୍ଡ,

ଅନ୍ୟାୟ ବେଭାରେ ନୁହେ ସେ ନୀରବ

ସରବେ ହୁଅନ୍ତି ରୁଣ୍ଡ ।

ସଭାରେ ବିଚାର କରି,

ହାକିମମାନଙ୍କ ନ୍ୟାୟାନ୍ୟାୟ କଥା

ବସନ୍ତି ଗୁମାନ ଧରି ।

ଚାକର ଆଉ ନୋହିବ,

ଗାଳି ମନ୍ଦ ସହି ତୁଚ୍ଛାକୁ ଆଉ ସେ

ଅନ୍ୟାୟ କିପାଁ ସହିବ ?

ଭୃତ୍ୟ ରଖିବାକୁ ଗଲେ,

ଆତ୍ମସନମାନ ରଖ ହେ ତାହାର,

ସେବିବ ତୁମ୍ଭଙ୍କୁ ଭଲେ ।

☆☆☆

 

ଧନୀର କର୍ତ୍ତବ୍ୟ

 

ଧନିକ ହୋଇଛି ସତ

ଧନ ଧାନ୍ୟେ ଅବିରତ

ପୂର୍ଣ୍ଣ ତବ ଗନ୍ତାଘର,

ପଡ଼ୋଶୀ ଉଦର ଜ୍ୱାଳା

ନ ସହି ସେ ପାନ୍ଥଶାଳା

କରେ ଆଶ୍ରା କେତେ ଥର ।

 

ବିଧବାର ଅଶ୍ରୁବାରି

ପିଲାପିଲିଙ୍କ ଗୁହାରି

ଦେଖିଲ, ଶୁଣିଲ ନାହିଁ,

ବିଳାସରେ ହୋଇ ମତ୍ତ

ପାଷାଣ ହୋଇଲ ସତ

ମନୁଷ୍ୟ ହେଲ କିପାଇଁ ?

 

ଜାଣ ଏହି ପାପ ଫଳେ

ସବୁ ଯିବ କାଳବଳେ,

ହେବ ସାର ଅନୁତାପ,

ବେଳ ଥାଉ ଥାଉ ଭାଇ

ଖାଅ ଭୋକୀକୁ ଖୁଆଇ

ଧୋଇଯିବ ସବୁ ପାପ ।

☆☆☆

 

ଦାନ

 

କରିବ ସାତ୍ତ୍ୱିକ ଦାନ ?

ଆଣ୍ଠୁ ମାଡ଼ିବସି

ମାଗ ଅନୁମତି

ଗ୍ରହୀତା କରୁ କଲ୍ୟାଣ ।

ଯେସନ ଗୋଲାପ ଫୁଲ,

ଭିତରେ ସୁବାସ

କରେ ଗନ୍ଧ ନାଶ

ହେଉ ଦାନ ତାହା ତୁଲ ।

ଯେ ଅଛି ଅଭାବେ ବୁଡ଼ି,

କର ତାକୁ ଦାନ

ପୁଲକିତ ପ୍ରାଣ

ନ ଯାଥ ହେ ପଥ ହୁଡ଼ି ।

ନାମ ଯଶ ବାସନାରେ,

କରେ ଯେହୁ ଦାନ

ରାଜସିକ ଜାଣ

ରହେ ତାହା ରସନାରେ ।

ଦେଲେ କରି ଅପମାନ,

ବୃଥା ସେହି ଦାନ

କରେ ମନ ମ୍ଳାନ

ତାମସିକ ତାହା ଜାଣ ।

 

୨୬।୬।୪୬

☆☆☆

 

ହିନ୍ଦୁ ଓ ମୁସଲମାନ

 

ହେ ହିନ୍ଦୁ ମୁସଲମାନ,

ଦୁଇ ଭାଇ ବଡ଼ ସାନ !

ଦୁହେଁ ନର-ଆଖ୍ୟା-ଧାରୀ,

କାହିଁକି ହେଉଛ ଘାରି ?

ଭୁଲିକି ଗଲ ହେ ଉଭୟେ ଭାରତବାସୀ,

ଭାରତମାତାର ହେବ ଦୁଃଖ ଦୂର,

ଉଭୟେ ହେଲେ ପ୍ରୟାସୀ । ୧ ।

ହିନ୍ଦୁ ଓ ମୁସଲମାନ

ଧରମେ ଆସ୍ଥା ସମାନ ।

ଦୁହିଁଙ୍କ ଈଶ୍ଵର ଏକା,

ଖାଲି ଭିନ୍ନ ନାମେ ଡକା ।

ଏତିକି ନଜାଣି କାହିଁରେ ଭୁଲିଲ କହ;

ଦିବାରାତ୍ର କିପାଁ ଲଗାଇଅଛ କଳହ ? । ୨ ।

ହିନ୍ଦୁ ଓ ମୁସଲମାନ,

ଦୁହିଁଙ୍କ ଜ୍ଞାନ ସମାନ ।

ଏକ ଅଟେ ଅନୁଭୂତି,

ସମାନ ଇଚ୍ଛା ଶକତି ।

ଦେଖ ଚିନ୍ତା କରି ଯାହା କିଛି ତାଙ୍କ ଦାନ,

ବୈଷମ୍ୟତ କିଛି ନାହିଁ ହେ ତହିଁରେ ଜାଣ । ୩ ।

ହିନ୍ଦୁ ଓ ମୁସଲମାନ

ଆଲୋକ ପା’ନ୍ତି ସମାନ,

ସୂର୍ଯ୍ୟ ଓ ଚନ୍ଦ୍ରଙ୍କଠାରୁ

କା’ର ଭୁଲ କା’ର ମାରୁ ?

ଜଳ ଓ ପବନ ଆଦି ଯେତେ ଦେବ ଦାନ,

କାହାରି ପକ୍ଷରେ ନୁହେ ଊଣାଟି ପ୍ରମାଣ । ୪ ।

ଖାଦ୍ୟ ବା ଖାଇବା ରୀତି

ଅବା ବେଶଭୂଷା ନୀତି,

ଅବା ଆଚାର ବେଭାର

ମନୁଷ୍ୟ କରତା ଯାର।

ବୈଷମ୍ୟ ଏଥିରେ ଥିଲେ ଆଉ ଯେତେ କାଳ;

ଏଥିପାଇଁ କିଁପା ସୃଷ୍ଟିରେ ଗୋଳମାଳ ? । ୫ ।

ହିନ୍ଦୁ ଓ ମୁସଲମାନ

କଥାରେ ବୈଷମ୍ୟ ଜାଣ,

ଧରମ ଶାସ୍ତ୍ର ପୃଥକ,

ବୈଷମ୍ୟ ଜଣା ଏତକ,

ଏଥିପାଇଁ ଥିବ ମନାନ୍ତର ଚିର ପାଇଁ,

ହେଉଥିବେ ମାଡ଼ ନିରନ୍ତର ଭାଇ ଭାଇ ? । ୬ ।

ହିନ୍ଦୁ ଓ ମୁସଲମାନ

ଭାରତ-ଗୃହର ଜାଣ

ଦୁଇଟି ଟାଣୁଆ ସ୍ତମ୍ଭ,

ଥିଲେ ଦୁହିଁଙ୍କର ଦମ୍ଭ

ଭାରତମାତାର କାହିଁ ଥିବ ଆଉ ଶୋକ ?

ବାହାବା କରିବେ ଅନ୍ୟ ଦେଶବାସୀ ଲୋକ । ୭ ।

ହିନ୍ଦୁ ଓ ମୁସଲମାନ

ଏକଥା ମୁକର ଜାଣ-

କଲେ ଧର୍ମ ନାମେ କଳି

କେ ଅଛି ତୁମ୍ଭଠୁଁ ବଳି

ମୂର୍ଖ ମାନବ ଏ ମହୀମଣ୍ଡଳେ ଆଉ

ଈଶ୍ଵରଙ୍କ ନାମେ ଶୁଦ୍ଧ ପ୍ରେମ ଥାଉ ଥାଉ । ୮ ।

ହିନ୍ଦୁ ଓ ମୁସଲମାନ

ସରବ ପ୍ରଥମେ ଜାଣ

ଦୁହେଁ ତ ଭାରତବାସୀ

ଭାରତର ଦୁଃଖ ନାଶୀ,

ଦ୍ଵିତୀୟରେ କେହି ହିନ୍ଦୁ ବା ମୁସଲମାନ,

ଧରମ ଅଟଇ ଏକ ଈଶ୍ଵରଙ୍କ ଦାନ । ୯ ।

ହିନ୍ଦୁ ଓ ମୁସଲମାନ,

ନିଶ୍ଚୟ ରହିମ ରାମ

ନୁହେ ଦୁଇ ଅଟଇ ଏକ,

ଏ କଥା ହୃଦୟେ ଲେଖ;

ମନୁଷ୍ୟ ହୋଇଛ କର ହେ ସତ୍ୟକୁ ସାର,

କଳହ ବରଜି କର ଦିବ୍ୟ ବ୍ୟବହାର । ୧୦ ।

ହିନ୍ଦୁ ଓ ମୁସଲମାନ

ଭାଇକି ହାତରେ ହାଣ ?

ଏ’ ବା ବିଚାର କିପରି

ମନୁଷ୍ୟ ନାମଟି ଧରି ?

ଆଉ କେତେ କାଳ ଚାଲିବ ହେ ମୁଣ୍ଡ ତୋଳି

ଭାରତମାତାର ମୁଖରେ କାଳିମା ବୋଳି ? । ୧୧ ।

ହିନ୍ଦୁ ଓ ମୁସଲମାନ,

ଗାଅ ମିଳନର ଗାନ,

ଛାଡ଼ି ପାଶବ ଆଚାର

ତ୍ୟଜି ତବ ସ୍ଵାର୍ଥ ଛାର,

ଦେଶର ଉନ୍ନତି ସାଧନେ ହୁଅ ହେ ଠିଆ,

ଦୁହିଙ୍କ ଭିତରେ ହେଉ ଭାବ ଦିଆନିଆ । ୧୨ ।

 

୨୪।୮।୪୬

☆☆☆

 

ସଖା

 

ଏ ସଂସାରେ କିଏ ସଖା

କିଏ ଅବା ମିତ୍ର ?

କାହାର ଅଟଇ ପ୍ରାଣ

ପରମ ପବିତ୍ର ?

ମୋର ସୁଖେ ଦୁଃଖେ କିଏ

ହୁଏ ସୁଖୀ ଦୁଃଖୀ,

ମୋ ମୁଖ ଦେଖି ମଳିନ

କା’ର ଯାଏ ଶୁଖି ?

ସମ୍ପଦେ ବିପଦେ ମୋତେ

କହେ ମିଷ୍ଟ ବାଣୀ,

ଦିବ୍ୟ ଜ୍ଞାନ ଦିଏ ମୋତେ

ବେଳ କାଳ ଜାଣି ?

ନାହିଁ ଭାଇ ଏ ସଂସାରେ

ନାହିଁ ସଖା ଜାଣ,

ସଖା ସଖା ବୋଲି କିପାଁ

ନଇରାଶ୍ୟ ଆଣ ?

☆☆☆

 

କାଠଯୋଡ଼ି ବନ୍ଧ

 

କହ କାଠଯୋଡ଼ି ବନ୍ଧ

ଆଉ ନ’ ବରଷେ ହଜାର ବରଷ

ଶୁଣିଲୁଣି କେତେ ଛନ୍ଦ ?

 

ଅଟୁ ମୂକ ସାକ୍ଷୀ ତୁହି,

ପଠାଣ, ମୋଗଲ, ମରହଟ୍ଟାମାନଙ୍କ

କଥା ନେବି ତୋଠୁଁ ମୁହିଁ ।

 

ଆସିଲେ ଇଂରଜ ରାଜା,

ମର୍କତ କେଶରୀ କିରତୀ ନିରେଖି

ହୋଇଗଲା ମନ ତାଜା ।

 

ଦେଖେଁ ଯେତେ ଅନୁଷ୍ଠାନ,

ମରାମତି ଲୋଡ଼ା ପ୍ରତି ବରଷରେ

କିଏ ବା ତୋର ସମାନ ?

 

କଟକ ସହର ଆଜି,

ତୋ ଅନୁଗ୍ରହରୁ ବନ୍ୟଯାକ ଏଡ଼ି

ଆନନ୍ଦେ ଅଛି ବିରାଜି ।

 

ନ ଥିଲେ କଟକ ପାଶ,

ଏ ସହର କେଉଁ କାଳୁ ଯାଆନ୍ତାଣି

ହୋଇଥାନ୍ତା ସର୍ବନାଶ ।

 

ପ୍ରଭାତେ ପ୍ରଦୋଷ କାଳେ,

ତୋ ସହିତ ଦେଖା ସତତ ମୋହର

ମନେ ମନେ ମୁହିଁ ଭାଳେ–

 

ଆହା ସେ କେଉଁ ବିନ୍ଧାଣୀ,

କରାଳ ସ୍ରୋତକୁ ବାଟେ ନେବା ପାଇଁ

ଥିଲା ତୋତେ ନିରମାଣି ।

 

ଗ୍ରୀଷମ କାଳକ ଯାକ

କାଠଯୋଡ଼ି ଶଯ୍ୟା ବାଲୁକାମୟଟି

ଦେଖା ନାହିଁ ଲୋକବାକ ।

 

ଆସିଲେ ବରଷା କାଳ,

କାଠଯୋଡ଼ି ନଦୀ ଦୁଇ କୂଳ ଠେଲି

ମୂରତି ଧରେ କରାଳ ।

 

ହେରି ତା’ ଜଳସମ୍ପଦ,

ଆବାଳ ବୃଦ୍ଧ ବନିତା ସକଳେ

ଧରି ନାନା ପରିଚ୍ଛଦ ।

 

ହୁଅନ୍ତି ତୋ’ଠାରେ ରୁଣ୍ଡ,

ଜଳ କମିଗଲେ କେ ଯାଏ କୁଆଡ଼େ

ଯାଏ’ ଦେଖା ଏତେ ମୁଣ୍ଡ ?

 

ଯଥା ଧନିକର ପାଶେ,

ଶରଣ ପଶନ୍ତି କେତେ ନରନାରୀ

ଛାଡ଼ିଯାନ୍ତି ଧନ ନାଶେ ।

 

ଛିଡ଼ା ହେଲେ ତୋ ଉପରେ,

ପ୍ରଭାତ କାଳର ପାରବତ୍ୟ ଦୃଶ୍ୟ

ବହୁ ଜନମନ ହରେ ।

 

ପ୍ରଦୋଷ କାଳରେ ପୁଣି,

ପ୍ରତୀଚୀ ଦିଗର ଅସ୍ତଗାମୀ ରବି

ଲାଲ ରଶ୍ମି ଦିଏ ବୁଣି ।

 

ଶିଳ୍ପୀ ଯଦି ଧରେ ତୁଳି,

ଏ ରମ୍ୟ ଦୃଶ୍ୟର ଶତାଂଶ ଚିତ୍ରିଲେ

ଦେବି ମୁହିଁ ହୁଳହୁଳି ।

 

ଧନ୍ୟ କାଠଯୋଡ଼ି ବନ୍ଧ,

ଅଜର ଅମର ହୋଇଥା, ନୋହିଲେ

କଟକିଆ ଭାଗ୍ୟ ମନ୍ଦ ।

 

୨୭।୮।୪୬

☆☆☆

 

ନିଦ୍ରା

 

କହ ନିଦ୍ରା କେଉଁ ସୂତ୍ରେ ଆସି

କରୁ ତୁ ଅବଶ ଏ ଶରୀର,

ହୁଅଇ ଅଙ୍ଗପ୍ରତ୍ୟଙ୍ଗ ନିମିଷେ ଶିଥିଳ

ଦେଖୁ ଦେଖୁ ସବୁ ଧୀର ସ୍ଥିର ।

ଯେଉଁ ଚକ୍ଷୁ ମୁହୂର୍ତ୍ତକ ଆଗେ

ଦେଖୁଥିଲା ଏ ବିଶ୍ୱ ସଂସାର,

ମୁଦି ହୋଇଯାଏ ତୋ ପ୍ରଭାବେ

ଚାହୁଁ ଚାହୁଁ ସବୁ ଅନ୍ଧକାର ।

କେତେ ସୁଖ କେତେ ଦୁଃଖ କଥା

ଭାବୁଥିଲା ମନ ନିଜ ଭାବେ,

ତୋହର ଆଗମେ ସେ କୁଆଡ଼େ

ପଶିଲାଣି ଆପଣାର ଠାବେ ।

ନିରଳସ କର୍ମୀ ତୋର କୋଳେ

ପାଏ ଯେଉଁ ଶାନ୍ତି ନିଶାକାଳେ,

ଅଳସ ଧନିକ ତାହା ପାଇବ କିପରି

ସଦା ଏହି ଭାବନା ସେ ଭାଳେ ।

ଅଳସ ଜନର ତୁହି ଅରି

ମନ ତୋର ଅଟେ ପରିଶ୍ରମୀ,

ରଖ ତୁ ଘୋଡ଼ାଇ ଘଣ୍ଟ ତାକୁ

ବରଣ କରେ ସେ ତୋତେ ନମି ।

ଚିନ୍ତାଭରେ କ୍ଲାନ୍ତ ଯେବେ ମନ

ତୋର ଦୟା ନାହିଁ ଯାଏ ଦେଖା,

ଏକ, ଦୁଇ ତିନି ଆଦି ସଂଖ୍ୟା

ଗଣନାନ୍ତେ ପଡ଼େ ତୋର ରେଖା ।

କେହି ଜପେ ବିଭୁନାମ ମନେ

ପାଇବାକୁ ତୋର ପରସାଦ,

ତୋ ନିଗ୍ରହେ ଯାର ଜାଗରଣ

ପରଦିନ ତାହାର ବିଷାଦ ।

ତୁହି ଅଟୁ ଯା’ଠାରେ ପ୍ରସନ୍ନ

ଶୋଇଲେ ସେ ନ ଦେଖେ ସ୍ଵପନ,

ତୋର କୃପା ନାହିଁ ଯାହାଠାରେ

ଦୁଷ୍ଟ ସ୍ଵପ୍ନ କରେ ଆକ୍ରମଣ ।

ଯାହା ପ୍ରତି ଅନୁଗ୍ରହ ଅତି

ହୋଇ ନ ପାରେ ସେ ଯୋଗୀଜନ,

ଯାହା ପ୍ରତି ଏକାନ୍ତ ନିଗ୍ରହ

ତା’ର ଦିଶା ଅଟଇ ତେସନ ।

ପ୍ରୀତି ଯାର ଅତି ଭୋଜନରେ

ଅବା ଯେହୁ ରହେ ଉପବାସୀ,

ଏ ଦୁହିଁଙ୍କ ଅପରାଧ ଲାଗି

ଅଟୁ ତୁହି ସତତ ଉଦାସୀ ।

ବାଲ୍ୟକାଳେ ମୋ ପ୍ରତି ତୋହର

ଅନୁରାଗ ପଡ଼ିଗଲେ ମନେ

ହୁଏ ମୁହିଁ ଲଜ୍ଜା ଅଭିଭୂତ

ଦେଲୁ ବାଧା ମୋତେ ଅଧ୍ୟୟନେ ।

ତୋର ଅତି ଅନୁରାଗେ ପଡ଼ି

ଅଙ୍କ ଶାସ୍ତ୍ରେ କଲି ଅବହେଳା,

ସବୁ ମୋର ଚିତ୍ତେ ଅଛି ଲେଖା

କହିବାକୁ ନାହିଁ ଆଉ ବେଳା ।

କେତେ ଯତ୍ନ କଲେ ମୋ ଅଗ୍ରଜ

ଏମୋନିଆ ସୁଙ୍ଘାଇଲେ ମୋତେ,

ନିଆଁ ଖୁଣ୍ଟା ଧରାଇଲେ କରେ

ସବୁ ଭାସିଗଲା ତୋର ସ୍ରୋତେ ।

ଲେମ୍ବୁ ଚୋପା ରସ ମାରି ନେତ୍ରେ

ତଡ଼ିବାକୁ କରିଛି ପ୍ରୟାସ,

ସବୁ ଚେଷ୍ଟା ହୋଇଛି ବିଫଳ

ସାର୍ଥକଟି ହୋଇଛି ଆୟାସ ।

ଛାତ୍ର ଜୀବନଟି ହେଲା ଶେଷ

ଆଉ ନାହିଁ ତୋହର ପ୍ରଭାବ,

କୃପା କରିଥିଲେ ସେତେବେଳେ

କରିଥାନ୍ତି ଧନ ଜ୍ଞାନ ଲାଭ ।

ଯାହାହେଉ ତୋ କରୁଣା ଦୃଷ୍ଟି

ପଡ଼ିଥିଲା ବୋଲି ବାଲ୍ୟକାଳେ,

ବହୁକାଳ ଲଭି ସ୍ୱାସ୍ଥ୍ୟ ଧନ

ସବଳ ମୁଁ ଅଛି ପକ୍ଵ ବାଳେ ।

ନିଦ୍ରା ! ତୁହି ଯେବେ ମହାନିଦ୍ରା

ରୂପେ, ଦିନେ ହେବୁ ପରିଣତ,

ବିଭୁ ନାମ ଭଜାଇବୁ ମୋତେ

ବହୁଦିନ ପୂର୍ବେ ଅବିରତ ।

ନ କରି ବିଭୋର ତେତେବେଳେ

ଦେବୁ ମୋତେ ସତତ ଚେତାଇ,

ଦେଖି ଇଷ୍ଟମୂର୍ତ୍ତି ମୃତ୍ୟୁ ଆଗେ

ଯିବି ଗୁରୁ ଇଷ୍ଟନାମ ଗାଇ ।

 

୧୪।୯।୪୬

☆☆☆

 

ଧନ୍ୟରେ ଜୀବନ ତା’ର

 

ପ୍ରାତଃ କାଳେ ଶଯ୍ୟାତ୍ୟାଗେ ପୂର୍ବେ

କରେ ଯେହୁ ବିଭୁପଦେ ଆତ୍ମ ସମର୍ପଣ,

କରି ଶଯ୍ୟାତ୍ୟାଗ ପିତୃମାତୃ

ଆଦି ଗୁରୁଜନେ ଯେହୁ କରଇ ବନ୍ଦନ,

ସାରି ନିତ୍ୟକର୍ମ ଦିଏ ମନ

କରଣୀୟ କର୍ମ ଯଥାବିଧି ସମ୍ପାଦନେ,

ତୋଷେ ମିଷ୍ଟ ଭାଷେ ସର୍ବ ଜନେ

ପିତାମାତା ଭ୍ରାତା ଭଗ୍ନୀ ଧନୀ ଓ ନିର୍ଦ୍ଧନେ,

କର୍ମକ୍ଷେତ୍ରେ ଆଗ୍ରହ ଯାହାର

ସରଳତା ସତ୍ୟକଥା ଦିବ୍ୟ ବ୍ୟବହାର,

ନିରଳଶ ଶାନ୍ତ ଓ ସୁଧୀର

ଆଶ୍ରୟ ଅଟଇ ଯେହୁ ପର ଆପଣାର,

ଗୁରୁଜନ ସେବା ଯାର ବ୍ରତ

ଅତିଥି ଓ ଅଭ୍ୟାଗତେ ଯେ ଦିଏ ସମ୍ମାନ,

ତ୍ରିସନ୍ଧ୍ୟାରେ ବିଭୁ ପଦେ ମତି

ଅଛି ଯାର ଗୁରୁଇଷ୍ଟ ପାଦପଦ୍ମେ ଧ୍ୟାନ,

ଶୟନ ପୂର୍ବରୁ ଯେହୁ ପୁଣି

କରେ ଆତ୍ମନିବେଦନ ବିସ୍ମରି ସଂସାର,

ଏ ମରତେ ସାର୍ଥକ ଜୀବନ

ଲୋକ ମୁଖେ ରଟେ “ଧନ୍ୟ ଜୀବନ ତାହାର’’ ।

 

୨୯।୧।୪୭

☆☆☆

 

ଧିକରେ ଜୀବନ ତା’ର

 

ବିଭୁ ଧ୍ୟାନ ଯେହୁ ପରିହରି

ସୂର୍ଯ୍ୟୋଦୟ ଅନ୍ତେ ଶଯ୍ୟାତ୍ୟାଗରେ ଅଭ୍ୟସ୍ତ,

ଆପଣାର ସ୍ଵାର୍ଥ ସିଦ୍ଧି ପାଇଁ

କର୍ମମାନ ଛଳେ ବଳେ ସାଧନରେ ବ୍ୟସ୍ତ,

ନିରନ୍ତର ଅର୍ଥ ଚିନ୍ତା ଯାର

ପରମାର୍ଥ ବିସ୍ମୃତିଗର୍ଭରେ ଚିରକାଳ,

କର୍ମକ୍ଷେତ୍ରେ ସେହି ଅର୍ଥ ଚିନ୍ତା

ଉତ୍କୋଚ ଗ୍ରହଣ ଆଦି ଅକଥ୍ୟ ଜଞ୍ଜାଳ,

କର୍ମକ୍ଷେତ୍ରୁଁ ଅସ୍ଥିର ମନରେ

ଫେରି ଯେହୁ ପିତାମାତା ପୁତ୍ରକନ୍ୟାଗଣେ,

ମିଷ୍ଟ ଭାଷେ ନ ପାରଇ ତୋଷି

ସର୍ବ ଜନେ ଦିଏ ବ୍ୟଥା କର୍କଶ ବଚନେ,

ତ୍ରିସନ୍ଧ୍ୟାରେ ବିଭୁ ନାମ ଥରେ

ନ କରଇ ଉଚ୍ଚାରଣ, ନାହିଁ ଦାନ ଧ୍ୟାନ,

ପ୍ରତାରଣା ମିଥ୍ୟା କଥା ଯାର

ମାନସକୁ ଅହରହ କରୁଅଛି ମ୍ଳାନ,

କାମିନୀ କାଞ୍ଚନ ଦିବାରାତି

ଏକମାତ୍ର କ୍ରୀଡ଼ନକ, ସଂଯମର ଧାର

ଧାରି ନାହିଁ ଯେହୁ କେତେବେଳେ,

ସୁଧୀ ଜନ ମତେ ‘’ଧିକ ଜୀବନ ତାହାର’’ ।

 

୬।୨।୪୭

☆☆☆

 

ସଙ୍ଗୀତ

 

ଶୁଣିବାକୁ ନାହିଁ ମନ

ସେ ସଙ୍ଗୀତ ଆଉ,

ଶ୍ରବଣେ ପଶିଲେ ଯାହା

ଜଳେ ଦାଉ ଦାଉ ।

ଶୁଣିବି ନାହିଁ ସେ ଗୀତ

ଶୁଣିଲେ ଯା ଥରେ,

ବିଚାର ବିବେକ ମୋର

ନିମିଷକେ ହରେ ।

ଶୁଣିବିକି ସେହି ଗୀତ

ଯାହାର ପ୍ରଭାବେ,

ହୃଦୟ ନିତ୍ୟକୁ ଛାଡ଼ି

ଅନିତ୍ୟକୁ ଭାବେ ?

ଶୁଣ ସେହି ଗୀତ ଥରେ

ଯାହା କର୍ଣ୍ଣେ ପଶି,

ଦୂର କରେ ମନୁ ଗର୍ବ

ସଦା ନିତ୍ୟେ ରସି ।

ନାହିଁ ଯେ ଗୀତେ ପ୍ରେରଣା

ନାହଁ ଦିବ୍ୟ ଭାବ,

ସେ ଗୀତ ଆଦର କରି

କିବା ମୋର ଲାଭ ?

 

୩।୧୦।୪୬

☆☆☆

 

ରୂପ ମୋହ

 

ପ୍ରଭୋ, ତବ ଭବ-ଉଦ୍ୟାନେ

ଫୁଟାଇଛ ପୁଷ୍ପ କେତେ

ମନକୁ ଆସିଛି ଯେତେ

ଶୋଭା ପାଉଛନ୍ତି ଆହା ଯେ ଯାହା ସ୍ଥାନେ । ୧ ।

ନରନାରୀ ନେତ୍ର –ଅତିଥି,

ହେଉଛନ୍ତି ଅହର୍ନିଶ,

ବ୍ୟାପିଛନ୍ତି ଚତୁର୍ଦ୍ଦିଶ,

ନବ ନବ ରୂପେ ମୁହିଁ ଦେଖଇ ନିତି । ୨ ।

ସୁନା-ରୂପ ଯେତେ ଦେଖିଲେ,

ମେଣ୍ଟଇ ନାହିଁ ପିପାସା,

କ୍ରମେ ବଢ଼ିଯାଏ ଆଶା,

ଉପୁଜେ ମରଣ ଦଶା ଆଖି ଲାଖିଲେ । ୩ ।

କୃମିଜାଲ ପୂର୍ଣ୍ଣ ଶରୀର;

ତାହା ପାଇଁ ଏତେ ଲୋଭ ?

ଅପ୍ରାପ୍ତିରେ ଏତେ କ୍ଷୋଭ ?

କିବା ଅଛି ରୂପେ ଭାବ ହୋଇଣ ସ୍ଥିର । ୪ ।

ଯମ ଦିନେ ଆସିବ ଜାଣି,

ରୂପ ମୋହେ ହେଲ ଘାରି

ତୁମ୍ଭେ ଅବିବେକୀ ଭାରି

ବେଳସୁଁ ସତର୍କ ହୁଅ ବିଚାର ଆଣି । ୫ ।

ଦିନ ପରା ଯାଉଛି ଚାଲି

ସଂକଳ୍ପ କରୁଛ ଯାହା,

ଭୁଷୁଡ଼ି ପଡ଼ୁଛି ତାହା,

ଆଜି ନ କରି ଭାବୁଛ କରିବ କାଲି ? । ୬ ।

କର ଏହି ସଂକଳ୍ପ ମନେ;

ରୂପ ମୋହ ଦେଇ ଛାଡ଼ି

ବିଭୁ ରାଜ୍ୟେ ଯିବି ମାଡ଼ି

ହୋଇବି ପବିତ୍ର ଈଶ-ନାମ ସ୍ମରଣେ । ୭ ।

 

୪।୧୦।୪୬

☆☆☆

 

କାମିନୀ-କାଞ୍ଚନ

 

ଧନ୍ୟରେ କାମିନୀ ଧନ୍ୟ ଅଟେ ତୋର ବଳ,

ତୋହରି ପ୍ରଭାବେ ଚାଲୁଅଛି ଭବ-କଳ ।

ତୋ ଫାନ୍ଦେ ପଡ଼ଇ ଭୁଲି ଯେ ପୁରୁଷବର,

ସଦା ବହେ ତା’ର ଅଶ୍ରୁବାରି ଝର ଝର ।

ଯାହାକୁ ହାଣୁ ତୁ ଅବ୍ୟର୍ଥ କଟାକ୍ଷ ବାଣେ

ତୋହ ଛଡ଼ା ଭବେ ଆଉ ସେ କି କିଛି ଜାଣେ ?

ତୋ କୁହକେ ଥରେ ଯେଉଁ ଜନ ଯାଏ ପଡ଼ି

ପିତା ମାତା ଭାଇ ସବିଙ୍କି ଦିଏ ସେ ତଡ଼ି ।

ତୋର ଉପାସନା ସେ ହୃଦେ ହୋଇଛି ଥରେ,

ଦେବ-ଭାବ ତହିଁ କେବେ କି ପ୍ରବେଶ କରେ ?

ତୋର ମାୟା ଆହା ଘାରିଅଛି ଯେଉଁ ଜନେ

ପୃଷ୍ଠ ପ୍ରଦର୍ଶନ କରେ ସେ ସସାଂର ରଣେ ।

କାମୁକ ଅଟଇ କନ୍ଦୁକ ତୋହର ଭବେ

କାମିନୀ-ଯୌବନ ଚଞ୍ଚଳ ଭାବେ କି ଲବେ ?

ଯେଉଁ ଦିନ ବାଜିଯିବ ଶମନର ଘଣ୍ଟା

କାମିନୀ ଚଳିବେ ବିନ୍ଧି ପ୍ରାଣେ ବିଷ-କଣ୍ଟା ।

ଏ ଭାବନା ଯଦି ପୁରୁଷ ପ୍ରାଣରେ ବାଜେ

କାମିନୀର ପ୍ରତି କାମ-ଦୃଷ୍ଟି କେଉଁ ଲାଜେ ?

ଧନ୍ୟରେ କାଞ୍ଚନ ତୁ ଅଟୁ କାମିନୀ ସଙ୍ଗ

ତୁମେ ଦୁହେଁ ମିଳି ନ ଦେଖାଅ କେତେ ରଙ୍ଗ,

ଚୋର ଡକାଇତ ଅଟନ୍ତି ତୋର ଭକତ,

ତୋ ଲାଗି ସେମାନେ ଶୋଷନ୍ତି ନର ରକତ ।

ଭ୍ରାତୃ ବିବାଦର ତୁଇ ତ ଅଟୁରେ ମୂଳ,

ସର୍ବନାଶି ମଧ୍ୟେ କେ ଅଛି ତୋ ସମତୁଲ ?

ଯାହାଠାରେ ତୁହି କରୁ ବହୁ ଦିନ ବାସ

ଦେଖୁ ଦେଖୁ ତୁହି ତା’ର କରୁ ସର୍ବନାଶ,

ଅହଙ୍କାରେ ମତ୍ତ ହୁଏ ସେ ତୋହରି ଲାଗି

ଅବଶେଷ ପେଟ ପୋଷେ ଦ୍ଵାରେ ଦ୍ଵାରେ ମାଗି ।

ଯେବା ଚିରକାଳ କରେ ତୋର ଉପାସନା,

ମନୁଷ୍ୟ ପଣରୁ ସରିଯିବା କଥା ଜଣା ।

କାମିନୀ ସଙ୍ଗତେ ହୁଏ ଯଦି ତୋ ମିଳନ

ଅତି ହୀନ ଅବସ୍ଥାକୁ ଚାଲିଯାଏ ମନ ।

ତୋହର ପ୍ରସାଦେ ହୁଏ ପୁଣି ଜୀବ ସେବା,

ଦାନ ଧ୍ୟାନ କରି ଉଦାର ବୋଲାଏ କେବା ।

କାମିନୀ କାଞ୍ଚନ ଶୁଣ ଶୁଣ ମୋର କଥା,

ଧର୍ମପଣେ ବାଧା ଦେଇ ନ ଦିଅଟି ବ୍ୟଥା ।

☆☆☆

 

ମାତୃହୀନ ଶିଶୁ ପ୍ରତି

 

ଦୁଇ ତିନିମାସ ମାତୃ ସ୍ନେହ ପାଇ

ମା’ ଛେଉଣ୍ଡ ହେଲୁ ତୁହି,

ବାପା ତ ତୋହର ବିବାହିତ ପୁଣି

ତୋ ଦୁଃଖରେ ଦୁଃଖୀ ମୁହିଁ ।

ଆଉ କେ କରିବ ଗେଲବସରରେ

ଆଉ କିଏ ଦେବ କୋଳ ?

ତୋହର କାନ୍ଦଣା କାନରେ ପଡ଼ିଲେ

ଘାରିବ କା ମୁଣ୍ଡ ବୋଲ ।

ଭୋକ କଲେ ତୋତେ କେ ଧାଇଁ ଆସିବ

ପିଇବାକୁ ଦେବ ସ୍ତନ ?

ଆଉ କିଏ ତୋର ମୁଖାରବିନ୍ଦକୁ

ଚୁମିବ ରେ ଘନ ଘନ ?

ତୋର ଗୁହ ମୂତ ଆଉ କେ ପୋଛିବ

କିଏ ହେବ ଆଉ ବୋଳି,

ଅଳି ଧରି ତୁହି ଧୂଳିରେ ଗଡ଼ିଲେ

କିଏ ନେବ କୋଳେ ତୋଳି?

ରାତି ଦି’ପହରେ କାତରେ କାନ୍ଦିଲେ

ମନ ଭୁଲାଣିଆ ଗୀତ,

ଆଉ କେ ଗାଇବ ତୋର ମନ ବୁଝି

କେ ମୋହିବ ତୋର ଚିତ୍ତ ?

ଆଉ କିଏ ତୋତେ ପଦାକୁ ଛାଡ଼ିବ

ଆଖିରେ ଦେଇ କଜ୍ଜ୍ୱଳ,

କିଏ ଅବା ତୋର ପଥ ଚାହିଁଥିବ

ହେଉଥିବ କଲବଲ ?

କିଏ ତୋତେ ପିନ୍ଧାଇବ ଅଳଙ୍କାର

ପିନ୍ଧାଇବ ନାନା ବେଶ,

କିଏ ତୋତେ ବାରମ୍ବାର ଚୁମ୍ବି ଦେଇ

ସଜାଡ଼ିବ ତୋର କେଶ ?

କିଏ ତୋତେ ଦେବ ସର ଲହୁଣି ରେ

ରସଗୋଲା କ୍ଷୀ ରଗଜା,

କାହା ଯତନରେ ରନ୍ଧା ଦରବ ତୁ

ଖାଇ ମାରିବୁ ରେ ମଜା ?

କିଏ ପାରିଦେବ କୋମଳ ଶେଯ ରେ

ପାରିବ କୋମଳ କୋଳ,

ଖେଳି ଖେଳି ଆସି ଥକା ହୋଇ ତୁହି

ନିଦରେ ହୋଇଲେ ଭୋଳ ?

ସାଥୀଙ୍କ ସହିତ ହେଲେ ମାଡ଼ଗୋଳ

ବିଦରିବ କାହା ପ୍ରାଣ,

କିଏ ତୋତେ ଘଣ୍ଟ ଘୋଡ଼ାଇ ରଖିବ

କା’ର ତୋହ ପାଇଁ ଟାଣ ?

ପାଠ ପଢ଼ିଗଲେ ଚାଟଶାଳୀ ତୁହି

କିଏ ରହିଥିବ ଚାହିଁ,

ଫେରି ଆସିଲେ ତୁ କେତେ ଯତନରେ

କୋଳରେ ଦେବ ବସାଇ ?

ମୁହଁ ହାତ ଧୋଇ ଦେବ ଜଳଖିଆ

କରିଦେବ ତୋତେ ତାଜା,

ହେଣ୍ଡି ମାରି ତୁହି ଖେଳକୁ ବୁଲିବୁ

ବଜାଇବୁ କେତେ ବାଜା ।

ତୋ ସାଥୀମାନଙ୍କୁ ନିଜ ପୁଅ ପରି

କିଏ ବା ଦେଖିବ ଆଉ,

ତୋ ପାଇଁ ନେହୁରା କରିବ ସବିଙ୍କି

ମାନ ଥାଉ ଅବା ଯାଉ ।

ତୋର ବହି ପତ୍ର ତୋର ଲୁଗାପଟା

ପାଇଁ କେ କରିବ ଅଳି,

ତୋର ନନାଙ୍କୁ କେ ତୋର ପ୍ରୟୋଜନ

ବୁଝାଇବ ମାଆ ଭଳି ?

ଭାଗ୍ୟହୀନ ପଛେ କହନ୍ତୁ ରେ ତୋତେ

ଯାହାଙ୍କର ନାହିଁ ବୋଧ,

ଜନନୀ ନାହାନ୍ତି; ଜଗତ ଜନନୀ

କରିବେ ତୋ ଦୁଃଖ ରୋଧ ।

ତାହାଙ୍କ ଯତନେ ଶଶୀକଳା ପରି

ବଢ଼ିଯିବୁ ତୁହି ବାଳ,

ରକ୍ଷା କରିବେ ସେ ସବୁ ବିପଦରୁ

ସୁଖେ କାଟିବୁ ତୁ କାଳ ।

ଜଗତ ଜନନୀ ଇଙ୍ଗିତରେ ତୁହି

ସାଧିବୁ ଅସାଧ୍ୟ କାର୍ଯ୍ୟ,

ବ୍ରାହ୍ମଣ କୁଳରେ ପାଇଛୁ ଜନମ

ହୋଇବୁ ବିଶୁଦ୍ଧ ଆର୍ଯ୍ୟ ।

ପରମେଶ୍ୱରଙ୍କ ଆଶୀର୍ବାଦେ ତୋର

ଯିବ ଚାଲି ସବୁ ଦୁଃଖ,

ହେଲେ ହେଁ ବିମାତା ସିଞ୍ଚିବେ

ସିନେହ ଲଭିବୁ ଅପାର ସୁଖ ।

 

୯।୧୦।୪୬

☆☆☆

 

ଦରିଦ୍ର

 

କି ବିଦ୍ୟା ସୌନ୍ଦର୍ଯ୍ୟ ଅବା ଚରିତ୍ର ବିଭବ

ନିଷ୍ପ୍ରଭ ସକଳେ,

ଧନୀ ଯେହୁ ନୁହେ ନର ସମାଜ ମଧ୍ୟରେ

ଘୃଣ୍ୟ ଅବହେଳେ ।

ରାଜ-ପ୍ରାସାଦରେ ଯେହୁ ଲଭଇ ଜନମ

ଚରିତ୍ର ବିହୀନ,

ଜନତା-ସମ୍ମାନ ତା’ର ନାହିଁ ନୋହିବାର

ସୁଖେ ଯାପେ ଦିନ ।

ଦୟାଳୁ ପଣ୍ଡିତ ପୁଣି ପର ହିତକାରୀ

ଦରିଦ୍ରତା ଦୋଷେ,

ଚିର ଅପମାନ ବୋଝ ବହେ ନିଜ ଶିରେ

ନିଜ ମନ ତୋଷେ ।

ହେଲେହେଁ ପାତକୀ ବଡ଼ ନ କରେ ପରୁଆ

ଥିଲେ ଧନ ବଳ,

ନରହତ୍ୟା ଅପରାଧୁ ଯାଏ ସେ ମୁକୁଳି

କରି କଉଶଳ ।

ନିର୍ଦ୍ଧନ ନିର୍ଦ୍ଦୋଷ ଯେହୁ ତା’ର ରକ୍ଷା ନାହିଁ

ସନ୍ତାପ ଅପାର,

ଧନୀର କବଳେ ପଡ଼ି ହୁଏ ଛଟପଟ

ସହେ ଅତ୍ୟାଚାର ।

ଦୁଶ୍ଚରିତ୍ର ହେଉ ପଛେ ପାଏ ଧନୀ ସ୍ଥାନ

ରାଜ ଦରବାରେ,

ହେଲେହେଁ ସୁଯୋଗ୍ୟ ତା’ର ଦୃଷ୍ଟି ନାହିଁ ପଡ଼େ

ଦୁଃଖୀ ଜନ ଠାରେ ।

ଦରିଦ୍ରର ବୁଦ୍ଧି ଶୁଦ୍ଧି ଧନର ଉତ୍ତାପୁଁ

ହୋଇଣ ବଞ୍ଚିତ,

ପାରେ ନାହିଁ ବୃଦ୍ଧ ଲଭି, କେବଳ ମାତ୍ରକ

ହୁଏ ସେ ଲାଞ୍ଛିତ ।

ଦରିଦ୍ରର ଭାଇ ବନ୍ଧୁ ଆତ୍ମୀୟ ସ୍ଵଜନ

ଥାଇ ବି ନ ଥାନ୍ତି,

ବିପଦେ ପଡ଼ିଲେ ତାକୁ ଆପଣାର ଜନ

କେହି ପଚାରନ୍ତି !

ଧନ ଥିଲେ ଦୂର ବନ୍ଧୁ ବୋଲାଏ ଆତ୍ମୀୟ

ଦେଖାଏ ସମ୍ବନ୍ଧ,

ମୁହଁ ପୋତି ଚାଲିଯାନ୍ତି ନିର୍ଦ୍ଧନର ବନ୍ଧୁ

ତାହା ପ୍ରତି ଅନ୍ଧ ।

ଅଭାବେ ସ୍ଵଭାବ ନଷ୍ଟ କରେ ଦୁଃଖୀ ଜନ

ସ୍ଥାନେ ସ୍ଥାନେ ଘଟେ ।

ଦାରିଦ୍ର୍ୟର ଶତ ଦୋଷ ପଡ଼େ ଦୃଷ୍ଟି ପଥେ

ଭବ ନଦୀ ତଟେ ।

ଧନବନ୍ତ ସ୍ଵାମୀଠାରେ ଆତ୍ମ ସମର୍ପଣ

କରେ ପ୍ରଣୟିନୀ,

ପାରିଲେ ଦାରିଦ୍ର୍ୟ ତାଙ୍କୁ ଦୁରଦୃଷ୍ଟି ଯୋଗୁଁ

ହୁଅଇ ଫଣିନୀ ।

ହୋଇଲେ ଦରିଦ୍ର, ପିତା ହୋଇ କ୍ଷୁର୍ଣ୍ଣମନା

ପୁତ୍ରୋପରି ରୁଷ୍ଟ,

ଚାହିଁ ନ ପାରନ୍ତି ତା’ର ପୋଡ଼ା ମୁହଁଟାକୁ

ବୋଲନ୍ତି ସେ ଦୁଷ୍ଟ ।

ଦୁଃଖୀ ଭ୍ରାତାଠାରୁ ଭିନ୍ନ ହୁଏ ଧନୀ ଭ୍ରାତା

ନ ଦେଖି ତା’ ମୁଖ;

ପୁତ୍ର କନ୍ୟା ପରାଙ୍‍ମୁଖ ହୁଅନ୍ତି ଅଚିରେ

ନ ପାଇଲେ ସୁଖ ।

ବିନା ବେତନରେ ଭୃତ୍ୟ କରେ ଧନୀ ସେବା

ଆନନ୍ଦେ ଅଧୀର,

ଦରିଦ୍ର ବେତନ ପଛେ ଦେଉ ମାସେ ମାସେ

ହୁଅଇ ଅସ୍ଥିର ।

ହେଉ ପୁତ୍ର ଧନୀ, ଦୀନ, ସୁଖୀ ଅବା ଦୁଃଖୀ

ଗରଭଧାରିଣୀ,

ପୁତ୍ର ମୁଖ ଅହର୍ନିଶ କରେ ନିରୀକ୍ଷଣ

ଦୁଃଖ ନିସ୍ତାରିଣୀ ।

ସେ ମଳିନ ପୁତ୍ର ମୁଖ କରଇ ଚୁମ୍ବନ

କେବଳ ଜନନୀ,

ତେଣୁ ମାତୃ ପଦେ ଶତ ଶତ ନମସ୍କାର

ଲୁଟାଇ ଧରଣୀ ।

ଦରିଦ୍ର ଜନର କାହିଁ ଆତ୍ମୀୟ ସମାଜ

ନାହିଁ ତା’ର ମିତ୍ର,

ଏକମାତ୍ର ବନ୍ଧୁ ତା’ର ଜଗତ ଜନନୀ

ମାନସ ପବିତ୍ର ।

 

୧୫।୧୦।୪୬

☆☆☆

 

କୁକୁର

 

କେତେ ସ୍ନେହ ଘେନି ଜନମ ପାଇଛୁ

କଳନା ହେବ କି କରି ?

ପ୍ରଭୁର ଏକାନ୍ତ ବିଶ୍ଵାସୀ ସେବକ

ଦେଖା ଯିବ କି ଏପରି ?

ପଶୁ ମଧ୍ୟେ ତୁହି ଜନମ ଲଭିଛୁ

ମନୁଷ୍ୟ ପ୍ରତି ଏ ପ୍ରୀତି,

ପାଇଲୁ କେଉଁଠୁ କିଏ ଦେଲା ତୋତେ

କହ ଜଗାଇ ପ୍ରତିତୀ ।

ଘର ଜଗିବାକୁ ତୁହି ଜଗୁଆଳି

ଅଛି କେ ତୋ’ପରି ଆଉ ?

ପୁତ୍ର କନ୍ୟା ମଧ୍ୟ ବିଶ୍ୱାସୀ କି ତେତେ

ଭୃତ୍ୟ କଥା ଦୂରେ ଥାଉ ।

ପ୍ରଭୁ ଥିଲେ ଦୂରେ ବିରହ ବେଦନା

କରୁ କିରେ ଅନୁଭବ ?

ଦୁର ବିଦେଶରୁ ଫେରି ଆସିଲେ ସେ

ତୋର ଅମୂଲ୍ୟ ବିଭବ ।

ତାଙ୍କ ଦେହେ ଚଢ଼ି, ତାଙ୍କ ହାତ ଚାଟି

ଦେଖାଉ ସ୍ନେହ ଅପାର,

ମାନବ ହୃଦୟେ ଏତେ ସ୍ନେହ ଥିବା

ଜଣାଏ ନାହିଁ ବେଭାର ।

କହିଲି ତୋ ଗୁଣ ଦୋଷ ବି କହିବି

ଦୋଷଗୁଣେ ମିଶା ଜୀବ,

କେବଳ ଗୁଣରେ ଗଢ଼ା ଯେଉଁ ପ୍ରାଣୀ

ଏ ଭବେ ସେ କି ରହିବ ?

ସ୍ଵଜାତ ସହିତ କଳହରେ ପଟୁ

ଲୋକେ ଏହି ଅପଖ୍ୟାତି,

କରିପାରନ୍ତୁ ରେ ଗଙ୍ଗାରେ ସିନାନ

ପଥେ କଳହେ ନ ମାତି ।

ଗୁଣ ତୁଲେ ତୋର ଦୋଷ ନାହିଁ କିଛି

ତେଣୁ ସିନେହର ପାତ୍ର,

ଅଖାଦ୍ୟରେ ସଦା ଦୃଷ୍ଟି ସେ ଜୀବର

ସେ ଘୃଣ୍ୟ ହୁଏ ମାତ୍ର ।

ତୋହପରି ବନ୍ଧୁ ସେବକ ପାଇଲେ

ମୋର ନାହିଁ ଆଉ ଦକା,

ତେଣୁ ସ୍ଥିର କଲି ଭାବିଚିନ୍ତି ତୋତେ

ଡାକିବି ‘‘ମାନବ-ସଖା’’ ।

☆☆☆

 

ଭାରତୀୟ ଯୁବକ ପ୍ରତି

 

–୧–

ଭାରତର ଯୁବଶକ୍ତି ହୁଅ ହେ ଜାଗ୍ରତ,

ଭାରତ କଳୁଷ ରାଶି

ଧୋଇଦିଅ ଶୀଘ୍ର ଆସି

ଭାରତ କଲ୍ୟାଣ ଚିନ୍ତା ହେଉ ତବ ବ୍ରତ ।

ସାଧ ଭାରତର ହିତ ହୋଇ ଉନମତ୍ତ ।

–୨–

ମାନବ ଦୃଷ୍ଟିରେ ଦେଖ ସାରା ଦେଶବାସୀ,

ଅସ୍ପୃଶ୍ୟତା କର ଦୂର

ଉଠହେ ଯୁବକଶୂର

ହୁଅ ହେ ଗୌରବାନ୍ୱିତ ଭେଦଭାବ ନାଶି।

ପରସ୍ପରେ ଆଲିଙ୍ଗନ କର ତ୍ଵରା ଆସି ।

–୩–

ହିନ୍ଦୁ ଓ ଯବନ ଦୁହେଁ ଭାରତ ସନ୍ତାନ,

ଶ୍ରୀକୃଷ୍ଣ ଶ୍ରୀ ମହମ୍ମଦ

ଦୁହେଁ ଆମ୍ଭରି ସମ୍ପଦ

କିଏ ସେ ଥାଇ ଥାଇ ମାରେ ଭେଦ-ବାଣ ?

କର ତାହା ବ୍ୟର୍ଥ ଗାଇ ମିଳନର ଗାନ ।।

–୪–

ବାଳକ ବାଳିକା ନାରୀ ଅଟନ୍ତି ପବିତ୍ର ।

ରକ୍ଷା କର ତାଙ୍କ ପ୍ରାଣ

ରକ୍ଷା କର ତାଙ୍କ ମାନ

ତେବେ ସିନା ବୋଲାଇବ ଭାରତର ମିତ୍ର ।

ଦୂର କର ଦେଶ ବକ୍ଷୁଁ ଦୂଷଣୀୟ ଚିତ୍ର ।।

–୫–

ଯୁବ ଜାଗରଣ ଦିନ ଆସିଛି ଭାରତେ,

ଅଭିଜ୍ଞ ବୃଦ୍ଧର ବାଣୀ

ସଦା ହିତକାରୀ ଜାଣି

ବୃଦ୍ଧ ପିତୃମାତୃ ବାକ୍ୟ ପାଳ ସବୁମତେ ।

ଓଉଦ୍ଧତ୍ୟ ଛାଡ଼ି ହିତ ସାଧିବ ଜଗତେ ।।

–୬–

ଯେ ଦେଶରେ ରାମ, କୃଷ୍ଣ, ବୃଦ୍ଧ ଓ ଶଙ୍କର,

ଚଇତନ୍ୟ ରାମକୃଷ୍ଣ

ହେଲେ ନିଜ ଭାବେ ପୁଷ୍ଟ

ଯେ ଦେଶେ ବିବେକାନନ୍ଦ ପୁରୁଷପ୍ରବର

ଜନ୍ମିଥିଲେ ସେହି ଦେଶ ଅଟଇ ତୁମ୍ଭର ।।

–୭–

ଧର୍ମବଳେ ବଳୀ ତୁମ୍ଭେ ଭାରତ ଯୁବକ,

ଦେଖାଅ ହେ ଜଗଜ୍ଜନେ

ଗୃହେ ଓ ସମରାଙ୍ଗଣେ

ବୀର ତୁମ୍ଭେ, କର୍ମୀ ତୁମ୍ଭେ, ନୁହ ପ୍ରତାରକ।

ପ୍ରାଣ ବିନିମୟେ ହୁଅ ଦେଶର ସେବକ ।।

–୮–

ତପ୍ତିନାହିଁ ଧରା ପୃଷ୍ଠେ ଧର୍ମହୀନ ଜାତି,

ଆଜି ସେହି ଧର୍ମ ବଳେ

ଭାରତ ପୃଥିବୀ ତଳେ

ରହିଛି ଜୀବିତ, ରହିଥିବ ପାତି ଛାତି

ସାଧିବ ଅସାଧ୍ୟ କର୍ମ ବୀର ମଦେ ମାତି ।।

–୯–

ଭାରତର ଶିକ୍ଷା ଦୀକ୍ଷା ଜଗମଧ୍ୟେ ସାର,

ବିଜ୍ଞାନର ବାହାଦୂରୀ

ପାଶ୍ଚାତ୍ୟର ଜାରି ଜୁରି

ପଦାରେ ପଡ଼ିଛି ଆଜି–ସେହି ବିଦ୍ୟା ଛାର

ଯାହାର ପ୍ରକୋପେ ନରନାରୀ ଛାରଖାର ।।

–୧୦–

ପ୍ରାଚୀ-ଧର୍ମ ପ୍ରତୀଚୀର ବିଜ୍ଞାନେ ମିଳଇ,

ସାଧ ନିଜ ପରିହିତ

ହୋଇ ଭୀରୁତା ବର୍ଜିତ

ତୁମ୍ଭର ଆଡ଼କୁ ଦେଶ ରହିଛି ଅନାଇଁ ।

ସାରା ଭାରତର ଜୟ ଗାଅ ସର୍ବେ ଭାଇ ।।

 

୧୩।୧୧।୪୬

☆☆☆

 

ଉଠ ବୀର

 

ନୁହେଁ ମୁଁ ସାମାନ୍ୟ ଜୀବ

ସୃଷ୍ଟିରେ ମାନବ,

ମୋ ଚରିତ୍ରେ ଫୁଟି ଉଠୁ

ସତ୍ୟ ଓ ଆର୍ଜବ ।

ମିଥ୍ୟାକୁ ଆଶ୍ରୟ କରି

ହୁଏ ମୁଁ ମଳିନ,

ପ୍ରେମ ସରୋବରେ ପରା

ଅଟେ ମୁଁ ନଳିନ ?

ସତ୍ୟସନ୍ଧ ହେବି ମୁହିଁ

ସତତ ସାଧନେ,

ତେବେ ସିନା ଦିବ୍ୟ ସୁଖ

ମାନବ ଜୀବନେ ।

ଅମୃତର ସନ୍ତାନ ମୁଁ

ଭୁଲିଯାଏଁ ନିତି ।

ଦୁଃଖକୁ ବରଣ କରେଁ

ଭୁଲି ଭକ୍ତି ପ୍ରୀତି ।

ବିଭୁନାମେ ଭାଙ୍ଗିବି ମୁଁ

ମୋ ପାଦ ଶିକୁଳି ।

ଉଠ ବୀର ଉଚ୍ଚ ସ୍ତରେ

ଝାଡ଼ି ଦେଇ ଧୂଳି ।

 

୧୪।୧୧।୪୬

☆☆☆

 

ଆଉ କେତେ କାଳ

 

ଆଉ କେତେ କାଳ ଭଲା ରହିବୁ ଦୁର୍ବଳ ?

ଆୟୁଷ ଯାଉଛି ଚାଲି

କରୁ କରୁ ଆଜି କାଲି

କ୍ରମେ କ୍ରମେ ହେଉଅଛୁ ଅତୀବ ଅଚଳ,

ବିଭୁ-କଥା ଛାଡ଼ି କିମ୍ପା ବକୁ ଅନର୍ଗଳ ? ।୧।

ଈଶ୍ଵର-ଦର୍ଶନ ପରା ଉଦ୍ଦେଶ୍ୟ ଜୀବର ?

ଭୁଲିଗଲୁ କାହିଁ ପାଇଁ

ଟିକିଏ ହେଜିଲୁ ନାହିଁ

ଯମ ସଦା ଖୋଜୁଅଛି ତୋ’ଠାରେ ବିବର,

କରିବାକୁ ତା’ ଶାସନେ ତୋତେ ହରବର । ।୨।

କାହିଁକି ଆସିଛୁ ଭବେ କରି ତା’ ସ୍ମରଣ ।

ସୁନ୍ଦର ଖେଳନା ଦେଖି

ଗୁଢ଼ ଉଦ୍ଦେଶ୍ୟ ଉପେକ୍ଷି

ମାତିଲୁ ଖେଳରେ ତୁହି ନେଇ ଧନ ଜନ,

ପାସୋରିଲୁ ଦିନେ ତୋର ହୋଇବ ମରଣ । ।୩।

ନାରୀମାୟା ରୂପ ମୋହ ପକାଇଲା ଘାରି,

ଆଉ କେତେ କାଳ ଭଲା

ହୋଇ ରହିବୁ ଚଗଲା ।

ହରିଙ୍କୁ ଡାକ ତୁ ମୂଢ଼, ଦୀନ ଦଇତାରି–

ସେହି ଏକା କରନ୍ତି ରେ ଭବସିନ୍ଧୁ ପାରି ।।୪।

 

୧୪।୧୧।୪୬

☆☆☆

 

ଯାଆ ମାତି ଯା ତୁ ରଣେ

 

ଦେଖରେ ଅବୋଧ ତୁହି

ଦେଖ ତୁ ନୟନ ମେଲି

ଭିତରେ ବାହାରେ ଥରି

ଦେଉଛନ୍ତି ଠେଲି ପେଲି ।

ବାହାର-ଶତ୍ରୁ ଦମନ

ନୁହଇ କଠିନ କାର୍ଯ୍ୟ,

ଭିତର-ଶତ୍ରୁକୁ ଚାହାଁ

ତୁହି ପରା ବୀର ଆର୍ଯ୍ୟ

ବାହାର ଶତ୍ରୁ ଦମନେ

ଅଛି ତ ବିଚାରାଳୟ,

ଅନ୍ତଃଶତ୍ରୁ କି କୌଶଳେ

ବଧି ତୁ ଏଡ଼ିବୁ ଭୟ ?

ଷଡ଼ରିପୁ ଦିବା ରାତି

ଅଛନ୍ତି ରେ ତୋତେ ଘେରି,

ସତେକି ରିପୁକୁ ନାଶି

ବଜାଇବୁ ଜୟ ଭେରି ?

ବିଶ୍ରାମର ନାହିଁ ବେଳ

ଲାଗି ଯା ତୁ ପ୍ରାଣପଣେ,

ଶତ୍ରୁ ହେବ ପରାଭୂତ

ଯାଆ ମାତି ଯା ତୁ ରଣେ ।

 

୧୪।୧୧।୪୬

☆☆☆

 

ତୁ କିଏ

 

ନୋହୁ କ୍ଷୁଦ୍ର ଜୀବ ତୁହି

ନୋହୁ ପିପୀଲିକା,

ଭୟ କିପାଁ ଦେଖି ଏହି

ଭବ ବିଭୀଷିକା ?

ଜାଣୁ ତୁହି ସତ୍‍ ଚିତ୍‍–

ଆନନ୍ଦ ସନ୍ତାନ,

ଅମୃତରେ ଭରପୁର

ଅଟେ ତୋର ପ୍ରାଣ ।

ସୁବିସ୍ତୀର୍ଣ୍ଣ ବାରିରାଶି

ମଧ୍ୟେ ତୋର ଘଟ,

ପରମାତ୍ମା ଅଂଶ ତୁହି

ତୋ ଆତ୍ମା ପ୍ରକଟ ।

ଦିନେ ଯିବ ଭାଙ୍ଗି ଘଟ

ହୋଇବ ମିଳନ,

ଆତ୍ମା ପରମାତ୍ମା ମଧ୍ୟେ

ଆସୁଛି ସେ କ୍ଷଣ ।

ନୋହୁ ତୁହି ହେୟ ଘୃଣ୍ୟ

ନୋହୁ ତୁହି କ୍ଷୁଦ୍ର,

ଉଦାର ମହାନ ତୁହି

ପ୍ରେମର ସମୁଦ୍ର ।

ଦେହ ମନ ଶୁଦ୍ଧକରି

କହ ବୀରନାଦେ,

ନୁହେଁ ମୁଁ ସାମାନ୍ୟ ଜୀବ

ନ ପଡ଼ିବି ଫାନ୍ଦେ ।

ମହାମାୟା ନିଶ୍ଚେ ମୋତେ

ଦେବେ ଦ୍ଵାର ଖୋଲି,

ସ୍ଵର୍ଗ ରାଜ୍ୟେ ପ୍ରବେଶିବି

‘ଜୟ ହରି’ ବୋଲି ।

ଅଛି ମୁଁ ସଂସାର ମଧ୍ୟେ

ନୁହେ ସଂସାରର,

ମୋ ଧାମ ପରମ ଧାମେ,

ନୁହେଁ ମୁଁ ଅସାର ।

କତିପୟ ଦିନ ପାଇଁ

ରହିଛି ମହୀରେ,

କାହିଁକି ମୁଁ ହେବି ଘାଣ୍ଟି

ତୁଚ୍ଛାକୁ ତହିଁରେ ?

ଏ ନୁହେ ମୋହର ଗୃହ

ଏ ନୁହେ ମୋ ଦେଶ,

ହରି ପାଦପଦ୍ମ ସଦ୍ମ

ଆନନ୍ଦ ବିଶେଷ ।

 

୧୪।୧।୫୭

☆☆☆

 

ସାଧୁସଙ୍ଗ

 

ଈଶ୍ଵରଦର୍ଶନ ପରା ଜୀବନର ଲକ୍ଷ୍ୟ

ତେବେ କିପାଁ ଆଳସ୍ୟରେ ଯାପୁଅଛୁ ଦିନ ?

କରରେ ଅବୋଧ ମନ କର ସାଧୁସଙ୍ଗ,

କ୍ରମେ ପରା ତନୁ ମନ ହେଉଅଛି କ୍ଷୀଣ ।

ଯାହାଙ୍କୁ ଦେଖିଲେ ପ୍ରାଣେ ଉପୁଜେ ପୁଲକ,

ଯାହାଙ୍କୁ ଦେଖିଲେ ସ୍ଵତଃ ଜାଗିଉଠେ ଭକ୍ତି,

ଯାଆ ତୁ ତାହାଙ୍କ ପାଶେ, କର ପ୍ରଣିପାତ,

କରି ପରିପ୍ରଶ୍ନ, ସେବା, ଶୁଣ ତାଙ୍କୁ ଉକ୍ତି ।

ସାଧୁସଙ୍ଗ ପ୍ରଭାବରୁ ମାନସ ବ୍ୟାକୁଳ,

ବ୍ୟାକୁଳତା ଦର୍ଶନର ଅଟଇ ଉପାୟ,

ଯାଉରେ ଜଡ଼ତା ଭାଜି, କର ସାଧୁସଙ୍ଗ,

ଲଗାଇ ଦେ ଅଚିରେ ତୁ ବାକ୍ୟ, ମନ, କାୟ !

ସାଧୁ ବ୍ୟକ୍ତି ଅଭାବରେ ପଢ଼ ଭାଗବତ,

ଚିନ୍ତ ମନ ଇଷ୍ଟଦେବ-ଲୀଳା ଦିବାରାତି,

ଅଚିରେ ପାଇବୁ ଜ୍ଞାନ, ଭକ୍ତି, ପ୍ରେମ ଆଦି,

ଦେଖୁ ଦେଖୁ ମଜି ଯିବୁ ବିଭୁ ନାମେ ମାତି ।

ଆଳସ୍ୟ ତୁ ପରିହରି ଖୋଜି ସାଧୁସଙ୍ଗ,

ମିଳାଇବେ ଗୁରୁଦେବ ଅନ୍ତର୍ଯ୍ୟାମୀ ହରି,

ତେବେ ସିନା ମଣିବୁ ତୁ ସାର୍ଥକ ଜୀବନ,

ସତ୍‍-ଚିତ୍‍ ଆନନ୍ଦରେ ଯିବ ପ୍ରାଣ ଭରି ।

 

୧୪।୧୧।୪୬

☆☆☆

 

ପୁରୁଷ କେଶରୀ ତୁହି

 

କାହିଁକି ଭଲା ତୁ ଯାଉଛୁ ବିସୋରି

ପୁରୁଷ-କେଶରୀ ତୁହି ?

ମେଣ୍ଢା ପଲେ ଯାଇ ପଶିଛୁ ନିର୍ବୋଧ

ନିଜକୁ ଚିହ୍ନିଲୁ ନାହିଁ ।

ମିଥ୍ୟା କୁହେଳିକା ଛିନ୍ନ ଭିନ୍ନ କରି

ଦେଖ ତୁ ଉଜ୍ଜ୍ୱଳ ସତ୍ୟ,

ମାୟା ମୋହ ଆଜି ପରିହରି ସବୁ

ଆଦର କର ଯା ନିତ୍ୟ ।

ଅଠର ମାସରେ ବରଷ କି ତୋର

କାହିଁକି ତୋ ଗତି ମନ୍ଦ ?

ଦେଖୁ ଦେଖୁ ପରା ସରିଯାଏ ଆୟୁ

ସକଳ ସ୍ଫୁରତି ବନ୍ଦ ।

ପରମ ଆତ୍ମାର ଅଟୁ ତୁହି ଅଂଶ

କାହିଁକି ଯାଉଛୁ ଭୁଲି ?

ମାନସ-ଦର୍ପଣ ରଖ ତୁ ଉଜ୍ଜ୍ୱଳ

ଉଡ଼ାଇ ଦିଅ ତା’ ଧୂଳି ।

ତୁହି ତ ଅଟୁରେ ପୁରୁଷ କେଶରୀ

ତୋର ଗରଜନ ଶୁଣି ।

ମାୟା ମୋହ ମିଥ୍ୟା ଯିବଟି ଉଭେଇ

ଚିହ୍ନିବୁ ନିଜକୁ ପୁଣି ।

 

୫।୧।୪୬

Image